ଅନ୍‌ଲାଇନ୍ ଟଙ୍କା କାରବାର: ଆର୍୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ନା ଆଇଏମ୍‌ପିଏସ୍‌?

ଆଜିକାଲି ଟଙ୍କା ପଠାଇବା ପାଇଁ ୟୁପିଆଇର ବ୍ୟବହାର ବଢ଼ିଯାଇଛି ସତ, ମାତ୍ର ଗୁରୁତ୍ୱପୂର୍ଣ୍ଣ ଟଙ୍କା ଦେଣନେଣ ପାଇଁ ଲୋକେ ଏବେ ବି ବ୍ୟାଙ୍କରେ ଟଙ୍କା ପଠାଇବାକୁ ଅଧିକ ନିରାପଦ ମଣୁଛନ୍ତି। ଡ୍ରାଫ୍‌ଟ ବା ଚେକ୍‌ ମାଧ୍ୟମରେ ଟଙ୍କା ପଠାଇବା ବହୁତ ଦିନରୁ ପ୍ରଚଳିତ ଅଛି। ମାତ୍ର ବ୍ୟାଙ୍କଗୁଡ଼ିକ କମ୍ପ୍ୟୁଟରାଇଜ୍‌ ହେବା ପରେ ଏବେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କରେ ଥିବା ଖାତାକୁ ଅନ୍‌ଲାଇନ୍ ମାଧ୍ୟମରେ ଖୁବ୍‌ ସହଜ ଓ ନିରାପଦ ଭାବରେ ଟଙ୍କା ପଠାଯାଇପାରୁଛି। ଏଥିପାଇଁ ବ୍ୟବହୃତ ତିନିଟି ବ୍ୟବସ୍ଥା ହେଲା- ଆର୍‌.ଟି.ଜି.ଏସ୍., ଏନ୍‌.ଇ.ଏଫ୍‌.ଟି. ଓ ଆଇ.ଏମ୍‌.ପି.ଏସ୍‌.। ମନରେ ପ୍ରଶ୍ନ ଉଠେ, ଏହି ତିନିଟି ବ୍ୟବସ୍ଥା ମଧ୍ୟରେ ପ୍ରଭେଦ କ’ଣ? କେଉଁ ବ୍ୟବସ୍ଥାଟି ଅଧିକ ସୁବିଧାଜନକ?

ଆର୍‌.ଟି.ଜି.ଏସ୍‌: ରିଅଲ୍‌ ଟାଇମ୍‌ ଗ୍ରସ୍‌ ସେଟଲମେଣ୍ଟ୍ ବା ଆର୍‌.ଟି.ଜି.ଏସ୍‌ ବ୍ୟବସ୍ଥାଟି ଟଙ୍କା ପଠାଇବାର ସବୁଠାରୁ ଦ୍ରୁତତମ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ଟଙ୍କା ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ତତ୍‌କ୍ଷଣାତ୍‌ ପହଞ୍ଚିଯାଏ। ଏହି ନେଣଦେଣ ତତ୍କାଳ ହେଉଥିବାରୁ ଏହାର ଏପରି ନାମକରଣ ହୋଇଛି। ସର୍ବନିମ୍ନ ଦୁଇ ଲକ୍ଷ ବା ତା’ଠାରୁ ଅଧିକ ଟଙ୍କା ପଠାଇବାର ଥିଲେ ଏହି ବ୍ୟବସ୍ଥାର ବ୍ୟବହାର କରାଯାଇ ପାରିବ। ଆଗେ କେବଳ ବ୍ୟାଙ୍କ କାର୍ଯ୍ୟଦିବସରେ, ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଆର୍.ଟି.ଜି.ଏସ୍‌ରେ ଟଙ୍କା ପଠାଯାଇ ପାରୁଥିଲା। ମାତ୍ର ଏବେ ଏହା ଯେ କୌଣସି ସମୟରେ ପଠାଯାଇ ପାରୁଛି।

ଏବେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କରେ ଥିବା ଖାତାକୁ ଅନ୍‌ଲାଇନ୍ ମାଧ୍ୟମରେ ଖୁବ୍‌ ସହଜ ଓ ନିରାପଦ ଭାବରେ ଆର୍‌.ଟି.ଜି.ଏସ୍., ଏନ୍‌.ଇ.ଏଫ୍‌.ଟି. ଓ ଆଇ.ଏମ୍‌.ପି.ଏସ୍‌.ବ୍ୟବସ୍ଥା ମାଧ୍ୟମରେ ଟଙ୍କା ପଠାଯାଇପାରୁଛି।

