ମାଓ ଦମନ ଅଭିଯାନରେ ଆଇପିଏସ ଦମ୍ପତି! ଏହି ଦମ୍ପତିଙ୍କ ନାଁ ଶୁଣିଲେ ଏବେ ଥରି ଉଠୁଛି ଲାଲବାହିନୀ

ଝାଡ଼ଖଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି ମାଓହିଂସା। କେଉଁଠି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ସୁରକ୍ଷା ବାହିନୀକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ମାଓବାଦୀ ତ ଅନ୍ୟ କେଉଁଠି ସୁରକ୍ଷା ବାହିନୀ ଓ ଲାଲବାହିନୀ ମଧ୍ୟରେ ଘଟୁଛି ଗୁଳି ବିନିମୟ। ଗୋଟିଏ ପଟେ ସୀମାରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଅପରେସନ ଅଲଆଉଟ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା। ଅନ୍ୟପଟେ ଦେଶର ଆଭ୍ୟନ୍ତରୀଣ ଶତ୍ରୁ ତଥା ଲାଲବାହିନୀକୁ ସଫା କରିବାକୁ ପଣ କରିଛନ୍ତି ସୁରକ୍ଷା ବାହିନୀ।

ପାହାଡ଼ ପର୍ବତ ଘେରା ଜଙ୍ଗଲ ମଧ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ମାଓବାଦୀଙ୍କ ଏନକାଉଣ୍ଟର କରୁଛି ପୁଲିସ। ଖାସକରି ଝାଡ଼ଖଣ୍ଡରେ ଏବେ ମାଓ ଦମନ ଅଭିଯାନକୁ ଜୋର କରାଯାଇଛି। ଆଉ ଯାହାର ନେତୃତ୍ୱ ନେଇଛନ୍ତି ଦବଙ୍ଗ ଆଇପିଏସ ଦମ୍ପତି। ଏହି ଆଇପିଏସ ଦମ୍ପତି ଏବେ ନକ୍ସଲଙ୍କ ବିରୋଧରେ ମୃତ୍ୟୁର ଚକ୍ରବ୍ୟୁହ ରଚନା କରୁଛନ୍ତି। ଯାହାଙ୍କ ନାଁ ଶୁଣିଲେ ଏବେ ଥରି ଉଠୁଛନ୍ତି ଲାଲବାହିନୀ। ଠିକ ହିନ୍ଦୀ ଫିଲ୍ମ ଚକ୍ରବ୍ୟୁହର ଆଇପିଏସ ଦମ୍ପତିଙ୍କ ଭଳି ରିୟଲ ଲାଇଫର ଏହି ଆଇପିଏସ ଦମ୍ପତିଙ୍କ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି ମାଓବାଦୀ। ଆଉ ଦବଙ୍ଗ ଆଇପିଏସ ଦମ୍ପତି ହେଉଛନ୍ତି ଲାତେହାର ଜିଲ୍ଲାର ଏସପି ପ୍ରଶାନ୍ତ ଆନନ୍ଦ ଓ ତାଙ୍କ ପତ୍ନୀ ତଥା ଗଡ଼ବା ଜିଲ୍ଲାର ଏସପି ଶିବାନୀ ତିୱାରୀ।

ଲାଲବାହିନୀକୁ ସଫା କରିବାର ସଂକଳ୍ପ ନେଇଛନ୍ତି ଏହି ଆଇପିଏସ ଦମ୍ପତି। ମାଓ ଦମନ ଅଭିଯାନ ସମୟରେ ଜଙ୍ଗଲରେ ଏହି ଦବଙ୍ଗ ଦମ୍ପତି ପାଦ ଦେବା ମାତ୍ରେ ଲାଲବାହିନୀର ହୃତସ୍ପନ୍ଦନ ବଢ଼ି ଯାଇଥାଏ। ଜଙ୍ଗଲ ମଧ୍ୟରେ କଠିନ ପରିସ୍ଥିତିରେ ଏହି ଦମ୍ପତି ମିଳିମିଶି ଏବେ ଲଢ଼ୁଛନ୍ତି। ଯାହା ଅନ୍ୟ ଯବାନମାନଙ୍କର ମନୋବଳ ବଢ଼ାଉଛି। ତିନି ଦିନ ପୂର୍ବେ ମାଓ ଦମନ ପାଇଁ ହୋଇଥିବା ଅଭିଯାନର ନେତୃତ୍ୱ ନେଇଥିଲେ ଏହି ଦମ୍ପତି। ମାଓବାଦୀଙ୍କ ସହ ଗୁଳି ବିନିମୟ ସମୟରେ ୬ ଜଣ ଯବାନ ଶହୀଦ ହୋଇଗଲେ ସତ କିନ୍ତୁ ଅପରେସନ ସମୟରେ ଏହି ଦମ୍ପତିଙ୍କ ସାହସିକତାର ପରିଚୟ ଦେଇ ଅନ୍ୟ ଯବାନଙ୍କ ଜୀବନ ବଞ୍ଚାଇଥିଲେ।

୬ ଜଣ ଯବାନ ଶହୀଦ ହେବା ପରେ ମଧ୍ୟ ଏହି ଦମ୍ପତି ମାଓ ଦମନ ଅଭିଯାନ ଜାରି ରଖି ନିଜର ଅଦ୍ୟମ ସାହସର ପରିଚୟ ଦେଇଛନ୍ତି । ଗତ କିଛି ଦିନ ହେବ ଶିବାନୀ ତିୱାରୀ ନକ୍ସଲଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତି କରୁଥିଲେ। ଏହା ଭିତରେ ବୁଢା ପାହାଡ଼ ଓ ଏହାର ଆଖ ପାଖ ଅଞ୍ଚଳରେ ନକ୍ସଲ ଗତିବିଧି ବଢୁଥିବା ସୂଚନା ପାଇଥିଲେ ଶିବାନୀ। ଆଉ ଏହାପରେ ଲାଲବାହିନୀକୁ ସଫା କରିବାକୁ ଅଭିଯାନ ଆରମ୍ଭ କରିଥିଲେ ଆଇପିଏସ ଦମ୍ପତି। ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲେ। ସ୍ୱାମୀ ପ୍ରଶାନ୍ତ ଆନନ୍ଦ ଝାରଖଣ୍ଡ କ୍ୟାଡ଼ରର ୨୦୧୩ ବ୍ୟାଚର ଆଇପିଏସ ଅଫିସର। ପୂର୍ବ ବର୍ଷ ୨୭ ନଭେମ୍ବରରେ ସେ ଲାତେହାରର ଏସପି ଭାବେ ନିଯୁକ୍ତି ପାଇଥିଲେ। ସେହିଭଳି ତାଙ୍କ ପତ୍ନୀ ଶିବାନୀ ତିୱାରୀ ୨୦୧୧ ବ୍ୟାଚର ବଙ୍ଗାଳ କ୍ୟାଡର ଆଇପିଏସ ଅଫିସର। ପ୍ରଶାନ୍ତଙ୍କୁ ବାହା ହେବା ପରେ ତାଙ୍କୁ ଝାଡ଼ଖଣ୍ଡରେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ସେ ଜାଗୁଆର ଏସପି, ପରେ କାଡ଼େରମା ଏସପି ଓ ଏବେ ଗଡ଼ବା ଏସପି ଭାବେ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର