ସାମ୍ପ୍ରଦାୟିକ ସଦଭାବନାର ଭିନ୍ନ ଉଦାହରଣ: ନିଜ ପଗଡ଼ି ପିନ୍ଧାଇ ୭୦ଜଣ ମୁସଲମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ ଶିଖ୍ ବାପା-ପୁଅ

ନୂଆଦିଲ୍ଲୀ: ଫେବ୍ରୁଆରି ୨୩ରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ  ୩ଦିନ ମଧ୍ୟରେ ପ୍ରାୟ ୪୨ଜଣ ପ୍ରାଣ ହରାଇଥିଲେ। ତେବେ ସିଏଏକୁ ନେଇ ଆରମ୍ଭ ହୋଇଥିବା ହିଂସା ଧିରେ ଧିରେ ଧାର୍ମିକ କଳହରେ ପରିଣତ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଥିବା ଏକ ଘଟଣା ସାମ୍ପ୍ରଦାୟିକ ସଦଭାବନାର ଏକ ଭିନ୍ନ ଉଦାହରଣ ତିଆରି କରିଛି। ଯେଉଁଠି ଧର୍ମକୁ ନେଇ ଲୋକ ପରସ୍ପର ସହ ଲଢ଼େଇ କରୁଥିଲେ ସେହି ସମୟରେ ଜଣେ ଶିଖ୍ ବାପ-ପୁଅ ୭୦ଜଣ ମୁସଲିମଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରୁଥିଲେ ବୋଲି ସାମ୍ନାକୁ ଆସିଛି। ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ହିଂସା ସମୟରେ ସେମାନେ ପ୍ରାୟ ୭୦ଜଣ ମୁସଲମାନଙ୍କୁ ଉଦ୍ଧାର କରିଥିବା କହିଛନ୍ତି।

ଶନିବାର ପୂରା ଘଟଣା ବିଷୟରେ ଜଣାଇ ମୋହିନ୍ଦର ସିଂହ କହିଥିଲେ,”ହିଂସା ସମୟରେ ମୁଁ ଏବଂ ମୋ ପୁଅ ପ୍ରାୟ ୬୦ରୁ ୭୦ ମୁସଲମାନଙ୍କୁ ସ୍ଥାନାନ୍ତର କରିଥିଲୁ। ମୁଁ ମୋର ସ୍କୁଟରରେ ଏବଂ ମୋ ପୁଅ ତାଙ୍କ ବୁଲେଟରେ ମୁସଲମାନ ଭାଇମାନଙ୍କୁ ସ୍ଥାନାନ୍ତର କରିଥିଲେ। ଆମେ ଗୋକୁଲପୁରୀରୁ କରଡାମପୁରୀ ଅଞ୍ଚଳକୁ ପ୍ରାୟ ୨୦ଥର ଯିବା ଆସିବା କରି ସେମାନଙ୍କୁ ସ୍ଥାନାନ୍ତର କରିଥିଲୁ।

Delhi violence
timesnownews.com

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ୧୯୮୪ ଶିଖ ବିରୋଧୀ ହିଂସାର ସାକ୍ଷୀ ରହିଥିଲି। ଦିଲ୍ଲୀ ହିଂସା ମୋତେ ସେ ହିଂସା କଥା ମନେ ପକାଇ ଦେଇଥିଲା। ସେମାନଙ୍କ ଭୟଭୀତ ଅବସ୍ଥା ଦେଖି ଆମେ ସେମାନଙ୍କୁ ଆମର ପଗଡ଼ି ଦେବା ସହ ନକଲି ଦାଢ଼ି ପିନ୍ଧାଇଥିଲୁ। ଯାହା ପାଇଁ ସେମାନେ ମୁସଲମାନ ବୋଲି କେହି ଜାଣି ପାରି ନଥିଲେ। ସେଠାରେ ମହିଳା ଏବଂ ଶିଶୁ ଥିଲେ, ଯେଉଁମାନଙ୍କୁ ଆମେ ପ୍ରଥମେ ବାହାରକୁ ନେଇଥିଲୁ।  ଆମେ କେବଳ ମାନବିକତା ପାଇଁ ଏହା କରିଥିଲୁ ବୋଲି ସେ କହିଛନ୍ତି।”

ସମ୍ବନ୍ଧିତ ଖବର