କଷ୍ଟ ଲାଗୁଛି, ତଥାପି… ମୁସଲମାନ ସଂପ୍ରଦାୟ ବି ନିରାଶ, ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ

ମହମ୍ମଦ ହିଫ୍‌ଜୁର ‌ରହେମାନ୍

କରୋନା ଲକ୍ ଡାଉନ୍‌ରେ ବନ୍ଧା ପଡ଼ିଛି ମନ୍ଦିର ମସଜିଦ ସମେତ ହଜାର ହଜାର ଧର୍ମାନୁଷ୍ଠାନ। ଅନ୍ୟ ରାଜ୍ୟରେ ଏଗୁଡ଼ିକ ଖୋଲିବା ଆରମ୍ଭ କରିଥିବା ବେଳେ ଆମ ରାଜ୍ୟରେ ଜୁନ୍ ୩୦ ତାରିଖ ଯାଏଁ ବନ୍ଦ ରହିଛି। ଏହି ଧର୍ମାନୁଷ୍ଠାନ ଆଜି ନାହିଁ ତ କାଲି ଖୋଲିବ। କିନ୍ତୁ ଏଭଳି କିଛି ଧାର୍ମିକ ଉତ୍ସବ ରହିଛି ଯାହାକୁ ଏବର୍ଷ ଆଉ ଦେଖିବାକୁ ମିଳିବ ନାହିଁ। ସେଥିରେ ରହିଛି ପବିତ୍ର ରଥଯାତ୍ରା। ଏହାଯୋଗୁଁ ବେଶି କ୍ଷତିଗ୍ରସ୍ତ ହେବେ ମୁସଲିମ୍ ଭକ୍ତ। କାରଣ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେମାନଙ୍କୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ଏଠାରେ ପ୍ରଶ୍ନ ହେବା ସ୍ବାଭାବିକ ଯେ ମୁସଲିମମାନେ ତ ଏକ ଈଶ୍ବରରେ ବିଶ୍ବାସ କରନ୍ତି। ସେମାନେ ଜଗନ୍ନାଥଙ୍କ ଭକ୍ତ ହେଲେ କେମିତି? କିନ୍ତୁ କଳା ଠାକୁରଙ୍କ ସହିତ ମୁସଲମାନଙ୍କ ସଂପର୍କ ଦୀର୍ଘ କାଳରୁ ଅତୁଟ ରହି ଆସିଛି। ବିଶେଷ କରି ଓଡ଼ିଶାରେ। ଏହି ଭକ୍ତମାନଙ୍କୁ ଦର୍ଶନ ଦେବାଲାଗି ତ ଠାକୁର ବର୍ଷକୁ ଥରେ ବଡ଼ଦାଣ୍ଡକୁ ଆସନ୍ତି। ତାଙ୍କର ସବୁଠାରୁ ବଡ଼ ଭକ୍ତ ହେଉଛନ୍ତି ସାଲବେଗ। ମୁସଲିମ ଧର୍ମର ହୋଇଥିଲେ ମଧ୍ୟ ସେ ହେଉଛନ୍ତି ସବୁଠାରୁ ବଡ଼ ଭକ୍ତ। ତାଙ୍କର ସମାଧି ପୁରୀ ବଡ଼ଦାଣ୍ଡରେ ରହିଛି। ଏଭଳି ଗୌରବର ଅଧିକାରୀ ହେଉଛନ୍ତି ଏକମାତ୍ର ସାଲବେଗ। ରଥଯାତ୍ରା ବେଳେ  କଳା ଠାକୁର ଓ ଭକ୍ତଙ୍କ  ମଧ୍ୟରେ ଭାବନାର ଆଦାନପ୍ରଦାନ ପାଇଁ ନନ୍ଦିଘୋଷ ରଥ ସାଲବେଗଙ୍କ ସମାଧି ପୀଠ ପାଖରେ ୫ ମିନିଟ୍ ପାଇଁ ଅଟକି ଯାଆନ୍ତି। ଠାକୁର-ଭକ୍ତଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଆଉ କେଉଁଠି ଦେଖିବାକୁ ମିଳେନାହିଁ।

