ହୋଲି ବେଳେ ପୋଖରୀରେ ବୁଡ଼ି ୫ ନାବାଳକ ମୃତ

ବାଲେଶ୍ବର/ସୋର/କୁଜଙ୍ଗ/ସାଲେପୁର: ହୋଲିକୁ ନେଇ ଚାରିଆଡ଼େ ଖୁସିର ମାହୋଲ ଥିବାବେଳେ ବାଲେଶ୍ବର ଜିଲ୍ଲା ଅଧୀନ ବସ୍ତା ଓ ସୋର ବ୍ଲକ୍‌ରେ ଖେଳିଯାଇଛି ଶୋକ। ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣେ ୧୫ ବର୍ଷର ଏବଂ ଅନ୍ୟଜଣେ ୧୦ ବର୍ଷର ନାବାଳକ ପ୍ରାଣ ହରାଇଛନ୍ତି। ମୃତକ ହେଲେ, ବସ୍ତା ଥାନା ଅଧୀନ ବଗଲଡ଼ିହା ଅଞ୍ଚଳର ବାବୁଲି ବାରିକଙ୍କ ପୁଅ ଧନଞ୍ଜୟ ବାରିକ (୧୫)। ବାବୁଲି ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ଅଧୀନ ଶୋଭାରାମପୁରରେ ଭଡ଼ାରହନ୍ତି। ତାଙ୍କ ପୁଅ ଧନଞ୍ଜୟ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଅନ୍ୟଜଣେ ହେଲେ, ସୋର ଥାନା ଅଧୀନ ଦହିସଡ଼ା ଗ୍ରାମରେ ରହୁଥିବା ସୋର ପୌରାଞ୍ଚଳ ଅଧୀନ ମଧୁସୂଦନପୁର ଗ୍ରାମର ମାନସ ପାତ୍ରଙ୍କ ଏକମାତ୍ର ପୁଅ ଆୟୁଷ ପାତ୍ର (୧୦)ଙ୍କ ମଧ୍ୟ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ଆୟୁଷ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ।

ସେହିପରି, ହୋଲି ଖେଳପରେ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ଲକଥାନା ଅନ୍ତର୍ଗତ ପାରାଦୀପ ଗଡ଼ ପଂଚାୟତ କତକୁଲା ଗ୍ରାମର ଜୟନ୍ତ ସରକାରଙ୍କ ପୁତ୍ର ରାଜଶେଖର ରାଉତ(୧୨)। ରାଜଶେଖର ତାଙ୍କ ମାମୁଁ ଘର କେନ୍ଦ୍ରାପଡା ଜିଲ୍ଲା ରାମନଗରଠାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ।

ଅନ୍ୟପକ୍ଷରେ, ସାଲେପୁର କଲେଜର +୨ ଶ୍ରେଣୀରେ ପଢ଼ୁଥିବା ଛାଣିପୁର ଗ୍ରାମର ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ(୧୭) ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ନିକଟସ୍ଥ କରମୁଆଁର ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ଆଶିଷ ବୁଡ଼ିଯାଇ ଆଶିଷଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର