ସୁଭାଷିତ: ହରିଭକ୍ତି ମନକୁ ପାତକଶୂନ୍ୟ କରେ

ଶରଦ ଭୟେ ମେଘ ଗଲା। ଆକାଶ ନିର୍ମଳ ଦିଶିଲା।ା
ହରି ଭକତି ବଳେ ଯେହ୍ନେ। ପାତକ ନଲାଗଇ ମନେ।ା
-ଶ୍ରୀମଦ୍‌ଭାଗବତ, ଦଶମସ୍କନ୍ଧ, ଜଗନ୍ନାଥ ଦାସ

ବ୍ୟାସଦେବ ବିରଚିତ ‘ଶ୍ରୀମଦ୍ ଭାଗବତ’ର ଦଶମ ସ୍କନ୍ଧ, ଏହି ମହାପୁରାଣର ଏକ ରସପୂର୍ଣ୍ଣ ଅଂଶ। ତାହାର ଏକବିଂଶ ଅଧ୍ୟାୟରେ ରହିଛି ବର୍ଷା ଓ ଶରତ ଋତୁର ସୁନ୍ଦର ବର୍ଣ୍ଣନା। ଶରତ ଋତୁ ପ୍ରସଙ୍ଗରେ ବର୍ଣ୍ଣିତ ଅଛି- ନନ୍ଦସୁତ ଶ୍ରୀକୃଷ୍ଣ ଗୋପାଳ ବାଳକଙ୍କ ମେଳରେ ବନରେ ଖେଳିବା ଓ ବୁଲିବା ବେଳେ, ମର୍ତ୍ତ୍ୟରେ ଶରତ ଋତୁ ଆସିଗଲା। ଆକାଶର ଶୁକ୍ଳ ମେଘ ଦେଖି ମନେହେଲା, ତାହା ଯେପରି ଶୁକ୍ଳବର୍ଣ୍ଣ ଭଗବାନ ବିଷ୍ଣୁଙ୍କର ତେଜର ପରିପ୍ରକାଶ।

କିନ୍ତୁ ହରିଭକ୍ତି ପ୍ରସଙ୍ଗରେ ମଧ୍ୟ ବ୍ୟାସଦେବ ଏହାର ସୁନ୍ଦର ବର୍ଣ୍ଣନା କରିଛନ୍ତି। ଉପରୋକ୍ତ ସୁଭାଷିତ ଏହାର ଉଦାହରଣ। ତାହାର ଆଧାରରେ, ସନ୍ଥକବି ଜଗନ୍ନାଥ ଦାସ ନବାକ୍ଷରୀ ଓଡ଼ିଆ ଭାଗବତରେ କହିଛନ୍ତି- ଶରତର ଭୟରେ ସତେ ଯେମିତି ମେଘମାନେ ଆକାଶ ଛାଡ଼ି ଚାଲିଗଲେ। ଫଳରେ ଆକାଶ ନିର୍ମଳ ହୋଇଗଲା। ଜଳରୁ ମଧ୍ୟ ପଙ୍କ ଓ ମଳ ଅପସରି ଗଲା। ସେହିପରି ଭାବରେ, ଯେଉଁମାନେ ହରି ବା ଭଗବାନ ବିଷ୍ଣୁଙ୍କୁ ଭକ୍ତି କରନ୍ତି, ସେହି ଭକ୍ତିର ପ୍ରଭାବରୁ ତାଙ୍କ ମନରୁ ସମସ୍ତ ପାପ ଦୂର ହୋଇଥାଏ।

ସମ୍ବନ୍ଧିତ ଖବର