ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ : ପ୍ରଶାନ୍ତ, ସୌମ୍ୟରଞ୍ଜନ, ଅଚ୍ୟୁତ

୯ରେ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର : ସବୁ ପ୍ରତୀକ୍ଷା ଓ ଆକଳନର ଅବସାନ ଘଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ। ଆସନ୍ତା ୯ ତାରିଖରେ ଏହି ତିନି ଜଣ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ଆଜି ପୂର୍ବାହ୍ନରେ ସୌମ୍ୟରଞ୍ଜନ ଓ ଅଚ୍ୟୁତ ବିଜେଡିରେ ମିଶିଲା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ସଂପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଚାରିଥିଲେ। ଅପରାହ୍ନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ସେହି ଅନୁଯାୟୀ ୫ଟାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନବୀନ ନିବାସ ଡକାଯାଇଥିଲା। ପ୍ରାୟ ୫ଟା ୩୦ରେ ନବୀନ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲେ।

ରାଜ୍ୟସଭା ପ୍ରାର୍ଥୀ ନେଇ ଘୋଷଣା ପରେ ପ୍ରଶାନ୍ତ ନନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ରାଜ୍ୟସଭା ସଦସ୍ୟ ପାଇଁ ଆବେଦନ କରି ନ ଥିଲି। ଦଳର ସଭାପତି ଯେତେବେଳେ ଯାହା ନିର୍ଦ୍ଦେଶ ଦିଅନ୍ତି, ସବୁ ସନ୍ତୋଷଜନକ ଭାବେ କାର୍ଯ୍ୟ କରିବାକୁ ଚେଷ୍ଟା କରିଛି। ତାଙ୍କର ଇଚ୍ଛା ରହିଛି, ଓଡ଼ିଶାକୁ ନମ୍ବର ୧ କରିବା। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ସେ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ତାହାର ବାସ୍ତବ ରୂପାୟନ ପାଇଁ ଆମେ ଚେଷ୍ଟା କରିବୁ। ରାଜ୍ୟର ସ୍ୱାର୍ଥ ହାସଲ କରିବା ପାଇଁ ଦିଲ୍ଲୀରେ ଲଢ଼ିବୁ। ମୋ ଦାୟିତ୍ୱ ବଢ଼ିଗଲା, ମୁଁ ତାହାକୁ ତୁଲାଇବାକୁ ଚେଷ୍ଟା କରିବି।

ଉଲ୍ଲେଖଯୋଗ୍ୟ, ଆସନ୍ତା ଏପ୍ରିଲ ୨ ତାରିଖରେ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲିପ ତିର୍କୀ, ଏ.ଭି ସ୍ୱାମୀ (ସ୍ୱାଧୀନ)ଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏସବୁ ଆସନ ଲାଗି ଆସନ୍ତା ୨୩ରେ ନିର୍ବାଚନ ହେବ। ଆସନ୍ତା ୧୨ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ଶେଷ ହେବ। ୧୩ ତାରିଖରେ ଯାଞ୍ଚ ହେବ ଓ ୧୫ ତାରିଖ ଦିନ ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି। ଯଦି ନିର୍ବାଚନ ନ ହୁଏ, ତେବେ ସେହିଦିନ ହିଁ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିପାରନ୍ତି।

ଉଲ୍ଲେଖଯୋଗ୍ୟ, ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏବେ ବିଜେଡିର ୧୧୮ ଜଣ ବିଧାୟକ ଅଛନ୍ତି। ୧୬ ଜଣ କଂଗ୍ରେସ ଦଳକୁ ପ୍ରତିନିଧିତ୍ଵ କରୁଛନ୍ତି। ବିଜେପିର ୧୦ ଜଣ ବିଧାୟକ ଥିବା ବେଳେ ସିପିଆଇ ଓ ସମତା କ୍ରାନ୍ତିର ଜଣେ ଲେଖାଏଁ ଏବଂ ବାକି ୨ ଜଣ ସ୍ୱାଧୀନ ବିଧାୟକ। ଏମାନଙ୍କ ମଧ୍ୟରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ବିଜେଡି ନିଲମ୍ବନ ଉଠାଇସାରିଲାଣି। ସେ ଏବେ ବିଜେଡି ସହିତ ଅଛନ୍ତି। ଏଣୁ ବିରୋଧୀ ପ୍ରାର୍ଥୀ ଦେଇ ଜିତାଇବା ସମ୍ଭାବନା ନାହିଁ। ଅଙ୍କ ଅନୁସାରେ, ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ପ୍ରଥମ ପସନ୍ଦର ୩୭ଟି ଭୋଟ ବା ୩୭ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ଯେହେତୁ ବିଜେଡିର ୧୧୮ଜଣ ସଭ୍ୟ ଅଛନ୍ତି, ଏଣୁ ଦଳ ଅତି ସହଜରେ ୩ଜଣ ସଭ୍ୟଙ୍କୁ ପ୍ରଥମ ପସନ୍ଦ ଭୋଟରେ ଜିତାଇ ପାରିବ। ଏଭଳି ପରିସ୍ଥିତିରେ ନିର୍ବାଚନ ସ୍ଥିତି ଉପୁଜିନପାରେ।

ସମ୍ବନ୍ଧିତ ଖବର