ଉପକାରୀ ପଛୁଆ ଚାଲି

ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମର ଆବଶ୍ୟକତା ରହିଛି। ଚାଲିବା ସହିତ ହୃତ୍‌ପିଣ୍ଡର ସ୍ବାସ୍ଥ୍ୟ, ମାନସିକ ସୁସ୍ଥତା, କାର୍ଯ୍ୟଦକ୍ଷତା ଓ ଆୟୁ ବୃଦ୍ଧି ଆଦି ଜଡ଼ିତ ବୋଲି ବିଭିନ୍ନ ବୈଜ୍ଞାନିକ ଅଧ୍ୟୟନରୁ ଜଣାଯାଇଛି। ତେବେ ଆଗକୁ ଚାଲିବା ଅପେକ୍ଷା ପଛୁଆ ଚାଲି ବା ଓଲଟା ଚାଲିରୁ ଆହୁରି ଅଧିକ ଉପକାର ମିଳେ ବୋଲି ବିଭିନ୍ନ ଗବେଷଣାରୁ ଜଣାଯାଇଛି। ପଛୁଆ ଚାଲିରେ କାଫ୍‌, ହାମ୍‌ଷ୍ଟ୍ରିଙ୍ଗ ଓ କ୍ବାଡ୍ରିସେପ୍‌ସ ପରି ମାଂସପେଶୀଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଥା’ନ୍ତି। ଆଗୁଆ ଚାଲିରେ ଶିଥିଳ ହୋଇପଡ଼ିଥିବା ମାଂସପେଶୀଗୁଡ଼ିକ ଏଥିରେ ଅଧିକ ସକ୍ରିୟ ହୋଇପଡ଼ନ୍ତି। ଦ୍ରୁତ ଆଗୁଆ ଚାଲି ତୁଳନାରେ ଘଣ୍ଟାକୁ ସାଢ଼େ ୩ ମାଇଲ୍‌ ବେଗରେ ପଛୁଆ ଚାଲିବା ଦ୍ବାରା ୪୦ ପ୍ରତିଶତ ଅଧିକ କ୍ୟାଲୋରି ସରିଥାଏ। ଏହା ରକ୍ତ ସଂଚାଳନକୁ ଅଧିକ ସକ୍ରିୟ କରୁଥିବାରୁ ଏହାଦ୍ବାରା ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ସକ୍ରିୟ ତଥା ସୁସ୍ଥ ରହିଥାଏ। ଓଲଟା ଚାଲିରେ ଆଣ୍ଠୁ ଉପରେ କମ୍‌ ଚାପ ପଡୁଥିବାରୁ ଏହା ଆଣ୍ଠୁ ଯନ୍ତ୍ରଣା କମାଇବା ସହ ଗୋଇଠି, ଆଣ୍ଠୁ ଓ ଅଣ୍ଟା ଆଦି ଖଞ୍ଜାଗୁଡ଼ିକର ନମନୀୟତାକୁ ଉନ୍ନତ କରିଥାଏ। ସେହିପରି ଏହା ମସ୍ତିଷ୍କର କିଛି ଅଂଶକୁ ନିୟୋଜିତ କରି ମାନସିକ ଚାପ କମାଇଥାଏ ଏବଂ ମନରେ ଶାନ୍ତ ଭାବନା ଉଦ୍ରେକ ହୁଏ।

ସମ୍ବନ୍ଧିତ ଖବର