ଲେନ୍‌ସବିହୀନ କ୍ୟାମେରା!

ସ୍ମାର୍ଟଫୋନ୍‌ମାନଙ୍କରେ ଖଞ୍ଜାଯାଇଥିବା ଆଧୁନିକ ଶକ୍ତିଶାଳୀ କ୍ୟାମେରା ଯୋଗୁଁ ପାରମ୍ପରିକ କ୍ୟାମେରାର ଚମକ କମି କମି ଆସୁଥବା ବେଳେ ନେଦରଲାଣ୍ଡର ଯନ୍ତ୍ରୀ ଜର୍ନ କର୍ମାନ୍ନ ନିଜର ଉଦ୍ୟମ ବଳରେ ଏକ ଅଭିନବ କ୍ୟାମେରା ଉଦ୍ଭାବନ କରିଛନ୍ତି, ଯାହାର କଳ୍ପନାତୀତ ଚିତ୍ରୋତ୍ତୋଳନ କ୍ଷମତା ଯୋଗୁଁ ଲୋକେ ପୁଣି ଥରେ କ୍ୟାମେରା ଧରିବାକୁ ବାଧ୍ୟ ହେବେ ବୋଲି ଆଶା କରାଯାଉଛି। ‘ପାରାଗ୍ରାଫିକା’ ନାମକ ଏହି କ୍ୟାମେରାର ସ୍ବାତନ୍ତ୍ର୍ୟ ହେଲା ଏଥିରେ କୌଣସି ଲେନ୍‌ସ ଲାଗି ନାହିଁ। ଖାଲି ସେତିକି ନୁହେଁ, ବିନା ଲେନ୍‌ସରେ ମଧ୍ୟ ଏହା ଚକିତ କଲା ଭଳି ଫଟୋ ଉଠାଇପାରୁଛି।

ଲେନ୍‌ସ ସ୍ଥାନରେ ବୁଢ଼ିଆଣି ଆକୃତିର ଏକ ଏରିଏଲ ଏଥିରେ ଲାଗିଛି। ଏହାର ଉପରିଭାଗରେ ତିନିଟି ଘୂରନ୍ତା ସୁଇଚ୍ ରହିଥିବା ବେଳେ କୌଣସି ବସ୍ତୁର ପ୍ରତିବିମ୍ବ ଦେଖିବା ଲାଗି ପଛପାର୍ଶ୍ବରେ ଏକ ସ୍ପର୍ଶ ସମ୍ବେଦନଶୀଳ ପରଦା ରହିଛି। ତେବେ ଏଥିରେ କମ୍ପ୍ୟୁଟର ଭାଷା ‘ପାଇଥନ’ ଭିତ୍ତିକ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ପିଆଇ ୪ ପ୍ରସେସର୍‌ ଉପଯୋଗରେ ଚମତ୍କାର ଫଟୋ ମାନ ଉଠାଯାଇପାରୁଛି। କର୍ମାନ୍ନଙ୍କ ଏହି ଅଦ୍ଭୁତ କ୍ୟାମେରାର ଖୋଳଟିକୁ ଥ୍ରି-ଡି ପ୍ରିଣ୍ଟର ଦ୍ବାରା ପ୍ରସ୍ତୁତ କରାଯାଇଛି। କ୍ୟାମେରାର ନାମରୁ ଏହା ସ୍ପଷ୍ଟ ଯେ କୌଣସି ସ୍ଥାନର ବର୍ଣ୍ଣନା, ଜିପିଏସ୍‌ ତଥ୍ୟ, ପାଗ, ତାପମାତ୍ରା ଆଦିର ସୂଚନା ସମ୍ବଳିତ ଏକ ପାରାଗ୍ରାଫ ଯୋଗାଇଦେଲେ ଏଥିରେ ତାହାର ଏକ ଅବିଶ୍ବସନୀୟ ଫଟୋ ପ୍ରସ୍ତୁତ ହୋଇପାରିବ।

ସମ୍ବନ୍ଧିତ ଖବର