ଜନନୀ… ଭଗିନୀ…ଜାୟା

୧୯୭୫ରୁ ‘ଜାତି ସଂଘ’ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ‌୍‌ ୮ ତାରିଖରେ ପାଳନ କରାଯାଉଛି ‘ଅନ୍ତର୍ଜାତୀୟ ମହିଳା ଦିବସ’। ଏହା ନାରୀ ଅଧିକାର ସ˚ପର୍କିତ ଦିବସ। ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କର ରାଜନୀତିକ, ସାମାଜିକ ଏବ˚ ଆର୍ଥିକ ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବାଇଗଣୀ ରିବନ୍‌ ଏହି ଦିନର ପ୍ରତୀକ। ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଧିକାର ପାଇବା ପାଇଁ ବହୁ ଦିନରୁ ସ˚ଘର୍ଷରତ। ଇଉରୋପ୍‌ରେ ଊନବି˚ଶ ଶତାବ୍ଦୀର ଆଦ୍ୟ ଭାଗ ପର୍ଯ୍ୟନ୍ତ ମହିଳାମାନେ ଦ୍ବିତୀୟ ଶ୍ରେଣୀର ନାଗରିକ ଭାବେ ଗଣାଯାଉଥିଲେ। ସ୍ବାଧୀନ ମତ ପୋଷଣ ବା ଭୋଟ୍‌ ଦେବାର ଅଧିକାର ନ ଥିଲା। ଏପରିକି ଗ୍ରେଟ୍‌ ବ୍ରିଟେନ୍‌ ଭଳି ରାଷ୍ଟ୍ରରେ ମଧୢ ମହିଳାଙ୍କ ଶିକ୍ଷା ଅନେକ ପରିମାଣରେ ସୀମିତ ଥିଲା। ୧୭୯୨ରେ ମେରି ଉଲ୍‌ଷ୍ଟୋନ୍‌କ୍ରାଫ୍‌ଟ ପୁରୁଷ ଓ ମହିଳାଙ୍କର ସମାନ ଅଧିକାର ପ୍ରସଙ୍ଗରେ ଲେଖିଥିଲେ-‘ଏ ଭିଣ୍ତିକେସନ୍‌ ଅଫ୍‌ ଦ ରାଇଟ୍‌ସ ଅଫ୍‌ ଵିମେନ୍‌’। ତାହା ପରେ ପୁରୁଷଙ୍କ ସହ ସମାନ ଅଧିକାର ପାଇବା ପାଇଁ ରସିଆ, ଜର୍ମାନି, ସ୍ପେନ୍‌ ଆଦିରେ ମହିଳାମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଅଫଗାନିସ୍ତାନ, ଆଙ୍ଗୋଲା, ଆର୍ମେନିଆ, କ୍ୟୁବା, ଜର୍ଜିଆ, ମଙ୍ଗୋଲିଆ, ରସିଆ, ଭିଏତନାମ, ଜାମ୍ବିୟା, ବେଲାରସ୍‌, କାମ୍ବୋଡିଆ, ଲାଓସ, ଏରିଟ୍ରିଆ, ବର୍କିନା ଫାସୋ, କାଜାଖସ୍ତାନ, କିରଗିଜସ୍ତାନ, ତାଜାକିସ୍ତାନ, ମୋଲଡୋଭା, ଉଜବେକିସ୍ତାନ, ତୁର୍କମେନିସ୍ତାନ ଆଦି ଦେଶରେ ଏହା ସରକାରୀ ଛୁଟି ଦିବସ। ଚାଇନା, ନେପାଲ, ମାଡାଗାସ୍କାର ଓ ମେସିଡୋନିଆରେ କେବଳ ମହିଳାଙ୍କ ପାଇଁ ସରକାରୀ ଛୁଟି ଦିବସ। ଏହାକୁ ବାର୍ତ୍ତା ତଥା ବିଷୟ ଭିତ୍ତିକ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା: ସମାନ ଭାବନ୍ତୁ, ସ୍ମାର୍ଟ‌୍‌ ବନାନ୍ତୁ, ପରିବର୍ତ୍ତନ ପାଇଁ ନୂଆ କିଛି କରନ୍ତୁ।

ଜଣା-ଅଜଣା

ମିଳିତ ଜାତିସ˚ଘର ତଥ୍ୟ ଅନୁସାରେ, ୨୦୧୯ ଜାନୁଆରି ସୁଦ୍ଧା ବିଶ୍ବର ଏଗାରଟି ଦେଶର ରାଷ୍ଟ୍ରମୁଖ୍ୟ ଭାବେ ମହିଳା କାର୍ଯ୍ୟରତ ଏବ˚ ଦଶଟି ଦେଶର ମହିଳା ସରକାରୀ ମୁଖ୍ୟ ପଦବୀରେ ଆସୀନ।

ସାରା ବିଶ୍ବରେ ମୋଟ ପାର୍ଲାମେଣ୍ଟ ସଦସ୍ୟ ସ˚ଖ୍ୟାର ୨୪ ଶତା˚ଶ ମହିଳା। ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ରାୱାଣ୍ତାରେ ମହିଳା ସା˚ସଦଙ୍କ ସ˚ଖ୍ୟା ବିଶ୍ବରେ ସର୍ବାଧିକ; ନିମ୍ନ ସଦନରେ ଏମାନଙ୍କ ସ˚ଖ୍ୟା ୬୧.୩ ଶତା˚ଶ। ଭାରତୀୟ ସ˚ସଦରେ ମହିଳା ପ୍ରତିନିଧିଙ୍କ ସ˚ଖ୍ୟା ୧୧ ଶତା˚ଶ।

ପ୍ରାୟ ସବୁ ଦେଶର ମହିଳାମାନେ ପୁରୁଷଙ୍କଠାରୁ ଅଧିକ ସମୟ କାମକରନ୍ତି, କିନ୍ତୁ ସେମାନଙ୍କୁ କମ୍‌ ଦରମା ମିଳେ।

ପ୍ରତି ବର୍ଷ ପ୍ରସବଜନିତ ଜଟିଳତା କାରଣରୁ ତିନି ଲକ୍ଷ ମହିଳାଙ୍କ ମୃତ୍ୟୁ ଘଟେ। ଶିକ୍ଷାର ଅଭାବ ଏବ˚ ସ୍ବାସ୍ଥ୍ୟ ସୁରକ୍ଷା ବାବଦରେ ଅସଚେତନତା ଏହାର ମୁଖ୍ୟ କାରଣ।

ମିଳିତ ଜାତିସ˚ଘ ପକ୍ଷରୁ ପ୍ରକାଶିତ ବିଶ୍ବ ଜନଗଣନା ରିପୋର୍ଟ‌୍‌-୨୦୧୮ ଅନୁସାରେ, ତେୟାଳିଶଟି ଦେଶର ମହିଳାମାନେ ଚାରି କି˚ବା ଅଧିକ ସନ୍ତାନର ଜନନୀ, ତନ୍ମଧୢରୁ କେବଳ ଆଫ୍ରିକାର ଅଠତିରିଶ ଦେଶ ଅନ୍ତର୍ଭୁକ୍ତ।

ବିଶ୍ବର ଅଧା ଖାଦ୍ୟ କେବଳ ମହିଳାଙ୍କ ଦ୍ବାରା ଉତ୍ପାଦିତ ହେଉଥିବାବେଳେ ଖେତର ମାଲିକାନା ସ୍ବତ୍ବ ଥାଏ ମାତ୍ର ଏକ ପ୍ରତିଶତ ମହିଳାଙ୍କ ନାଁରେ।

ପ୍ରତିଦିନ ବସ୍ତ୍ର ଚୟନ ବାବଦରେ ନିଷ୍ପତ୍ତି ନେବାକୁ ଯାଇ ମହିଳାମାନେ ନିଜର ଜୀବନକାଳ ମଧୢରୁ ଗୋଟିଏ ବର୍ଷ ନଷ୍ଟ କରିଦିଅନ୍ତି।

୧୮୯୩ରେ ନିଉଜିଲାଣ୍ତ୍‌ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ସାର୍ବଜନୀନ ମତଦାନ ପ୍ରକ୍ରିୟାରେ ମହିଳାମାନଙ୍କୁ ସାମିଲ କରିଥିଲା।

ସମ୍ବନ୍ଧିତ ଖବର