ଭୁବନେଶ୍ବର : ଗୋଟିଏ ଅଲିମ୍ପିକ୍ସ ପଦକ ଆଗରେ ୧୦୦ ଗ୍ରାଣ୍ଡସ୍ଲାମ୍ ବି ତୁଚ୍ଛ। ମୁଁ ଜିତିଥିବା ଅଲିମ୍ପିକ୍ସ ପଦକ କେବଳ ମୋର ନୁହେଁ। ଏହାର ପ୍ରତିଟି ଅଣୁ , ପରମାଣୁ ସବୁ ଭାରତୀୟଙ୍କର। ଆଟ୍‌ଲାଣ୍ଟାରେ ମୋ ପ୍ରିୟ ଦେଶ ପାଇଁ ଦୀର୍ଘ ୫୨ ବର୍ଷ ପରେ ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିବାର ଆତ୍ମସନ୍ତୋଷ, ଖୁସି ଓ ଉଲ୍ଲାସ ସବୁଠାରୁ ଭିନ୍ନ ଓ ଅଲଗା। ଏହା ସ୍ବତନ୍ତ୍ର। ଏଥିଲାଗି ମୁଁ ମୋ ସଂପୂର୍ଣ୍ଣ ଖେଳ ଜୀବନକୁ ବାଜିରେ ଲଗାଇ ଦେଇଥିଲି ବୋଲି ‘ସମ୍ବାଦ’ର ଚତୁର୍ଥ ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ ଅବସରରେ ମହାନ ଟେନିସ୍ ତାରକା ଲିଆଣ୍ଡର ପେସ୍ ଏହା କହିଛନ୍ତି।

Advertisment

publive-image

ସେହି ସ୍ମରଣୀୟ ଓ ଐତିହାସିକ ପଦକ ବିଜୟ ଅଭିଯାନକୁ ମନେ ପକାଇ ଲିଆଣ୍ଡର ଅତ୍ୟନ୍ତ ଭାବବିହ୍ବଳ ହୋଇ ଯାଇଥିଲେ। ନିଜ ସଂଘର୍ଷକୁ ମନେ ପକାଇବାକୁ ଯାଇ ସେ କହିଥିଲେ ଯେ ଆଟ୍‌ଲାଣ୍ଟା ଅଲିମ୍ପିକ୍ସର ଆନ୍ଦ୍ରେ ଆଗାସୀଙ୍କ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍‌ରେ ମୋ ରିଷ୍ଟ ଟେଣ୍ଡନ୍ (କଚଟି ହାଡ଼କୁ ଯୋଡ଼ୁଥିବା ‌ଟେଣ୍ଡନ୍) ୭୦ ପ୍ରତିଶତ ଛିଡ଼ି ଯାଇଥିଲା। ସେଥିପାଇଁ ମୋତେ ବହୁତ କଷ୍ଟ ହେଉଥିଲା। ଏପରିକି ମୋ ଆଙ୍ଗୁଠିକୁ ବି ମୁଁ ଉଠାଇ ପରୁନଥିଲି। ତଥାପି ମୁଁ ପଟିବାନ୍ଧି ଖେଳିବା ଜାରି ରଖିଥିଲି। ଦୁର୍ଭାଗ୍ୟଜନକ ଭାବେ କିନ୍ତୁ ମ୍ୟାଚ୍ ହାରିଯାଇଥିଲି। ଡାକ୍ତରଖାନାରେ ଥିଲା ବେଳେ ମୋ ଅଲିମ୍ପିକ୍ସ ସ୍ବପ୍ନ ଧୂଳିସାତ୍ ହୋଇଗଲା ଭାବି କାନ୍ଦି ପକାଇଥିଲି। ଡାକ୍ତରମାନେ ମୋତେ ୬ ମାସ ବିଶ୍ରାମ ନେବାକୁ କହିଥିଲେ। ଅସହ୍ୟ ଯନ୍ତ୍ରଣା ହେଉଥିଲେ ବି ବ୍ରାଜିଲର ଫର୍ନାଣ୍ଡୋ ମେଲିଜେନିଙ୍କ ବିପକ୍ଷ କାଂସ୍ୟ ପଦକ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିଲି। ମାତ୍ର ୫ଟି ବଲ୍‌ର ସମ୍ମୁଖୀନ ହେବା ପରେ ହାତ ଏତେ ‌ଜୋରରେ ବିନ୍ଧିଥିଲା ଯେ ମୋ ଆଖିରୁ ଲୁହ ଗଡ଼ି ଯାଇଥିଲା। ହେଲେ କେଜାଣି କ’ଣ ହେଲା ଶହେ କୋଟି ଭାରତୀୟଙ୍କ କଥା ଭାବି ମୁଁ ଏକପ୍ରକାର କାଠ ହୋଇ ଯାଇଥିଲି। ପରବର୍ତୀ ୩ ଘଣ୍ଟା ପର୍ଯ୍ୟନ୍ତ ମୋତେ ଆଶ୍ଚର୍ଯ୍ୟଜନକ ଭାବେ ଆଦୌ କଷ୍ଟ ହୋଇ ନଥିଲା। ଶେଷରେ ମୁଁ ବିଜୟୀ ହେଲି। ଭାରତ ପାଇଁ ପଦକ ଜିତିଲି।

