ବିଶ୍ୱ ସୁନ୍ଦରୀଙ୍କ ପରେ ଏବେ ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ: ଏମିତି ଥିଲା ସେହି ଶେଷ ପ୍ରଶ୍ନର ସ୍ୱତନ୍ତ୍ର ଉତ୍ତର!

ନୂଆଦିଲ୍ଲୀ: ନିକଟରେ ‘ବିଶ୍ୱ ସୁନ୍ଦରୀ’ ମାନୁଷୀ ଚିଲ୍ଲର ଦେଇଥିବା ଶେଷ ପ୍ରଶ୍ନର ଉତ୍ତର ସମଗ୍ର ଦେଶରେ ଚହଳ ପକାଇଥିଲା। ପରେ ଏବେ ସେହିପରି ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ(ମିସ୍‌ ୟୁନିଭର୍ସ) ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ। ୨୦୧୭ ମସିହାର ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ବିଭିନ୍ନ ଦେଶରୁ ସମୁଦାୟ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଥିଲେ ଦକ୍ଷିଣ ଆଫ୍ରିକାଙ୍କୁ ପ୍ରତିନିଧିତ୍ୱ କରୁଥିବା ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ, ଜାମାଇକାକୁ ପ୍ରତିନିଧିତ୍ୱ କରୁଥିବା ଦେବିନା ବେନେଟ ଏବଂ କଲମ୍ବିଆକୁ ପ୍ରତିନିଧିତ୍ୱ କରୁଥିବା ଲୌରା ଗୋଞ୍ଜାଲେଜ। ତିନି ଜଣଙ୍କୁ ସମାନ ପ୍ରଶ୍ନ ପଚରା ଯାଇଥିଲା। ସମସ୍ତଙ୍କ ଉତ୍ତର ଥିଲା ଭିନ୍ନ। ମାତ୍ର ଡେମିଙ୍କ ଉତ୍ତର ଥିଲା ଟିକେ ସ୍ୱତନ୍ତ୍ର। ଡେମିଙ୍କ ଉତ୍ତରରେ କରତାଳିରେ କମ୍ପି ଉଠିଥିଲା ମଞ୍ଚ। ଶେଷରେ ସେ ହିଁ ବାଜିମାତ କରିଥିଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ମୁକୁଟ। ଅନ୍ୟ ଦୁଇ ସୁନ୍ଦରୀ ପାଇଥିଲେ ରନର୍ସ ଅପ୍‌ ପୁରସ୍କାର।

ପ୍ରତିଯୋଗୀମାନଙ୍କୁ ଶେଷ ମୁହୂର୍ତ୍ତରେ ପଚରାଅଯାଇଥିବା ପ୍ରଶ୍ନଟି ଥିଲା, ‘ତମ ଭିତରେ ଥିବା ଏମିତି କେଉଁ ଗୁଣ ପାଇଁ ତୁମେ ନିଜେ ଗର୍ବ ଅନୁଭବ କର। ମିସ୍‌ ୟୁନିଭର୍ସ ହେଲା ପରେ ସେ ଗୁଣଟିକୁ କିପରି ଭାବେ ବ୍ୟବହାର କରିବ?’

ଏହାର ଉତ୍ତର ଦେଇ ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ କହିଛନ୍ତି, ‘ଜଣେ ବ୍ୟକ୍ତି ଭିତରେ ସେହି ଆତ୍ମବିଶ୍ୱାସ ରହିବା କଥା ଯେ ନିଜ ଭିତରେ କେଉଁ ସ୍ୱତନ୍ତ୍ରତା ରହିଛି। ଜଣେ ମିସ୍‌ ୟୁନିଭର୍ସ ଅନେକ ଭୟକୁ ଦୂର କରିଥାଏ ଏବଂ ଅନ୍ୟ ମହିଳାମାନଙ୍କର ଭୟ ଦୂର କରିବା ପାଇଁ ମଧ୍ୟ ସେ ପ୍ରେରଣା ପାଲଟିଯାଏ।’

ତେବେ, ଏଥିରୁ ସ୍ପଷ୍ଟ ଯେ ନିଜର ଆତ୍ମବିଶ୍ୱାସକୁ ନେଇ ସୁନ୍ଦରୀ ଡେମି ଗର୍ବ ଅନୁଭବ କରନ୍ତି। ଜଣେ ମହିଳା ମଧ୍ୟରେ ଭୟ ନରହିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଶ୍ୱ ସୁନ୍ଦରୀ ମାନୁଷୀଙ୍କ ପାଇଁ ପ୍ରଶ୍ନ ଥିଲା ‘କେଉଁ ଧରଣର ଚାକିରିଆଙ୍କୁ ସବୁଠାରୁ ବେଶି ଦରମା ମିଳିବା ଉଚିତ ଏବଂ କାହିଁକି?’ ସେ ଉତ୍ତର ଦେଇଥିଲେ, ‘ମାଆ! ଜଣେ ମାଆକୁ ସବୁଠାରୁ ବେଶି ଦରମା ମିଳିବା ଉଚିତ। ସନ୍ତାନ ପ୍ରତି ଜଣେ ମାଆର ସ୍ନେହ, ତ୍ୟାଗ, ଭଲପାଇବା ଓ କର୍ତ୍ତବ୍ୟଠାରୁ ସଂସାର କୌଣସି ଚାକିରି ଊର୍ଧ୍ୱରେ ନୁହେଁ। ଅନ୍ୟ କୌଣସି ଚାକିରିଆ ଜଣେ ମାଆଠାରୁ ବେଶି ଯୋଗ୍ୟ ନୁହଁନ୍ତିି। ଉତ୍ସର୍ଗୀକୃତ ଭାବେ କାମ କରିବା କାହାକୁ କହନ୍ତି ତାହାର ଜ୍ୱଳନ୍ତ ଉଦାହରଣ ମାଆ। ଦରମାର ମାନେ କେବଳ ଅର୍ଥ ବୋଲି ମୁଁ ଭାବେନା। ସ୍ନେହ ଓ ସମ୍ମାନରେ ମିଳୁଥିବା ଉପାହାରକୁ ଦରମା ବୋଲି କୁହାଯାଇପାରେ। ମୋତେ ଲାଗେ ମୋ ମାଆକୁ ସଂସାରର ସବୁତକ ସ୍ନେହ ଓ ସମ୍ମାନ ମିଳିବା ଉଚିତ।’

ସମ୍ବନ୍ଧିତ ଖବର