ମେକ୍ସିକୋରେ ନିର୍ମାଣାଧୀନ ବିମାନବନ୍ଦର ସ୍ଥଳରୁ ୩୫ ହଜାର ବର୍ଷ ତଳର ୬୦ରୁ ଅଧିକ ମମଥ୍ କଙ୍କାଳ ଉଦ୍ଧାର
ନୂଆଦିଲ୍ଲୀ: ମେସକ୍ସିକୋ ସହର ପାଖରେ ଏକ ନିର୍ମାଣାଧୀନ ବିମାନ ବନ୍ଦର ସ୍ଥଳରୁ ପ୍ରତ୍ନତତ୍ତ୍ବବିତ୍ମାନେ ୬୦ରୁ ଅଧିକ ମମଥ୍ (ଲୋମଶ ହାତୀ ଭଳି ଦିଶୁଥିବା ଏକ ବିରାଟକାୟ ଜନ୍ତୁ) କଙ୍କାଳ ଉଦ୍ଧାର କରିଛନ୍ତି। ସେଗୁଡ଼ିକ ପ୍ରାୟ ୩୫ ହଜାର ବର୍ଷ ତଳର ବୋଲି ବିଶ୍ବାସ ହେଉଛି।
ମେକ୍ସିକୋର ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆନ୍ଥ୍ରାପଲୋଜି ଆଣ୍ଡ୍ ହିଷ୍ଟ୍ରି’ର ପିଟ୍ରୋ ଫ୍ରାନ୍ସିସ୍କୋ ସାନ୍ସେଜ୍ ନାଭା କହିଛନ୍ତି, ଏ ସବୁ ହାଡ଼ କଲମ୍ବୀୟ ମମଥ୍ ପ୍ରଜାତିର।

ପ୍ରାୟ ୩୦ ଜଣ ବିଶେଷଜ୍ଞ ଏହି ଉତ୍ଖନନ ସ୍ଥଳରେ ଏବେ ଗବେଷଣା ଚଳାଇଛନ୍ତି। ଡିସେମ୍ବର ୨୦୧୯ରେ ମେସ୍କିକୋର ନୃତତ୍ବବିତ୍ମାନେ ଏହି ସ୍ଥାନରୁ ୧୫ ହଜାର ବର୍ଷ ତଳେ ମାମଥ୍ ଧରିବାକୁ ମଣିଷମାନେ ଖୋଳିଥିବା ଦୁଇଟି ଗାଢ଼ର ସନ୍ଧାନ ପାଇଥିଲେ।
ଏହାଛଡ଼ା, ସେହି ସ୍ଥାନରୁ ଗୟଳ, ଓଟ, ଘୋଡ଼ା ଏବଂ ନରକଙ୍କାଳ ଥିବା ସମାଧି ମଧ୍ୟ ବାହାରିଥିଲା। ବିମାନ ବନ୍ଦର ଗଢ଼ା ଯାଉଥିବା ଏହି ସ୍ଥାନଟି ମେକ୍ସିକୋ ସହରର ଉତ୍ତରକୁ ପ୍ରାୟ ୫୦ କିଲୋମିଟର୍ ଦୂରରେ ଅବସ୍ଥିତ।