ନାଗାର୍ଜୁନ ବେଶର ସ୍ୱରୂପ : ଜାଣନ୍ତୁ କାହିଁକି ଏହି ବେଶର ପ୍ରତ୍ୟକ୍ଷ ଫଟୋଚିତ୍ର ଉପଲବ୍ଧ ନୁହେଁ

ବେଶର ନାମ ନାଗାର୍ଜୁନ- ୮/ ଅସିତ ମହାନ୍ତି

ନାଗାର୍ଜୁନ ବେଶରେ କେମିତି ଦିଶନ୍ତି ଶ୍ରୀଜଗନ୍ନାଥ ? ତାଙ୍କ ସହିତ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ମଧ୍ୟ ବେଶ ହେଉଥିବାରୁ, ଏହାର ଦୃଶ୍ୟ ଯେ ଅତ୍ୟନ୍ତ ମନୋରମ ଏଥିରେ କୌଣସି ସଂଶୟ ନାହିଁ । ଏହି ବେଶ କେବଳ ଶ୍ରୀମନ୍ଦିରର ରତ୍ନବେଦିରେ ହୋଇଥାଏ । ତେଣୁ ଏହାର ପ୍ରତ୍ୟକ୍ଷ ଫଟୋଚିତ୍ର ନାହିଁ । ଅନ୍ୟସୂତ୍ରରୁ ମଧ୍ୟ ଏହା ମିଳିବା ସମ୍ଭବ ନୁହେଁ । କାରଣ ବେଶ ପ୍ରସ୍ତୁତକାରୀ  ଯେଉଁ ବେଶ ପ୍ରସ୍ତୁତ କରନ୍ତି, ତା’ ସହିତ ହସ୍ତ ଓ ପାଦ ଏବଂ ଅନ୍ୟାନ୍ୟ ଆୟୁଧ ଓ ଅଳଙ୍କାର ପ୍ରଭୁ ଲାଗି ହୋଇଥାଆନ୍ତି । ତେଣୁ, ଅନ୍ୟାନ୍ୟ ଅନେକ ବେଶ ପରି, ଏହା କେବଳ ନିଜେ ଦେଖିବାପାଇଁ; ପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କରି ନିଜର ନୟନ, ମନ ତୃପ୍ତ କରିବାପାଇଁ ।
ତେବେ ବେଶ ପ୍ରସ୍ତୁତକାରୀ ଓ ବେଶକାରୀ ସିଂହାରୀ ଉଭୟଙ୍କ ସୂତ୍ରରୁ ଏ ସଂପର୍କରେ ନିର୍ଦ୍ଦିଷ୍ଟ ବିବରଣୀ ମିଳେ । ଡକ୍ଟର ଭାସ୍କର ମିଶ୍ର ‘ପୌରୁଷ’ ପତ୍ରିକାର ନଭେମ୍ବର-୨୦୨୦ ସଂଖ୍ୟାରେ ସେହି ସୂତ୍ରରୁ ବିଶଦ ବିବରଣୀ ମଧ୍ୟ ଦେଇଛନ୍ତି । ତଦନୁଯାୟୀ- ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ବୀର ନାଗା ବେଶରେ ସଜ୍ଜିତ ହୋଇଥାନ୍ତି । ଦେବୀ ସୁଭଦ୍ରା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ତ୍ରିଭୁବନେଶ୍ୱରୀ ବେଶରେ ମଣ୍ଡିତ ହୁଅନ୍ତି । ମୁଖ୍ୟତଃ ହାଣ୍ଡିଆ ରୂପକ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜ୍ଜିତ କରି ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ମସ୍ତକରେ ଖଞ୍ଜି ଦିଆଯାଏ । ହାଣ୍ଡିଆ ଉପରେ ପାଉଁଜି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟଚନ୍ଦ୍ର ଇତ୍ୟାଦି ଖଞ୍ଜି ତାହାକୁ ସୁସଜ୍ଜିତ କରାଯାଇଥାଏ । ମହାପ୍ରଭୁଙ୍କର ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ଢେଣୁ ବନ୍ଧାଯାଏ । ଢେଣୁରେ ଥିବା ଧନୁର ଅଗ୍ରଭାଗ ଦ୍ୱୟକୁ ବିପରୀତମୁଖୀ ସୋଲ, ଜମ୍ବୁରା, ଜରି ଓ କଇଁଥ ଅଠାରେ ନିର୍ମିତ ମୟୂର ଥୁଣ୍ଟା ଗ୍ରୀବା ଯୁକ୍ତ କରାଯାଏ । ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନ ଖଞ୍ଜାଯାଏ ।