କେବଳ ପୁରୀ ନୁହେଁ, ରଥଯାତ୍ରା ପରଂପରା ସହିତ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ମୁସଲମାନ ଭକ୍ତଙ୍କ ସଂପର୍କ ଯୋଡ଼ି ହୋଇ ରହିଛି। ଝାରସୁଗୁଡ଼ା ଜିଲ୍ଲା ରେମଣ୍ଡାରେ ହିନ୍ଦୁ-ମୁସଲିମ ମିଳିମିଶି ଯାତ୍ରାର ଆୟୋଜନ କରନ୍ତି। ୧୨୦ ବର୍ଷ ଧରି ଏହି ପରଂପରା ଚାଲି ଆସିଛି। ଏଠି ମୁସଲିମ ସଂପ୍ରଦାୟର ଗୌନ୍ତିଆ ମହମ୍ମଦ ଜମିଉଲ୍ଲା ନାମକ ଭକ୍ତ ତିନି ରଥରେ ଛେରାପହରା କରନ୍ତି। ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ  ମୁସଲିମ ଭକ୍ତମାନେ ଉତ୍ସାହ ସହ ଏହି ଉତ୍ସବରେ ସାମିଲ ହୁଅନ୍ତି। ଅନେକ ସ୍ଥାନରେ ମୁସଲିମ ଭକ୍ତମାନେ ରଥ ଟାଣନ୍ତି। କେବଳ ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ମଧ୍ୟ ଠାକୁର-ମୁସଲିମ ଭକ୍ତ ସଂପର୍କର ଦୃଷ୍ଟାନ୍ତ ରହିଛି। ଯେପରିକି ଗୁଜରାଟ ଅହମ୍ମଦାବାଦର ଜମାଲପୁରରେ। ଏଠାରେ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ମୁସଲମାନଙ୍କ ଭକ୍ତମାନଙ୍କ ପକ୍ଷରୁ ରୁପା ନିର୍ମିତ କ୍ଷୁଦ୍ର ରଥ ମୁଖ୍ୟ ସେବକଙ୍କୁ ସମର୍ପଣ କରନ୍ତି। ୪୫୦ ବର୍ଷ ପୁରୁଣା ଏହି ମନ୍ଦିରରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।

ମହମ୍ମଦ ସିକନ୍ଦର ଆଲମ। ଏହି ନାମ ଓଡ଼ିଶାର ଘରେ ଘରେ ପରିଚିତ। ଜଗନ୍ନାଥଙ୍କ ଅନ୍ୟତମ ଭକ୍ତ ରୂପେ ପରିଚିତ ସିକନ୍ଦରଙ୍କ ଜଗନ୍ନାଥ ଭଜନ ଏବେ ବି ଘରେ ଘରେ ଗୁଞ୍ଜରିତ ହେଉଛି।

ଏଠାରେ ଏହିସବୁ ତଥ୍ୟ ଅବତାରଣା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଠାକୁରଙ୍କ ରଥଯାତ୍ରା ହେଉଛି ଏଭଳି ଏକ ପର୍ବ ଏବଂ ଉତ୍ସବ ଯାହାକି ବିଭିନ୍ନ ଧର୍ମ ଓ ଜାତିର ଲୋକଙ୍କୁ ଗୋଟିଏ ବନ୍ଧନରେ ବାନ୍ଧି ରଖିଛି। ଏଭଳି ମହାମିଳନ ଦୃଶ୍ୟ ଆଉ କେଉଁଠି ଦେଖିବାକୁ ମିଳେନାହିଁ। ସାରା ବିଶ୍ବରେ ଧର୍ମ ଓ ଜାତିକୁ ନେଇ ବିଷାକ୍ତ ପରିବେଶ ଲାଗି ରହିଥିବା ବେଳେ ଜଗନ୍ନାଥ ହେଉଛନ୍ତି ଏକମାତ୍ର ଠାକୁର ଯିଏକି ସବୁ ବର୍ଗର ଲୋକଙ୍କୁ ତାଙ୍କ ବାହୁ ତଳେ ଏକାଠି କରି ରଖିଛନ୍ତି। ତେଣୁ ଜଗନ୍ନାଥଙ୍କ ଦେଶ ଏହି ଓଡ଼ିଶାର ପବିତ୍ର ମାଟି‌ରେ ଏବର୍ଷ ରଥଯାତ୍ରା ନହେବା ସମସ୍ତଙ୍କୁ ନିରାଶ କରିବା ସ୍ବାଭାବିକ।

ସମ୍ବନ୍ଧିତ ଖବର