ଭୁବନେଶ୍ୱର : ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ସମିତିର ପରିସଂଖ୍ୟାନକୁ ବିଶ୍ୱାସ କରାଗଲେ ନବେ ଦଶନ୍ଧିରେ ଯେତିକି ହାତୀ ମୃତ୍ୟୁ ବରଣ କରୁଥିଲେ, ୨୦୧୦ରୁ ୨୦୧୭ ମଧ୍ୟରେ ତାର ଦୁଇଗୁଣରୁ ଅଧିକ ହାତୀ ପ୍ରାଣ ହରାଇଛନ୍ତି। ଗତ ଦଶନ୍ଧି ତୁଳନାରେ ବି ଏହି ୭ବର୍ଷ ମଧ୍ୟରେ ପାଖାପାଖି ୨୮ଟି ହାତୀ ଅଧିକ ମରିଛନ୍ତି। ହାତୀ ସଂଖ୍ୟା ସେହି ଅନୁପାତରେ କମିନି, କାରଣ ଜନ୍ମହାର ଏହା ତୁଳନାରେ ସାମାନ୍ୟ ଅଧିକ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରିସଂଖ୍ୟାନ କହୁଛି, ୧୯୯୦ରୁ ୨୦୦୦ ମଧ୍ୟରେ ୩୩ ହାତୀ ମରିଥିଲେ, ୨୦୦୦ରୁ ୨୦୧୦ ମାର୍ଚ୍ଚ ମଧ୍ୟରେ ୪୬ ଓ ଏପ୍ରିଲ ୨୦୧୦ରୁ ଡିସେମ୍ବର ୨୦୧୭ ମଧ୍ୟରେ ୭୪ ପ୍ରାଣ ହରାଇଛନ୍ତି। କିନ୍ତୁ ମୃତ୍ୟୁର କାରଣକୁ ପର୍ଯ୍ୟାଲୋଚନା କଲେ ସରକାରଙ୍କ ଉଦାସୀନ ମନୋଭାବ, ବେଫିକର ପଣ, ଯୋଜନା କାର୍ଯ୍ୟାନ୍ଵୟନରେ ଥିବା ତ୍ରୁଟି ସାମ୍ନାକୁ ଆସୁଛି।
କାରଣ, ୨୦୧୦ ଏପ୍ରିଲରୁ ୨୦୧୭ ଡିସେମ୍ବର ୧୦ ତାରିଖ ଅର୍ଥାତ୍ ଗତ ୭ବର୍ଷ ୮ମାସ ମଧ୍ୟରେ ଯେଉଁ ୫୭୦ ହାତୀ ପ୍ରାଣ ହରାଇଛନ୍ତି, ସେ ମଧ୍ୟରୁ ରୋଗ, ପ୍ରାକୃତିକ କାରଣ, ଆପୋସ ଲଢେଇ, ଦୁର୍ଘଟଣାରେ ୨୬୩ଟିର ମୃତ୍ୟୁ ହୋଇଛି। ୬୬ଜଣଙ୍କୁ ଶିକାର କରାଯାଇଛି, ୨୬ଜଣ ବିଷକ୍ରିୟା ଯୋଗୁଁ ମରିଛନ୍ତି,୫୨ ଜଣଙ୍କୁ ବିଦ୍ୟୁତ ଆଘାତ ଦିଆଯାଇଥିଲା, ୩୩ ଜଣ ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ୧୭ଟି ରେଳଦୁର୍ଘଟଣାରେ ଓ ୭ଟି ଖୋଲା କୂଅରେ ପଡ଼ି ପ୍ରାଣ ହରାଇଛନ୍ତି।
ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନାହିଁ
ହାତୀ ସ୍କ୍ଵାର୍ଡ ଓ ଓ୍ଵାଚରଙ୍କ ପିଛା ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଏତେସବୁ ବିଫଳତା ପାଇଁ ବିଭାଗ କାହାକୁ ଦାୟୀ କରିନାହିଁ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ସେମିତି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ବି ନେଇନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି, ଝୁଲନ୍ତା ତାର ଲାଗି ହାତୀ ମୃତ୍ୟୁ ଘଟଣା ସଂପର୍କରେ ଗତ ୧୦ବର୍ଷ ହେଲାଣି ତନାଘନା ଚାଲିଛି। ଜଙ୍ଗଲ ବିଭାଗ ତାଗିଦ୍ କରୁଛି, ଶକ୍ତି ବିଭାଗ କାନଡ଼େରି ସେସବୁ ଶୁଣି ପାଳନ କରିବ ବୋଲି ପ୍ରତିଶ୍ରୁତି ଦେଉଛି। କିନ୍ତୁ ଦିନକୁ ଦିନ ସ୍ଥିତି ଅଧିକ ଗମ୍ଭୀର ହେଉଛି ସିନା ସୁଧାର ଆସୁନାହିଁ। ବିଶେଷକରି ବିଦ୍ୟୁତ ବଣ୍ଟନ କଂପାନିଙ୍କ ମନମାନି, ଜଙ୍ଗଲ ବିଭାଗ ଅଧିକାରୀଙ୍କ ବେପରୁଆ ମନୋଭାବକୁ ଏଭଳି ମୃତ୍ୟୁ ପାଇଁ ମୁଖ୍ୟତଃ ଦାୟୀ କରାଯାଉଛି।
୧୦୪ ହାତୀ କାହିଁକି ମଲେ ସରକାର ଜାଣନ୍ତିନି
ଉଦ୍ବେଗଜନକ ଦିଗଟି ହେଲା, ୧୦୪ଟି ହାତୀ କାହିଁକି ପ୍ରାଣ ହରାଇଲେ, ସେକଥା କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି। ଜଙ୍ଗଲ ବିଭାଗର ଅଧିକାରୀ ଓ ଗୁଇନ୍ଦା ବ୍ୟବସ୍ଥାର ପାରଦର୍ଶିତା ଏତେ ଯେ ଗତ ଅଢେଇ ବର୍ଷ ଭିତରେ ୭୨ଟି ହାତୀ ଶବ ଚିହ୍ନଟ କରିବା ବେଳକୁ ପଚିଯାଇଥିଲା। ଏଣୁ ନିୟମିତ ବ୍ୟବଚ୍ଛେଦ ହୋଇପାରିନାହିଁ। ୬ଟି ଶବ ଦୀର୍ଘ ଦୁଇମାସ ପରେ ଚିହ୍ନଟ ହୋଇଛି।