ଭେଟ ମଣ୍ଡପ

ସୁନୀଲ ରଥ

ବୈଦିକ ବାକ୍ୟରେ ଉଲ୍ଲେଖ ଅଛି, ‘ଲୋକବତୁ ଲୀଳା କୈବଲ୍ୟମ୍‌’। ମହାପ୍ରଭୁ ସାଧାରଣ ମାନବ ସମାଜର ମଙ୍ଗଳ ପାଇଁ ଏହି ଧରାଧାମରେ ଅବତରଣ କରି ଲୋକମାନଙ୍କ ପରି ମାନବୀୟ ଲୀଳା କରିଥାନ୍ତି। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ରେ ମଧ୍ୟ ଉଲ୍ଲେଖ ଅଛି, ସ୍ୱୟଂ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଦାରବତନୁ ଧାରଣ କରି ମାନବ ଲୀଳାର ପରିପ୍ରକାଶ ପାଇଁ ପରମପାବନ ଶ୍ରୀପୁରୁଷୋତ୍ତମକ୍ଷେତ୍ରରେ ବିରାଜମାନ କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ, ଯେ କଳିଯୁଗରେ ଜଗତବାସୀଙ୍କୁ ତ୍ରିତାପରୁ ଉଦ୍ଧାର କରିବାପାଇଁ ମହାପ୍ରଭୁ ସ୍ୱୟଂ ଆବିର୍ଭୂତ ହୋଇ ବାରମାସରେ ତେରଯାତ୍ରା ସହ ଶତାଧିକ ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ନିଜର ଲୀଳା ଖେଳା ପ୍ରକଟ କରୁଛନ୍ତି। ବିଭିନ୍ନ ଶାସ୍ତ୍ରମାନଙ୍କର ସୂଚନା ଅନୁସାରେ, ମହାପ୍ରଭୁଙ୍କର ମାନବୀୟ ଲୀଳା ଦର୍ଶନ କରିବାପାଇଁ ସ୍ୱର୍ଗର ଦେବତାମାନେ ମଧ୍ୟ ଶ୍ରୀକ୍ଷେତ୍ରକୁ ଆଗମନ କରିଥାନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏ ସମସ୍ତ ଲୀଳା ବର୍ଷର ବିଭିନ୍ନ ସମୟରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ରହିଥିବା ମଣ୍ଡପମାନଙ୍କରେ ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପମାନଙ୍କ ମଧ୍ୟରୁ ‘ନୀଳାଦ୍ରି ମଣ୍ଡପ’ ଉପରେ ଅବସ୍ଥାନ କରି ସେ ଏହି ଲୀଳା ଖେଳା କରିଥାନ୍ତି। ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମୁଖ୍ୟ ଶ୍ରୀଗୁଣ୍ଡିଚା ଯାତ୍ରାର ବିଭିନ୍ନ ପର୍ଯ୍ୟାୟ ମଧ୍ୟ ଭିନ୍ନଭିନ୍ନ ମଣ୍ଡପଠାରେ ଅନୁଷ୍ଠିତ ହୋଇଥାଏ। ସେଗୁଡ଼ିକ ହେଲା- ସ୍ନାନମଣ୍ଡପ, ଆଡ଼ପ ମଣ୍ଡପ, ଚାହାଣି ମଣ୍ଡପ ଓ ଭେଟ ମଣ୍ଡପ।

ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ ସ୍ନାନମଣ୍ଡପରୁ ଆରମ୍ଭ ହୋଇ ଅନ୍ତିମ ପର୍ଯ୍ୟାୟ ଭେଟମଣ୍ଡପରେ ସମାହିତ ହୋଇଥାଏ। ଏହି ଭେଟମଣ୍ଡପ ଉପରେ ରହି ନୀଳାଦ୍ରିବିଜେ ସମୟରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥରେ ଥିବା ଶ୍ରୀଜଗନ୍ନାଥଙ୍କୁ ଭେଟ କରିଥାନ୍ତି। ସେହି ଭେଟ ସମୟରେ ଦେବୀ ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କର ଚାରିଚକ୍ଷୁର ମିଳନ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରାର ନବଦିନାତ୍ମକ ବିରହ ଯନ୍ତ୍ରଣାରେ ଜର୍ଜର ହେବା ପରେ, ବାହୁଡ଼ାଯାତ୍ରା ଦିନ ଶ୍ରୀନଅରଠାରେ ହୋଇଥାଏ ପ୍ରଥମ ଲକ୍ଷ୍ମୀ-ନାରାୟଣ ଭେଟ। ତାହା ପରେ ‘ନୀଳାଦ୍ରି ବିଜୟ’ ଦିନ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଏହି ମଣ୍ଡପ ଉପରେ ଦର୍ଶନକରି ବନ୍ଦାପନା କରିଥାନ୍ତି। ଅପରପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପହଣ୍ଡି ପାଇଁ ବାହାରି, ଚାରମାଳ ଉପରେ ବିଜେ ହେବା ସମୟରେ, ମହାଲକ୍ଷ୍ମୀଙ୍କ ପ୍ରତି ପ୍ରେମଦୃଷ୍ଟି ନିକ୍ଷେପ କରିଥାନ୍ତି। ଆମ ସାମାଜିକ ଚଳଣିରେ ରହିଥିବା ଦାମ୍ପତ୍ୟ ମିଳନର ଏହି ମନୋରମ ଦୃଶ୍ୟ ଅଗଣିତ ଭକ୍ତ ସିଂହଦ୍ୱାରଠାରେ ଉପସ୍ଥିତ ରହି ଦର୍ଶନ କରିବା ସହ ନିଜର ମନ ଓ ହୃଦୟକୁ ପରିତୃପ୍ତ କରିଥାନ୍ତି।

