ନୂଆ ବୁଲେଟ କିଣି ପୂଜା କରିବା ପାଇଁ ୩୮୭କିଲୋମିଟର ଦୂର ମନ୍ଦିରକୁ ଆସିଥିଲା ଯୁବକ, ଲାଗିଗଲା ନିଆଁ

ଆନନ୍ଦପୁର(ଆନ୍ଧ୍ରପ୍ରଦେଶ): ଫାଟିଲା ବୁଲେଟ। ନୂଆ ବୁଲେଟ କିଣି ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ହେଲେ ପାର୍କିଂରେ ରଖାଯାଇଥିବା ବେଳେ ନିଆଁ ଲାଗି ଫାଟିଗଲା ବୁଲେଟ। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ। ରବିଚନ୍ଦ୍ର ନାମକ ଜଣେ ଯୁବକ ବୁଲେଟ କିଣିବା ପରେ ଅବିରତ ୩୮୭କିଲୋମିଟର ଗାଡ଼ି ଚଳାଇ ନେଟ୍ଟୀକାନ୍ତି ଅଞ୍ଜନାୟା ସ୍ବାମୀ ମନ୍ଦିରକୁ ଆସିଥିଲେ। ଏହି କାରଣରୁ ଇଞ୍ଜିନ ଗରମ ହୋଇ ବିସ୍ଫୋରଣ ଘଟିଥିବା କୁହାଯାଉଛି।

ସୂଚନା ମୁତାବକ, ରବିଚନ୍ଦ୍ର ମନ୍ଦିର ବାହାରେ ବୁଲେଟ ରଖି ମନ୍ଦିର ଭିତରକୁ ଯିବାପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପ୍ରଥମେ ଗାଡ଼ିରେ ନିଆଁ ଲାଗୁଛି। ଏହାକୁ ଦେଖି ଲୋକେ ଅଟକିବା ପରେ ବୁଲେଟଟିର ପେ‌ଟ୍ରୋଲ ଟାଙ୍କି ଫାଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଉଛି। କିଛି ସମୟ ପରେ ସେଠାରେ ଥିବା ଲୋକେ ନିଆଁ ଲିଭାଇବା ପାଇଁ ଗାଡ଼ିରେ ପାଣି ପକାଉଛନ୍ତି।

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ରବିଚନ୍ଦ୍ର ଅବିରତ ୩୮୭କିଲୋମିଟର ଗାଡ଼ି ଚଳାଇ ଆସିଥିବାରୁ ଇଞ୍ଜନ ଗରମ ହୋଇ ଏଭଳି ବିସ୍ଫୋରଣ ଘଟିଥାଇପାରେ ବୋଲି ଉପସ୍ଥିତ ଥିବା ଲୋକେ କହିଛନ୍ତି।

କିଛି ଦିନ ତଳେ ‌ଚେନ୍ନାଇରେ ଏକ ବିଦ୍ୟୁତ୍ ଚାଳିତ ସ୍କୁଟରରେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା। ଏହି ଘଟଣା ପରେ ବିଦ୍ୟୁତ୍ ଚାଳିତ ସ୍କୁଟର କିଣିବା ନେଇ ଲୋକେ ପଛଘୁଞ୍ଚା ଦେଉଥିବା ବେଳେ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର