ଅତୀତରେ ପ୍ରାଥମିକ ଶ୍ରେଣୀରେ ବିଜ୍ଞାନ ପାଠ ପଢ଼ାଯାଉ ନ ଥିଲା। ହାଇସ୍କୁଲ୍ ସ୍ତରରେ ମଧ୍ୟ ବିଜ୍ଞାନ ବହୁତ କମ୍ ପଢ଼ାଯାଉଥିଲା। ଏହି ପୃଷ୍ଠଭୂମିରେ ୧୯୫୭ ମସିହା ସେପ୍ଟେମ୍ବର ମାସରେ ରୁଷିଆ ମହାକାଶକୁ ସ୍ପୁଟ୍ନିକ୍ ନାମକ ଯାନ ପଠାଇଲା। ଏହି ଖବର ସାରା ବିଶ୍ବରେ ଶିକ୍ଷା ସହିତ ସ˚ପୃକ୍ତ ସମସ୍ତଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି କଲା। ୧୯୫୭ରୁ ୧୯୬୧ ମସିହା ପର୍ଯ୍ୟନ୍ତ ଭାରତ ଛଡ଼ା ଆମେରିକା ଓ ଫ୍ରାନ୍ସ୍ ଭଳି ଉନ୍ନତ ଦେଶମାନଙ୍କରେ ସ୍କୁଲ୍ ଶିକ୍ଷକମାନଙ୍କ ଉଦ୍ୟମରେ ଉନ୍ନତ ବିଜ୍ଞାନ ପାଠ୍ୟକ୍ରମ ପ୍ରସ୍ତୁତ ହେଲା କିନ୍ତୁ ଆମ ଦେଶରେ ବିଜ୍ଞାନ ଶିକ୍ଷାର ଉନ୍ନତି ପାଇଁ କୌଣସି ରାଜ୍ୟରେ କେହି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଲେ ନାହିଁ। ସେହି ପୃଷ୍ଠଭୂମିରେ ୧୯୬୧ ମସିହାରେ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ବିଜ୍ଞାନ ଓ ବୈଷୟିକ ବିଦ୍ୟାନୁରାଗୀ ବ୍ୟକ୍ତି ସୌଭାଗ୍ୟକ୍ରମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ‘‘ଆମେରିକା ପିଲା ବୈଜ୍ଞାନିକ ହେବେ, ଆଉ ମୋ ପିଲା କିଛି ହେବେ ନାହିଁ!’’ ଏହା କହି ବିଜୁବାବୁ ପ୍ରାଥମିକ ବିଦ୍ୟାଳୟମାନଙ୍କ ପାଇଁ ନୂଆ ସିଲାବସ୍ ତିଆରି କରିବାର ସ˚କଳ୍ପ ନେଇ ସିଲାବସ୍ କମିଟିର ଚେୟାରମ୍ୟାନ୍ ହେଲେ। ଭାରତବର୍ଷରେ ବର୍ତ୍ତମାନ ସୁଦ୍ଧା ସେ ହିଁ ଥିଲେ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ପ୍ରାଥମିକ ସ୍କୁଲ୍ ପାଠ୍ୟକ୍ରମ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ହୋଇଥିଲେ। ସେ ଜାତୀୟ କବି ବୀରକିଶୋର ଦାସଙ୍କୁ ସେହି କମିଟିର ସେକ୍ରେଟାରି କରିଥିଲେ। ସେ ଖାଲି ନାମକୁ ମାତ୍ର ଚେୟାରମ୍ୟାନ୍ ନ ଥିଲେ କମିଟିର ପ୍ରତି ମିଟି˚ରେ ସକ୍ରିୟ ଅ˚ଶଗ୍ରହଣ କରୁଥିଲେ। ତାଙ୍କରି ଉଦ୍ୟମରେ ପ୍ରଥମ ଥର ପାଇଁ ଦ୍ବିତୀୟ ଓ ତୃତୀୟ ଶ୍ରେଣୀରୁ ‘ପ୍ରକୃତି ପର୍ଯ୍ୟବେକ୍ଷଣ’ ଭାବରେ ବିଜ୍ଞାନ ଶିକ୍ଷା ଆରମ୍ଭ ହୋଇଥିଲା ଏବ˚ ମାଧ୍ୟମିକ ସ୍କୁଲ୍ ବିଜ୍ଞାନ ସିଲାବସ୍ ତଦନୁଯାୟୀ ପରିବର୍ତ୍ତିତ ହୋଇଥିଲା। ପ୍ରକୃତରେ ପ୍ରାଥମିକ ଶ୍ରେଣୀରୁ ବିଜ୍ଞାନ ଶିକ୍ଷାଦାନ ଆରମ୍ଭ କରିବାରେ ଓଡ଼ିଶା ଥିଲା ପ୍ରଥମ ଏବ˚ ଏହା କେବଳ ବିଜ୍ଞାନପ୍ରେମୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଥିଲା। ସେ ସମୟର ଶିକ୍ଷକ, ଶିକ୍ଷାବିତ୍ମାନେ ଭାବୁଥିଲେ ଯେ ବିଜୁବାବୁ ମୁଖ୍ୟମନ୍ତ୍ରୀ ରହିଥିଲେ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଆଶାତୀତ ଉନ୍ନତି ସାଧିତ ହୋଇଥାନ୍ତା; ମାତ୍ର ବିଧିର ବିଚିତ୍ର ବିଡ଼ମ୍ବନା ଯୋଗୁଁ ସେ ମୁଖ୍ୟମନ୍ତ୍ରୀ ରହିଲେ ନାହିଁ ଏବ˚ ବିଜ୍ଞାନ ଶିକ୍ଷାର ପ୍ରଗତି ମନ୍ଥର ହୋଇଗଲା। ବିଜୁବାବୁ ୟୁନେସ୍କୋ ଜରିଆରେ କଳିଙ୍ଗ ପୁରସ୍କାର ଦେବାର ବ୍ୟବସ୍ଥା କରିଯାଇଥିବା ଯୋଗୁଁ ତାଙ୍କର ବିଜ୍ଞାନକୁ ଲୋକାଭିମୁଖୀ କରିବାର ସବୁଦିନେ ବିଜ୍ଞାନର ଛାତ୍ରମାନଙ୍କ ମନରେ ବଞ୍ଚିରହିଥିବ।