ବାହୁଡ଼ାଯାତ୍ରାରେ ଆସି, ତିନିରଥ ସିଂହଦ୍ୱାର ଠାରେ ଅବସ୍ଥାନ କରିବା ପରେ, ଏକାଦଶୀ ଦିନ ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ତା’ ପରଦିନ, ଅର୍ଥାତ୍ ଦ୍ୱାଦଶୀ ଦିନ ଅନୁଷ୍ଠିତ ହୁଏ ଅଧରପଣା ନୀତି। ଅବଶ୍ୟ ଶାସ୍ତ୍ରୀୟ ବ୍ୟବସ୍ଥା ଅନୁସାରେ ଏହି ଅଧରପଣା ନୀତି ଏକାଦଶୀ ଦିନ ହେବା କଥା; କିନ୍ତୁ ଏହା ଅନେକ ବର୍ଷ ହେଲା ଦ୍ୱାଦଶୀ ତିଥିରେ ହେଉଛି। ପାରମ୍ପରିକ ପ୍ରଥାନୁସାରେ ଅଧରପଣା ନୀତିର ପରଦିନ, ଅର୍ଥାତ୍ ତ୍ରୟୋଦଶୀ ଦିନ, ମହାପ୍ରଭୁ ନୀଳାଦ୍ରିବିଜେ କରନ୍ତି; ଯଦିଓ ଶାସ୍ତ୍ରରେ ଏହା ଦ୍ୱାଦଶୀ ଦିନ ହେବା କଥା ବୋଲି ଉଲ୍ଲେଖ ରହିଛି। କିନ୍ତୁ ଦୀର୍ଘବର୍ଷ ଧରି ଏହା ତ୍ରୟୋଦଶୀ ଦିନ ଅନୁଷ୍ଠିତ ହୋଇ ଆସୁଛି।

ନୀଳାଦ୍ରିବିଜେ ଦିନ, ସନ୍ଧ୍ୟାଧୂପର ନୀତି ସରିବା ପରେ, ରଥମାନଙ୍କରେ ଚାରମାଳ ବନ୍ଧାହୁଏ। ତା’ପରେ ବିଜେ କାହାଳୀ ବାଜିବା ସହ ବନ୍ଦାପନା ଓ ଡୋରଲାଗି ନୀତି ଅନୁଷ୍ଠିତ ହୁଏ। ଏହାପରେ ମହାଜନ ସେବକଙ୍କ ଦ୍ୱାରା ମଦନମୋହନ ଓ ରାମକୃଷ୍ଣ ଦକ୍ଷିଣି ଘରକୁ ବିଜେ ହେବା ପରେ, ଗୋଟି ପହଣ୍ଡି କ୍ରମରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡି ହୋଇ ଯାଇ ରତ୍ନସିଂହାସନରେ ବସନ୍ତି। ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ ହୋଇ ଚାରମାଳ ଉପରକୁ ଆସିଥାନ୍ତି। ଏହି ସମୟରେ ଭଣ୍ଡାର ଘର ଦ୍ୱାରଠାରେ ଲକ୍ଷ୍ମୀଠାକୁରାଣୀଙ୍କର ବନକ ଲାଗି କରାଇ, ପାଟବସ୍ତ୍ର ତଥା ବିଭିନ୍ନ ପୁଷ୍ପ ଅଳଙ୍କାରରେ ତାଙ୍କୁ ବିମଣ୍ଡିତ କରାଇ, ମହାଜନ ସେବକମାନେ ସାତପାହାଚ ପର୍ଯ୍ୟନ୍ତ ତାଙ୍କୁ ହାତରେ ବିଜେ କରାଇ ଆଣି, ସେଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ଠାକୁରାଣୀ ପଟୁଆରରେ ରୂପାବେଣ୍ଟ ଲଗା ନାଲିରଙ୍ଗର ଓଲାର (ଓଲଟ ଛତ୍ର), ବଜୟନ୍ତ୍ରୀ, କାହାଳୀ, ଚକ୍ରଦିହୁଡ଼ି, ମଶାଲ ଦିହୁଡ଼ି ଆଦି ସହ ଯାତ୍ରା କରିଥାନ୍ତି। ସାତ ପାହାଚଠାରୁ ବାହାରି, ରୋଷଘର ପରିସର ଦେଇ, ସିଂହଦ୍ୱାରର ଦକ୍ଷିଣ ପଟକୁ ଥିବା ପୂର୍ବାଭିମୁଖୀ ଭେଟ ମଣ୍ଡପଠାରେ ଲକ୍ଷ୍ମୀଦେବୀ ବିଜେ ହୁଅନ୍ତି। ଭେଟମଣ୍ଡପଠାରେ ତ୍ରୈଲୋକ୍ୟେଶ୍ୱରୀ ମା ମହାଲକ୍ଷ୍ମୀ ଡମ୍ବରୁ ଉପରେ ବିଜେ ହେବା ପରେ, ଅଖିଳ ବ୍ରହ୍ମାଣ୍ଡର ନାୟକ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ତାଙ୍କର ଦୃଷ୍ଟି ବିନିମୟ ଘଟେ।

