ଭାରତୀୟ ସଶସ୍ତ୍ର ସ˚ଗ୍ରାମର ମହାସଂଗ୍ରାମୀ : ପ୍ରଣମ୍ୟ ବୀର ସୁରେନ୍ଦ୍ର

ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କହାଯାଉଥିବା ୧୮୫୭ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ବୀର ସୁରେନ୍ଦ୍ର ସାଏ ବ୍ରିଟିସ ବିରୋଧରେ ଆରମ୍ଭ କରିଥିଲେ ସଶସ୍ତ୍ର ସଂଗ୍ରାମ । ତାଙ୍କ ସଂଗ୍ରାମ ଓ ବୀରତ୍ବର ଗାଥା କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ବିରଳ। ବୀର ସୁରେନ୍ଦ୍ର ଦୁଇଟି ପର୍ଯ୍ୟାୟରେ ୧୮୨୭ ରୁ ୧୮୪୦ ଓ ୧୮୫୭ ରୁ ୧୮୬୪ ଦୀର୍ଘ କୋଡ଼ିଏ ବର୍ଷ ଧରି ଲଢ଼େଇ ବ୍ରିଟିସ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ସେହିପରି ଦୁଇଟି ପର୍ଯ୍ୟାୟରେ ୧୮୪୦ ରୁ ୧୮୫୭ ପର୍ଯ୍ୟନ୍ତ ହଜାରିବାଗ୍‌ ଜେଲ୍‌ରେ ୧୭ ବର୍ଷ ଓ ୧୮୬୪ ରୁ ୧୮୮୪ ଫେବ୍ରୁଆରି ୨୮ ମୃତ୍ୟୁ ପର୍ଯ୍ୟନ୍ତ ଅସୁରଗଡ଼ ଜେଲରେ ୨୦ ବର୍ଷ, ଏହିପରି ମୋଟ ୩୭ ବର୍ଷ ବନ୍ଦୀ ରହି ସୁରେନ୍ଦ୍ର ସାଏ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ। ଅଧିକାର ଓ ଅସ୍ମିତା ଏବଂ ମାଟି ମା’କୁ ବିଦେଶୀଙ୍କ କବଳରୁ ମୁକ୍ତ କରିବା ପାଇଁ ସୁରେନ୍ଦ୍ରଙ୍କ ଏହି ମହାସଂଗ୍ରାମ ‘ଉଲ୍‌ଗୁଲାନ୍‌’ ତ୍ୟାଗ ଓ ବଳିଦାନ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।
ଆଲେଖ୍ୟ: ଲକ୍ଷ୍ମୀନାରାୟଣ ହୋତା

ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ବଲପୁର ଇ˚ରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା। ୧୮୨୭ ମସିହାରେ ଅକ୍ଟୋବର ୧୮ ତାରିଖ ସମ୍ବଲପୁର ରାଜା ମହାରାଜ ସାଏଙ୍କ ପରଲୋକ ଘଟିଲା। ତାଙ୍କ କେବଳ ଦୁଇଟି କନ୍ୟା ଥିଲେ, ପୁତ୍ର ସନ୍ତାନ ନଥିଲେ। ଅପୁତ୍ରିକ ଥିବାରୁ ଦାୟାଦ ପାଇଁ ରାଜା ମହରାଜ ସାଏ ସମ୍ବଲପୁର ରାଜବଂଶର ସଂପର୍କୀୟ ଖିଣ୍ଡାର ସୁରେନ୍ଦ୍ର ସାଏଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିବାକୁ ମନସ୍ଥ କରିଥିଲେ। ସୁ‌େ‌ରନ୍ଦ୍ର ୧୮୦୯ ମସିହା ଜାନୁଆରି ୨୩ ତାରିଖ ପିତା ଧରମ ସିଂହ ଓ ମାତା ରେବତୀଙ୍କ ଓୗରସରୁ ଜନ୍ମ ଦେଇଥିଲେ। ସୁରେନ୍ଦ୍ର ହେଉଛନ୍ତି ସମ୍ବଲପୁରର ଚତୁର୍ଥ ରାଜା ମଧୁକର ଦେବଙ୍କ ପୁତ୍ର ଅନିରୁଦ୍ଧଙ୍କ ପଂଚମ ପିଢ଼ିର ଦାୟାଦ। ଖିଣ୍ଡା ସମେତ ଏହି ପରିବାରର ଦାୟାଦମାନେ ବଂଶାନୁକ୍ରମେ ସମ୍ବଲପୁର ରାଜ୍ୟର ଧନାଧ୍ୟକ୍ଷ ବା କୋଷାଧ୍ୟକ୍ଷ ପଦ ସମ୍ଭାଳି ଆସୁଥିଲେ। ରାଜବଂଶର ସଦସ୍ୟ ସେନା ବାହିନୀରେ ଯୋଗଦେଇ ନେତୃତ୍ବ ନେଲେ ‘ସାଏ’ ଉପାଧିରେ ଭୂଷିତ ହେଉଥିଲେ। ତେବେ, ସୁରେନ୍ଦ୍ରଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରିବା ପୂର୍ବରୁ ମହାରାଜ ସାଏଙ୍କ ବିୟୋଗ ଘଟିଲା। ରାଜାଙ୍କ ଦାହ ସତ୍କାର ପୂର୍ବରୁ ନୂଆ ରାଜାଙ୍କ ସିଂହା‌ସନ ଆରୋହଣ ନିୟମ ରହିଥିବାରୁ ମହାରାଜାଙ୍କ ବିଧବା ରାଣୀ ମୋହନ କୁମାରୀ ସୁରେନ୍ଦ୍ରଙ୍କ କରି ତାଙ୍କୁ ସିଂହାସନ ଅରୋହଣ କରାଇବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ବିଟିସ କମ୍ପାନି କର୍ତ୍ତୃପକ୍ଷ ସେତେବେଳେ ସୁରେନ୍ଦ୍ରଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଲେ। ବିଦ୍ରୋହର ଆଶଂକା କରି ଗୋପନରେ ରାତାରାତି ମହାରାଜାଙ୍କ ଦାହସତ୍କାର କରି ପରବର୍ତ୍ତୀ ଦିନ ମହାରାଜାଙ୍କ ମୃତ୍ୟୁ ହୋଇଥିବା ଏବଂ ରାଣୀ ମୋହନ କୁମାରୀ ସିଂହାସନ ଆରୋହଣ କରିଥିବା ଘୋଷଣା କରିଦିଆଗଲା। ତେବେ, ଏତିକିରେ ବ୍ରିଟିସ ସରକାରଙ୍କ ଷଡ଼୍‌ଯନ୍ତ୍ର ସରିଲା ନାହିଁ। ରାଣୀ ସିଂହାସନରେ ଆସୀନ ଥିବାରୁ ‌ଶାସନ ପ୍ରତି ଲୋକଙ୍କ ଭୟ ରହୁନାହିଁ ବୋଲି ଦର୍ଶାଇ ବରପାଲିର ନାରାୟଣ ସିଂହକୁ ୧୮୩୩ ମସିହା ଅକ୍ଟୋବର ୧୧ ତାରିଖ ସିଂହାସନରେ ବସାଇଲେ ଏବଂ ରାଣୀ ମୋହନ କୁମାରୀଙ୍କ ପେନସନ ଦେଇ ପାଞ୍ଚଗଡ଼ ପଠାଇଦେଲେ।

ଇତିମଧ୍ୟରେ ରାଜ ସିଂହାସନର ପ୍ରମୁଖ ଦାବିଦାର ଥିବା ସୁରେନ୍ଦ୍ର ବ୍ରିଟିସ ସରକାରଙ୍କ ଏତାଦୃଶ ଚକ୍ରାନ୍ତ ବିରୋଧରେ ୧୮୨୭ ମସିହାରୁ ବିଦ୍ରୋହ ଆରମ୍ଭ କରିଦେଇଥିଲେ। ସୁରେନ୍ଦ୍ରଙ୍କୁ ତାଙ୍କ ଭାଇମାନେ ଏବଂ କାକା ବଳରାମ ସହଯୋଗ କରୁଥିଲେ। ସୁରେନ୍ଦ୍ରଙ୍କୁ ସେତେବେଳେ ବ୍ରିଟିସ ବିରୋଧୀ ସଂଗ୍ରାମର ସର୍ବମାନ୍ୟ ମହାନାୟକ ଭାବରେ ଗ୍ରହଣ କରି ତତ୍‌କାଳୀନ ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ଜମିଦାର ପରିବାର ପୂର୍ଣ୍ଣସମର୍ଥନ କରିଥିଲେ। ସୁରେନ୍ଦ୍ରଙ୍କ ଆହ୍ବାନରେ ପ୍ରଖର ହେଲା ସଂଗ୍ରାମ। ବଣ ପାହାଡ଼ରେ ରହି ରଣ କୌଶଳ ପ୍ରଦର୍ଶନ କରି ସମଗ୍ର ଅଂଚଳରେ ବିଦ୍ରୋହର ବହ୍ନି ପ୍ରଜ୍ଜ୍ବଳିତ ହୋଇଥିଲା। ସୁରେନ୍ଦ୍ରଙ୍କ ସଂଗ୍ରାମର ରଣକୌଶଳ ‘ଉଲଗୁଲାନ’ରେ ହତ ଚକିତ ହୋଇଯାଇଥିଲା ପୂରା ବ୍ରିଟିସ ସେନା। ତେବେ, ସଂଖ୍ୟା ଦୃଷ୍ଟିରୁ ଅଧିକ ସୈନ୍ୟ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ବ୍ରିଟିସ ସେନା୧୮୪୦ରେ ସମ୍ବଲପୁର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ କାକା ବଳରାମ ଓ ଭାଇ ଉଦନ୍ତଙ୍କୁ ବନ୍ଦୀ କରିନେଇଥିଲେ। ସୁରେନ୍ଦ୍ରଙ୍କ ସମେତ ଅନ୍ୟମାନଙ୍କୁ କାରାଦଣ୍ତରେ ଦଣ୍ତିତ କରି ହଜାରୀବାଗ ଜେଲ୍‌ରେ ରଖାଯାଇଥିଲା ା ୧୮୪୦ ରୁ ୧୮୫୭ ଯାଏ ୧୭ ବର୍ଷ ସେ ହଜାରିବାଗ ଜେଲରେ ବନ୍ଦୀ ରହିଲେ।