ଏନ୍‌.ଇ.ଏଫ୍‌.ଟି: ନ୍ୟାସନାଲ୍ ଇଲେକ୍‌ଟ୍ରୋନିକ୍ ଫଣ୍ଡସ୍ ଟ୍ରାନ୍‌ସଫର ବା ଏନ୍‌.ଇ.ଏଫ୍‌.ଟି ବ୍ୟବସ୍ଥାର ବିଶେଷତ୍ବ ହେଲା ଏହି ବ୍ୟବସ୍ଥାଟି ୨୪ ଘଣ୍ଟା ଖୋଲା। ଯେ କୌଣସି ସମୟ‌ରେ, ଏପରିକି ଛୁଟି ଦିନରେ ମଧ୍ୟ ଏହି ବ୍ୟବସ୍ଥାରେ ଟଙ୍କା ନେଣଦେଣ କରିହେବ। ଏହି ବ୍ୟବସ୍ଥାରେ ଟଙ୍କା ପଠାଇବା ପାଇଁ କୌଣସି ସର୍ବନିମ୍ନ ବା ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇନାହିଁ। ତେବେ ଏଥିରେ ଟଙ୍କା ତତ୍କାଳ ପଠାନଯାଇ କିଛି ସମୟ ବ୍ୟବଧାନରେ ଭିନ୍ନ ଭିନ୍ନ ବ୍ୟାଚ୍‌ରେ ପଠାଯାଇଥାଏ। ଦୁଇଟି ବ୍ୟାଚ ମଧ୍ୟରେ ବ୍ୟବଧାନ ପ୍ରାୟ ଅଧା ଘଣ୍ଟା।

ଆଇ.ଏମ୍‌.ପି.ଏସ୍‌: ଇମିଡିଏଟ୍‌ ପେମେଣ୍ଟ ସର୍ଭିସ ବା ଆଇଏମ୍‌ପିଏସ୍‌ ଅନ୍ୟ ଏକ ତତ୍କାଳ ଟଙ୍କା ପ୍ରେରଣ ବ୍ୟବସ୍ଥା, ଯାହା ଯେକୌଣସି ସମୟରେ ପଠାଯାଇପାରିବ। ପ୍ରଥମ ଦୁଇଟି ବ୍ୟବସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ, ଗ୍ରାହକଙ୍କ ପାଇଁ ଛୋଟ ଛୋଟ ଦେଣନେଣକୁ ଅଧିକ ସହଜ ଓ ସରଳ କରିବା ପାଇଁ ନାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍.ପି.ସି.ଆଇ) ଦ୍ବାରା ଆଇଏମପିଏସ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ସର୍ବାଧିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଯାଇପାରୁଛି। ଏଣୁ ଗ୍ରାହକ କେତେ ପରିମାଣର ଟଙ୍କା ପଠାଇବାକୁ ଚାହାନ୍ତି ଏବଂ କେତେ ଶୀଘ୍ର ପଠାଇବାକୁ ଚାହାନ୍ତି, ସେହି ହିସାବରେ ଉପରୋକ୍ତ ତିନିଟି ବ୍ୟବସ୍ଥା ମଧ୍ୟରୁ ଯେ କୌଣସି ଗୋଟିକୁ ବାଛି ନେଇ ପାରିବେ।
ଅନ୍‌ଲାଇନ୍‌ ଟଙ୍କା ପଠାଇବା ସମୟରେ ସର୍ବନିମ୍ନ ଯେଉଁ ତିନିଟି କଥା ଜାଣି ରଖିବା ଜରୁରି, ସେଗୁଡ଼ିକ ହେଲା- ଯାହାଙ୍କ ପାଖକୁ ଟଙ୍କା ପଠାଯାଉଛି ତାଙ୍କର ନାମ, ଆକାଉଣ୍ଟ ନମ୍ବର ଓ ସେହି ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି, ତାହାର ଆଇ.ଏଫ୍.ଏସ୍ କୋଡ୍।

ସମ୍ବନ୍ଧିତ ଖବର