ଏହି କଥା‌ ବର୍ଣ୍ଣନା କଲା ବେଳେ ଲିଆଣ୍ଡର କାନ୍ଦି ପକାଇଥିଲେ। ଆଟ୍‌ଲାଣ୍ଟାରେ ଲିଆଣ୍ଡରଙ୍କୁ ସମୁଦ୍ର ପତନଠାରୁ ଢେର ଉଚ୍ଚରେ ଖେଳିବାର ଥିଲା। ଯାହା ଆଦୌ ସହଜ ନଥିଲା। ହେଲେ ଉଦ୍‌ଘାଟନୀ ଉତ୍ସବରେ ପିଲାବେଳର ଆଦର୍ଶ ମହମ୍ମଦ ଅଲ୍ଲୀଙ୍କୁ ଭେଟିଲା ପରେ ତାଙ୍କ ସାହସ ବଢ଼ି ଯାଇଥିଲା। ମନରେ ନୂଆ ଉନ୍ମାଦନା ଭରି ଯାଇଥିଲା। ଏଥିନେଇ ସେ କହିଥିଲେ, ଶହେ କୋଟି ଭାରତୀୟଙ୍କ ଆଶୀର୍ବା‌ଦ ନେଇ ସେଠାକୁ ଯାଇଥିବାରୁ ପଦକ ଜିତିପାରିବି ବୋଲି ଆତ୍ମବିଶ୍ବାସ ଥିଲା। ହେଲେ ମୋ ଡ୍ର’ରେ ବିଶ୍ବର ଏକ ନମ୍ବର ଖେଳାଳି ପିଟ୍ ସାମ୍ପ୍ରାସ୍ ଥିଲେ। ତଥାପି କେହି ଜଣେ ଅଦୃଶ୍ୟ ଶକ୍ତି ମୋତେ ଯେମିତି କହିଥିଲେ ଚିନ୍ତା କରନି ତୁମ ସ୍ବପ୍ନକୁ ଅନୁସରଣ କର। ସୌଭାଗ୍ୟବଶତଃ ସାମ୍ପ୍ରାସ୍ ବ୍ୟକ୍ତିଗତ କାରଣ ପାଇଁ ଆଟ୍‌ଲାଣ୍ଟା ଖେଳିବାକୁ ଆସି ନଥିଲେ। ଫଳରେ ମୋ ପଥ ସୁଗମ ହୋଇଯାଇଥିଲା। ଲିଆଣ୍ଡର ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଖେଳିଥିଲେ। ହେଲେ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଥିଲେ।

