ଏଣିକି ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍‌ସ!

ଭାରତରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଖାସକରି ଏହି ଦୁର୍ଘଟଣାରେ ଅଧିକାଂଶ ଗାଡ଼ି ଚାଳକ ମୃତ୍ୟୁବରଣ କରୁଛନ୍ତି। ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ତେଣୁ ଏହାକୁ ନଜରରେ ରଖି ରାଜସ୍ଥାନ ହାଇକୋର୍ଟ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଗାଡ଼ି ଚଳାଉଥିବା ସମୟରେ ମୋବାଇଲରେ କଥା ହେଉଥିବା ଲୋକଙ୍କ ଡ୍ରାଇଭିଂ ଲାଇସେନ୍‌ସ ରଦ୍ଦ କରିବାକୁ ଟ୍ରାଫିକ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ ।

ରାଜସ୍ଥାନ ହାଇକୋର୍ଟ ଟ୍ରାଫିକ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଯେଉଁ ଲୋକ ଗାଡ଼ି ଚଳାଉଥିବା ବେଳେ ମୋବାଇଲର ବ୍ୟବହାର କରୁଥିବ ତାଙ୍କ ଫଟୋ ଉଠାଇ ଆରଟିଓକୁ ଫରୱାଡ଼ କରାଯାଉ। ଏହାଦ୍ୱାରା ଆରଟିଓ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍‌ସ ରଦ୍ଦ କରାଯାଇପାରିବ। ଟ୍ରାଫିକ କମିଶନରଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରାସ୍ତାରେ ଗାଡ଼ି ଚଳାଉଥିବା ବେଳେ ଲୋକମାନେ ଅଧିକ ସଂଖ୍ୟାରେ ମୋବାଇଲ ବ୍ୟବହାର କରୁଥିବା ନେଇ ହାଇକୋର୍ଟରେ ଅଭିଯୋଗ କରିଥିଲେ ଟ୍ରାଫିକ ପୋଲିସ କମିଶନର।

ରାଜସ୍ଥାନ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ମଧ୍ୟ ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଥିଲା। କିନ୍ତୁ ଏଥିନେଇ କୌଣସି କଡ଼ା ନିୟମ ନଥିବାରୁ ଲୋକେ ଏହାକୁ ଗୁରୁତର ଭାବେ ଗ୍ରହଣ କରୁନଥିଲେ। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବିକ, ଡ୍ରାଇଭିଂ ସମୟରେ ମୋବାଇଲ ଫୋନ ବ୍ୟବହାର କରିବା ଦ୍ୱାରା ଦୁର୍ଘଟଣାର ସମ୍ଭାବନା ୪ଗୁଣ ପର୍ଯ୍ୟନ୍ତ ବିଯାଇଥାଏ। ତେଣୁ ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ରାଜସ୍ଥାନ ହାଇକୋର୍ଟଙ୍କ ଏଭଳି ନିଷ୍ପତି ବାସ୍ତବରେ ପ୍ରଂଶସାଯୋଗ୍ୟ।

ସମ୍ବନ୍ଧିତ ଖବର