ସୁରେନ୍ଦ୍ରଙ୍କ ଦ୍ବିତୀୟ ପର୍ଯ୍ୟାୟର ଲଢେ଼ଇ ଥିଲା ଅତ୍ୟନ୍ତ ସୁସ˚ଗଠିତ ଯାହାକି ମହାସ˚ଗ୍ରାମର ରୂପ ନେଇଥିଲା। ୧୮୫୭ ଜୁଲାଇ ୩୦ ତାରିଖ ବିଦ୍ରୋହୀମାନେ ହଜାରୀବାଗ ଜେଲ ଭାଙ୍ଗି ଦେବାର ସୁଯୋଗ ନେଇ ଅନ୍ୟ ବନ୍ଦୀଙ୍କ ସହ ବୀର ସୁରେନ୍ଦ୍ର ସାଏ ପଳାୟନ କରି ଅକ୍ଟୋବର ୭ ତାରିଖ ସମ୍ବଲପୁରରେ ପହଞ୍ଚିଲେ। ବିଦ୍ରୋହ ମହାସ˚ଗ୍ରାମରେ ପରିଣତ ହେବା ପାଇଁ ସତେ ଯେମିତି ସୁରେନ୍ଦ୍ରଙ୍କୁ ଅପେକ୍ଷା କରିଥିଲା ସମୟ। ସମଗ୍ର ଅଂଚଳକୁ ସୁରେନ୍ଦ୍ରଙ୍କ ମହାସଂଗ୍ରାମର ଆହ୍ବାନ ସଂପ୍ରସାରିତ ହୋଇଯାଇଥିଲା। ବ୍ରିଟିସ ସରକାର ସୁରେନ୍ଦ୍ରଙ୍କୁ ବିଦ୍ରୋହୀ ବୋଲି ଘୋଷଣା କଲେ। ସେମାନଙ୍କ ଅଭିପ୍ରାୟ ଜାଣିପାରି ଅକ୍ଟୋବର ୩୧ ତାରିଖ ସୁରେନ୍ଦ୍ର ଖିଣ୍ତା ଅଭିମୁଖେ ଯାଉଥିଲେ। ବାଟରେ ଝରଘାଟି ଠାରେ ରକ୍ତାକ୍ତ ଯୁଦ୍ଧ ହେଲା। ବ୍ରିଟିସ ସୈନ୍ୟଙ୍କ ସ˚ଖ୍ୟାରେ ଅଧିକ ତଥା ଆଧୁନିକ ଅସ୍ତ୍ର ଶସ୍ତ୍ରକୁ ସାମ୍ନା କରିବା ଅସମ୍ଭବ ଜାଣିପାରି ଲୁଚିଛପି ଗରିଲା ଯୁଦ୍ଧ ଆରମ୍ଭ କଲେ। ପରେ ସୁରେନ୍ଦ୍ର ବିଶ୍ବାସଘାତକତାର ଶିକାର ହୋଇ ୧୮୬୪ ମସିହାରେ ପୁଣି ବ୍ରିଟିସ ସେନା ଦ୍ବାରା ବନ୍ଦୀ ହେଲେ। ତେବେ, କାରାବରଣର ଅବଧି ସରିବା ପରେ ମଧୢ ତାଙ୍କୁ ମୁକ୍ତ କରାଗଲା ନାହିଁ। ଅସୁରଗଡ଼ ଜେଲରେ ଦୀର୍ଘ ୨୦ ବର୍ଷ ବନ୍ଦୀ ରହି ସେଇଠାରେ ହିଁ ଶେଷ ନିଃଶ୍ବାସ ତ୍ୟାଗ କଲେ।

ସମ୍ବନ୍ଧିତ ଖବର