ଏହି ବେଶର ପ୍ରାରମ୍ଭରେ ବେଶକାରୀ ସେବକମାନେ ଠାକୁରମାନଙ୍କୁ ପାଟବସ୍ତ୍ର, ଶ୍ରୀକାପଡ଼ା, ଫୁଟା, ପହରଣ, ବଳା ଇତ୍ୟାଦି ଲାଗି କରିବା ପରେ, ଭେଲ୍‌ଭେଟ ବା ସିଲ୍‌କ କନାରେ ପ୍ରସ୍ତୁତ ଜାମା ପିନ୍ଧାଇଥାଆନ୍ତି । ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖରେ ଆଡ଼ଗାଲି ସହିତ ସୋଲ, କପଡ଼ା, ଜମ୍ବୁରାରେ ନିର୍ମିତ ଦାଢ଼ି ଲଗାଯାଏ । ବକ୍ଷରେ ବ୍ୟାଘ୍ର ଛାଲ, କଟିରେ କାଛେଣି ଓ ହାଣ୍ଡିଆରେ ସିଂଘଡ଼ା ଝୁଲାଇ ଦିଆଯାଏ । ଏହାବ୍ୟତୀତ ବାଙ୍କଛୁରୀ, ଖଣ୍ଡା, କଟାରୀ, ଜଙ୍ଘି, ରଂଜକ ଦାନି, ଘଣ୍ଟି, ବାଘନଖ ଓ ପୃଷ୍ଠଦେଶରେ ଢେଣୁ ସହିତ କଟିରେ ଢାଲ, ଅସ୍ତ୍ରଶସ୍ତ୍ର ସହିତ ପରଚୁଳା ଖଞ୍ଜା ଯାଏ । ଭୁଜରେ ବଡ଼ ଓତା, ହୁଦା ଓ ଓଳମାଳ ଏବଂ କର୍ଣ୍ଣରେ କାନଫୁଲ, କଲିଫି ପ୍ରଭୃତି ଶୋଭାପାଏ ।
ଏହି ବେଶ ସହିତ ପ୍ରଭୁମାନଙ୍କୁ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, କପାଳ ଦେଶରେ ସୁବର୍ଣ୍ଣ ତିଳକ, ଚନ୍ଦ୍ରସୂର୍ଯ୍ୟ ଓ ବିଭିନ୍ନ ସୁବର୍ଣ୍ଣମାଳାରେ ମଣ୍ଡିତ କରାଯାଏ । ଦେବୀ ସୁଭଦ୍ରାଙ୍କ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ଚନ୍ଦ୍ରିକା, ତଡ଼ଗି, ଅଣ୍ଟାପଟି ଓ ବିଭିନ୍ନ ସୁବର୍ଣ୍ଣ ମାଳାରେ ଭୂଷିତ କରାଯାଏ । ଶ୍ରୀଜଗନ୍ନାଥ ହସ୍ତରେ ଶଙ୍ଖ ଓ ଚକ୍ର ଏବଂ ଶ୍ରୀବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି । ଠାକୁରମାନଙ୍କୁ ବିଭିନ୍ନ ସୁଗନ୍ଧିପୁଷ୍ପ ଓ ତୁଳସୀମାଳା, ଯଥା- ଅଧରମାଳ, ଶ୍ରୀପୟରମାଳ, ନାକୁଆସି, ଝୁମ୍ପା, ତିଳକ ଓ ଗଭା ଇତ୍ୟାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ କରାଯାଏ ।
ନିର୍ଦ୍ଦିଷ୍ଟ ତିଥିର ଦ୍ୱିତୀୟ ଦିବସ ହୋଇଥିବାରୁ, ଏହି ବେଶ ସାଧାରଣତଃ ସକାଳେ, ଠାକୁରମାନଙ୍କର ଅବକାଶ ନୀତି ବଢ଼ିବା ପରେ କରାଯାଇଥାଏ । ନାଗାର୍ଜୁନ ବେଶ କରାଯିବା ପରେ ଅବଶିଷ୍ଟ ନୀତି, ଯଥା- ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ ଆଦି ହୋଇଥାଏ । ତାହାପରେ ସାହାଣ ମେଲା ହୋଇ ଭକ୍ତ ଓ ସର୍ବସାଧାରଣ ଏହି ବେଶ ଦର୍ଶନ କରିଥାଆନ୍ତି ।
କିନ୍ତୁ ଏ ବର୍ଷ କୋଭିଡ଼୍ କଟକଣା ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଫଳରେ କେବଳ ସ୍ମୃତି ବା ପ୍ରସ୍ତୁତ ଚିତ୍ରପଟ ଆଧାରରେ ହିଁ ପ୍ରତ୍ୟେକେ ଏହି ବେଶ ମନଚକ୍ଷୁରେ ଦର୍ଶନ କରୁଛନ୍ତି।
ସମ୍ବନ୍ଧିତ ଖବର