publive-image

ପ୍ରଥମ ବର୍ଷ ଗୋଟିଏ ବି ମ୍ୟାଚ୍ ଜିତିନଥିଲି
ଟେନିସକୁ ପେସା କରିବା ପୂର୍ବରୁ ଲିଆଣ୍ଡର ଫୁଟ୍‌ବଲର୍ ହେବାକୁ ସ୍ବପ୍ନ ଦେଖିଥିଲେ। ଫୁଟ୍‌ବଲ୍ ଧରି ଶୋଉଥିଲେ। ଫୁଟବଲ୍ ନିଶାରେ ସେ ଯେମିତି ପୂରା ପାଗଳ ଥିଲେ। ଏପରିକି ମାତ୍ର ୧୦-୧୧ ବର୍ଷରେ ଭାରତୀୟ ଉପକନିଷ୍ଠ ଫୁଟବଲ୍ ଦଳରେ ଖେଳିବାର ସୁଯୋଗ ‌ପାଇଥିଲେ। ବାର୍ସିଲୋନା ଫୁଟ୍‌ବଲ୍ ଏକାଡେମି ଲାଗି ମଧ୍ୟ ମନୋନୀତ ହୋଇଥିଲେ। ସେଠାରେ ଏକାଧିକ ମାସ ଧରି ରହି ଏହି ଖେଳର ମୌଳିକ କଳା ଶିଖିଥିଲେ। ହେଲେ ଭାରତର ପ୍ରତିନିଧିତ୍ବ କରିବାର ଗର୍ବ ଓ ଗୌରବ ପାଇଁ ଫୁଟବଲ୍ ଛାଡ଼ି ଦେଇଥିଲେ। ଫୁଟ‌୍ବଲ୍ ଛାଡ଼ିବାର କାରଣ ବର୍ଣ୍ଣନା କରିବାକୁ ଯାଇ ଲିଆଣ୍ଡର କହିଥିଲେ ଯେ କିଛି ମାସ ବା‌ର୍ସିଲୋନା ଏକାଡେମିରେ କଟାଇବା ପରେ ମୋ ଖେଳରେ ପ୍ରଭାବିତ ହୋଇ ସେମାନେ ତାଙ୍କ କନିଷ୍ଠ ଦଳରେ ‌ମୋତେ ସ୍ଥାନ ଦେଇଥିଲେ। ହେଲେ ସର୍ତ୍ତ ରଖିଥିଲେ ଯେ ମୋତେ ଭାରତୀୟ ନାଗରିକତା ଛାଡ଼ି ସ୍ପେନ୍‌ର ନାଗରିକତ୍ବ ଗ୍ରହଣ କରିବାକୁ ପଡ଼ିବ। ଭବିଷ୍ୟତରେ ଯେମିତି ମୁଁ ‌ସେମାନଙ୍କର ପ୍ରତିଦ୍ବନ୍ଦ୍ବୀ ନ ହୁଏ, ସେଥିପାଇଁ ସେମାନେ ସମ୍ଭବତଃ ଏଭଳି ସର୍ତ୍ତ ରଖିଥିଲେ। ହେଲେ ମୋ ପାଇଁ ଦେଶ ଆଗରେ ସବୁ ତୁଚ୍ଛ। ଏକଥା ଶୁଣିବା ପରେ ମୁଁ ତୁରନ୍ତ ବିମାନ ଟିକେଟ କାଟି କୋଲକାତା ଫେରି ଆସିଥିଲି। ସେହିଠାରେ ହିଁ ଫୁଟବଲର୍‌ ହେବା ସ୍ବପ୍ନ ଛାଡ଼ି ଦେଇଥିଲି। ଘରକୁ ଫେରିଲା ପରେ ବାପା ମୋତେ ପଚାରିଥିଲେ, ଏବେ ତୁ କ’ଣ କରିବୁ। ଫୁଟ୍‌ବଲର୍‌ ହେବା ତୋ ସ୍ବପ୍ନ ଥିଲା। ମୁଁ କହିଥିଲି ଭାରତ ପାଇଁ ଖେଳିବା ହିଁ ମୋର ନିଶା ଓ ସ୍ବପ୍ନ। ମୁଁ ଆପଣଙ୍କ ଭଳି ଭାରତୀୟ ଜର୍ସି ପିନ୍ଧିବାକୁ ଚାହୁଁଛି। ମୁଁ କେଉଁ ଖେଳ ଏବେ ଖେଳିବି ସେକଥା ଖାଲି କୁହନ୍ତୁ। ସ୍କୁଲ ସ୍ତରରେ ମୁଁ ହକି, ବାସ୍କେଟଲ୍, ସନ୍ତରଣ, କ୍ରିକେଟ୍, ଟ୍ରାକ୍ ଆଣ୍ଡ ଫିଲ୍ଡ ସବୁ ଖେଳିଥିଲି। ହେଲେ କାହିଁକି କେଜାଣି ମୋ ପାଟିରୁ ଟେନିସ୍ ବାହାରି ଯାଇଥିଲା। ମୋ ବାପା ଏହା ଶୁଣି ୬ ମିନିଟ୍ ଧରି ହସିଥିଲେ। ସେହି ହସ ମୋତେ ଏବେ ବି ଅନୁପ୍ରେରିତ କରୁଛି। ଜଣେ ଆଥ୍‌ଲେଟ୍ ଭାବେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଫୁଟ୍‌ବଲ୍ ଓ ହକି ଭଳି ଖେଳରେ ଅଲିମ୍ପିକ୍ସ ଖେଳିବା ଲାଗି ମୋତେ ଅନ୍ୟ ଉପରେ ନିର୍ଭର କରିବାକୁ ହେବ। ଟେନିସରେ କିନ୍ତୁ ମୋ ଅଲିମ୍ପିକ୍ସ ଅଂଶଗ୍ରହଣ ମୋ ନିଜ ଦକ୍ଷତା ଓ କଠିନ ପରିଶ୍ରମ ଉପରେ ନିର୍ଭର କରିବ। ଏଣୁ ମୋତେ ଦେଶର ଶ୍ରେଷ୍ଠ ଟେନିସ୍ ଏକାଡେମିକୁ ମାତ୍ର ବର୍ଷକ ପାଇଁ ପଠାଇବାକୁ ବାପା-ମାଙ୍କୁ ଅନୁରୋଧ କରିଥିଲି। ୧୯୮୬ ମସିହା ମେ ମାସ ୧୨ ତାରିଖରେ ମୋ ବାପା ମୋତେ ମାଡ୍ରାସର ରମେଶ କୃଷ୍ଣନ୍ ଟେନିସ୍ ଏକାଡେମିକୁ ନେଇଥିଲେ। ସେହିଠାରୁ ମୋ ସଂଘର୍ଷମୟ ଟେନିସ୍ ଜୀବନ ଆରମ୍ଭ ହୋଇଥିଲା। ମାଡ୍ରାସରେ ରହିବାର ପ୍ରଥମ ୩୬୫ ଦିନ ମୁଁ ସବୁଦିନ ରାତିରେ କାନ୍ଦୁଥିଲି। ପ୍ରଥମ ବର୍ଷକ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନଥିଲି। ହେଲେ ପରେ ଜିତିବାର କଳା ଶିଖି ଯାଇଥିଲି।