ଅଦ୍ଭୂତପର୍ବ: କୋନାକି ସୁମୋ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାର ଉତ୍ସବ ଆୟୋଜିତ ହୋଇଥାଏ। ଏ ମଧ୍ୟରୁ କେତେକ ଉତ୍ସବ ଅଦ୍‌ଭୁତ ହୋଇଥିଲେ ମଧ୍ୟ ପରମ୍ପରା ଭାବରେ ଏବେ ମଧ୍ୟ ପାଳିତ ହେଉଛି। ଏଭଳି ଏକ ଅଦ୍ଭୁତ ଉତ୍ସବ ହେଉଛି ଜାପାନର କୋନାକି ସୁମୋ।

କୋନାକି ସୁମୋ ପର୍ବକୁ ନାକିଜୁମୋ ବୋଲି ମଧ୍ୟ କୁହାଯାଏ। କୋନାକି ଅର୍ଥ ହେଉଛି କ୍ରନ୍ଦନ। ନାକିଜୁମୋ କହିଲେ ଲୁହକୁ ବୁଝାଏ। ଏହି ପର୍ବ ଚାରି ଶହ ବର୍ଷ ହେଲାଣି ପାଳିତ ହୋଇଆସୁଛି। ବର୍ଷର ବିଭିନ୍ନ ମାସରେ ଏହା ଜାପାନର ମନ୍ଦିରମାନଙ୍କରେ ଆୟୋଜିତ ହୋଇଥାଏ। ଏଥିରେ ଶିଶୁମାନେ ଭାଗ ନେଇଥାନ୍ତି। ଏପ୍ରିଲ ମାସରେ ଟୋକିଓର ସେନ୍‌ସୋଜି ମନ୍ଦିରରେ ହେଉଥିବା ଏଭଳି ଉତ୍ସବରେ ଶହେରୁ ଅଧିକ ଶିଶୁ ସାମିଲ ହୋଇଥାନ୍ତି। ଫେବ୍ରୁଆରୀ, ସେପ୍ଟେମ୍ବର ଏବଂ ଅକ୍‌ଟୋବର ମାସରେ ଏହି ପର୍ବ ହିରାଦୋର ସାଇକିଓଜି ମନ୍ଦିର, ତୋଚିଗିର କାନୁମା-ସ୍କି ମନ୍ଦିର, ସିମୋସୁ-କୋ ସ୍ଥିତ ୟାମାଜିଓଜି ମନ୍ଦିର ଏବଂ ଓ୍ଵାକାୟାମା ମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

ଏହି ଉତ୍ସବରେ ଦୁଇ ଜଣ ସୁମୋ-ମଲ୍ଲଯୋଦ୍ଧା ରିଙ୍ଗ୍‌ ଭିତରେ ଦୁଇଟି ଶିଶୁଙ୍କୁ ହାତରେ ଧରିଥାନ୍ତି। ଏଥିପାଇଁ ଛୁଆମାନଙ୍କୁ ରଙ୍ଗୀନ ବେଶ ପୋଷାକରେ ମଧ୍ୟ ସଜାଇ ଦିଆଯାଇଥାଏ। ଦେଖାଯାଇଥାଏ, ସେଇ ଦୁଇ ଶିଶୁ ମଧ୍ୟରୁ କିଏ ପ୍ରଥମେ କାନ୍ଦିବ। ଛୁଆମାନଙ୍କୁ କନ୍ଦାଇବା ପାଇଁ ରିଙ୍ଗ୍‌ ମାଷ୍ଟର ଭାବରେ ଜଣେ ପୂଜକ ସେମାନଙ୍କ ଆଡ଼କୁ ଦେଖି ବଡ଼ ପାଟିରେ ବିଭିନ୍ନ କଥା କହିବା ସହିତ ଅଙ୍ଗଭଙ୍ଗୀମାନ କରୁଥାନ୍ତି। ଯେଉଁ ଛୁଆ ପ୍ରଥମେ କାନ୍ଦିଥାଏ ସେ ବିଜୟୀ ଘୋଷିତ ହୁଏ। ଉଭୟ ଛୁଆ ଏକ ସମୟରେ କାନ୍ଦିବା ଆରମ୍ଭ କଲେ ଜୋରରେ କାନ୍ଦିଥିବା ଛୁଆ ବିଜୟୀ ହୋଇଥାଏ। ଏଭଳି ଭାବରେ ଶହ ଶହ ଛୁଆଙ୍କୁ ନେଇ ପ୍ରତିଯୋଗିତା ହୋଇଥାଏ। ଥରକରେ ଦୁଇଟି ଛୁଆ ଭାଗ ନେଇଥାନ୍ତି।

 

ଏହି ପର୍ବ ପାଳନର ମହତ ଉଦ୍ଦେଶ୍ୟ ହେଉଛି, ଶିଶୁମାନେ ସୁସ୍ଥ ଓ ସବଳ ରହିବା ପାଇଁ ପ୍ରାର୍ଥନା କରିବା। ଜାପାନରେ ଗୋଟିଏ ଲୋକକଥା ରହିଛି ‘ନାକୁ କୋ ଓ୍ଵା ସୋଦାସ୍ତୁ’, ଏହାର ଅର୍ଥ ହେଉଛି କାନ୍ଦୁଥିବା ଛୁଆ ଶୀଘ୍ର ବଢ଼ିଥାଏ। ବିଶ୍ୱାସ ରହିଛି ବଡ଼ ପାଟିରେ କାନ୍ଦୁଥିବା ଛୁଆ ଭଗବାନଙ୍କ ଆଶୀର୍ବାଦ ବେଶି ପରିମାଣରେ ପାଇଥାଏ। ମଜା କଥା ହେଉଛି ଜାପାନରେ ଆଉ ଏକ ପ୍ରବାଦ ମଧ୍ୟ ରହିଛି, ‘ନେରୁ କୋ ଓ୍ଵା ସୋଦାସ୍ତୁ’। ଏହାର ମାନେ ହେଉଛି, ଶୋଉଥିବା ଛୁଆ ଶୀଘ୍ର ବଢ଼ିଥାଏ।

ଏହି ପର୍ବରେ ବଡ଼ ବଡ଼ ପହିଲମାନ ମାନଙ୍କ ଥନ୍ତଲ ପେଟ ଓ ଛୋଟ ଛୋଟ ଛୁଆମାନଙ୍କୁ ଦେଖି ଦର୍ଶକ ବେଶ୍‌ ମଜା ନେଇଥାନ୍ତି। ଛୁଆଙ୍କୁ କନ୍ଦାଇବା ପାଇଁ ପୂଜକ ବା ରିଙ୍ଗ୍‌ ମାଷ୍ଟରଙ୍କ ଅଭିନୟ ମଧ୍ୟ ରୋଚକପ୍ରଦ।

ସମ୍ବନ୍ଧିତ ଖବର