ଭେଟମଣ୍ଡପରେ ଥିବା ମହାଲକ୍ଷ୍ମୀଙ୍କ ସହ ନନ୍ଦିଘୋଷରେ ଥିବା ଶ୍ରୀଜଗନ୍ନାଥଙ୍କର ଏହି ଭେଟ ଅବସରରେ, ପତି ମହାପାତ୍ର ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ ଅକ୍ଷତ ବନ୍ଦାପନା କରିବା ସହ, କର୍ପୂର ଆଳତି, ନୈବେଦ୍ୟ ସମର୍ପଣ ଓ ବନ୍ଦାପନା କରିଥାନ୍ତି। ଠିକ୍ ସେହି ସମୟରେ ଲକ୍ଷ୍ମୀଠାକୁରାଣୀଙ୍କ ନିକଟରେ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିବା ସହିତ ନୈବେଦ୍ୟ ଭାବରେ ରସଗୋଲା ସମର୍ପଣ କରିଥାନ୍ତି।

ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚାଯାତ୍ରାଜନିତ ବିରହବେଦନା ଜର୍ଜରିତା ଲକ୍ଷ୍ମୀ ଠାକୁରାଣୀ, ଏହି ମଣ୍ଡପ ଉପରେ ରହି ଶ୍ରୀଜଗନ୍ନାଥଙ୍କୁ ଭେଟିବା ସହିତ ବନ୍ଦାପନାର ସୁଯୋଗ ପାଉଥିବାରୁ ଏହି ମଣ୍ଡପର ନାମ ‘ଭେଟମଣ୍ଡପ’ ହୋଇଛି।
ଏହି ଭେଟଦୃଶ୍ୟର ଅବଲୋକନ କରି ‘ଗୁଣ୍ଡିଚା ବିଜୟ’ କାବ୍ୟରେ କେଶବ ପଟ୍ଟନାୟକ ଲେଖିଛନ୍ତି-
“ଚାହିଁଲେ ମାୟେ ଭେଟ ମଣ୍ଡପେ ଉଠି
କଳାବଦନଠାରେ ଦେଇଣ ଦୃଷ୍ଟି।”

ଲକ୍ଷ୍ମୀଠାକୁରାଣୀ ଓ ଶ୍ରୀଜଗନ୍ନାଥଙ୍କର ଏହି ଭେଟ ଓ ବନ୍ଦାପନା କାଳରେ, ହରିବୋଲ ହୁଳହୁଳି, ନାନା ବାଦ୍ୟ, ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନରେ ବଡ଼ଦାଣ୍ଡ ଓ ସିଂହଦ୍ୱାର ଉଚ୍ଛୁଳି ଉଠେ। ଶାସ୍ତ୍ରୀୟ ମାନ୍ୟତା ଅଛି ଯେ ଏ ଦୃଶ୍ୟକୁ ଭକ୍ତିଭାବରେ ଦର୍ଶନ କରୁଥିବା ବ୍ୟକ୍ତିର ସକଳ ମନୋକାମନା ପୂର୍ଣ୍ଣ ହୋଇଥାଏ।

ଏହା ପରେ ହୋଇଥାଏ ଶ୍ରୀଜଗନ୍ନାଥଙ୍କର ନୀଳାଦ୍ରି ବିଜେ।

ମୋ: ୯୪୩୭୨ ୫୧୩୨୮

ସମ୍ବନ୍ଧିତ ଖବର