ହାତଗଣତି ଅସାଧୁ ବ୍ୟବସାୟୀଙ୍କ କଳା କାରନାମା ଲାଗି ବଦନାମ ହେଉଛି ବିୟୁଟି ପାର୍ଲର ଶିଳ୍ପ !

ବିଶେଷ ରିପୋର୍ଟ/ ମଧୁସ୍ମିତା ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କେତେକ ବିୟୁଟି ପାର୍ଲରରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ଖବର ଆପଣଙ୍କ ନଜରକୁ ଆସିଥିବ। ନିର୍ଦ୍ଦିଷ୍ଟ ବ୍ୟବଧାନରେ ‘ବିୟୁଟି ପାର୍ଲରରେ ଚଢ଼ାଉ, ଯୁବତୀ ଉଦ୍ଧାର’ ଶୀର୍ଷକ ଖବର ଟିଭି ଓ  ଖବରକାଗଜରେ ପ୍ରକାଶ  ପାଉଥିବା ପ୍ରାୟତଃ ଦେଖିବାକୁ ମିଳେ। ଫଳରେ ସାଧାରଣ ଲୋକଙ୍କ ମନରେ ପାର୍ଲରକୁ ନେଇ କେମିତି ଗୋଟେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ମାତ୍ର ଏଭଳି ଚିନ୍ତାଧାରା ପୋଷଣ କରିବା ଆଦୌ ସ୍ପୃହଣୀୟ ନୁହେଁ।

ଗୋଟିଏ ପକ୍ଷରେ ବର୍ତ୍ତମାନର ଶିକ୍ଷିତ ଯୁବପିଢ଼ି ଲାଗି ବିୟୁଟି ପାର୍ଲର ବ୍ୟବସାୟକୁ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ବିୟୁଟି ପାର୍ଲର ଯାଇ ଶରୀର ଯତ୍ନ ନେବା ସାଧାରଣ ଜୀବନଶୈଳୀର ଅଂଶବିଶେଷ ପାଲଟି ଯାଇଛି। ବର୍ତ୍ତମାନ ଗାଁଠାରୁ ସହର ଯାଏଁ ସବୁଠି ଖୋଲିଛି ବିୟୁଟି ପାର୍ଲର। ବିୟୁଟିସିଆନ୍‌ କୋର୍ସ କରିଥିବା ଯୁବତୀମାନେ ଏହାକୁ  ସ୍ୱାବଲମ୍ବନର ଏକ ମାର୍ଗ ଭାବେ ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ, ବଡ଼ ବଡ଼ ଶିଳ୍ପପତି ମଧ୍ୟ ଏହି ଶିଳ୍ପରେ ପୁଞ୍ଜି ନିବେଶ କରିଛନ୍ତି, ଯାହା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିୟୁଟି କେୟାର ବ୍ରାଣ୍ଡ ସୃଷ୍ଟି କରିଛି।

ମାତ୍ର କତିପୟ ଅସାଧୁ ବ୍ୟବସାୟୀ ପାର୍ଲର ନାମରେ ଦେହ ବ୍ୟବସାୟ ଚଳାଇ ଏହି ବ୍ୟବସାୟ/ଶିଳ୍ପକୁ ବଦନାମ କରୁଛନ୍ତି।  ଭୁବନେଶ୍ୱରର ରସୁଲଗଡ଼, ସହିଦନଗର,ଜୟଜେବ ବିହାର,ନୟାପଲ୍ଲୀ,ଲକ୍ଷ୍ମୀସାଗର ଏବଂ ପଟିଆରର କେତେକ ବ୍ରାଣ୍ଡ୍‌ ଓ ନନ୍‌ବ୍ରାଣ୍ଡ୍‌ ବିୟୁଟି ପାର୍ଲରର ବିୟୁଟିସିଆନ୍‌ଙ୍କ ମତାମତ ଏହି ସମସ୍ୟା ସଂପର୍କରେ ନେଇଥିଲୁ। ଆସନ୍ତୁ ଜାଣିବା ସେମାନେ କ’ଣ କହୁଛନ୍ତି।

ନୟାପଲ୍ଲୀର ଏନ୍‌-୧ରେ ଥିବା ଜଣାଶୁଣା ବିଉଟି  ପାର୍ଲର ‘ମେକ୍‌ ମାଇଁ ବିଉଟି ସେଲୁନ୍‌’ର ସତ୍ୱାଧିକାରୀ ମୋନିକା ପଟ୍ଟନାୟକ କହନ୍ତି, ବର୍ତ୍ତମାନ କିଛିଟା ପାର୍ଲରରେ ଅନୈତିକ କାର୍ଯ୍ୟ ଚାଲିବାର ମୂଳ କାରଣ ହେଉଛି ବଡି ମସାଜ୍‌, ଯାହାକି ପାର୍ଲର ସେବା ଭିତରେ ନାହିଁ। ବିଶେଷ କରି କେତେକ ୟୁନିସେକ୍ସ ପାର୍ଲରରେ ଏପରି ଅନୈତିକ କାର୍ଯ୍ୟକଳାପ ଚାଲୁଛି। ତେବେ ମୁଁ ସେଗୁଡ଼ିକର ନାମ ନେବାକୁ ଚାହୁଁ ନାହିଁ। ବଡି ମସାଜ ନାମରେ ଅଲଗା କାରବାର ବନ୍ଦ ହେବା ଦରକାର।

ଏଥିସହିତ ରସୁଲଗଡ଼ସ୍ଥିତ ‘ସଗୁନ୍‌ ପାର୍ଲର’ର ବିଉଟିସିଆନ୍‌ ସଗୁନ୍‌ କହନ୍ତି, ସେ ଏପରି ଖବର ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଆନ୍ତି, ଯେଉଁ କାରଣକୁ ନେଇ ପାର୍ଲର ପ୍ରତି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା  ଦିଶା ପାର୍ଲରର ସତ୍ୱାଧିକାରୀ ସୁଜାତା ପଣ୍ଡା କହନ୍ତି ଯେ, ଯେପରି ଭାବେ ଗୋଟେ ପଚା ଆଳୁ ବସ୍ତା ଭିତରେ ଥିବା ସମସ୍ତ ଭଲ ଆଳୁକୁ ଖରାପ କରିଦିଏ, ସେହିପରି ହାତଗଣତି ପାର୍ଲର ଲାଗି ସମସ୍ତ  ପାର୍ଲର ବଦନାମ୍‌ ହେଉଛନ୍ତି। ଏପରି କାର୍ଯ୍ୟରୁ ସେମାନେ ବିରତ ରହିବା ଉଚିତ।

ସମ୍ବନ୍ଧିତ ଖବର