୫ ଦିନ ଲଗାତାର ଉଡ଼ି ୫, ୭୦୦ କିଲୋମିଟର୍‌ ଦୂର ସୋମାଲିଆରେ ପହଞ୍ଚିଲେ ଦୁଇଟି ଭାରତୀୟ ବାଜପକ୍ଷୀ

ଇମ୍ଫାଲ୍‌: ‘ଲଙ୍ଗ୍‌ଲେଙ୍ଗ୍‌’ ଓ ‘ତାମେଙ୍ଗ୍‌ଲଙ୍ଗ୍‌’ ନାମକ ଦୁଇଟି ମାଈ ବାଜ ନିରବଚ୍ଛିନ୍ନ ଭାବେ ୫ ଦିନ ଉଡ଼ି ଶନିବାର ଦିନ ୫, ୭୦୦ କିଲୋମିଟର ଦୂର ସୋମାଲିଆରେ ପହଞ୍ଚିଛନ୍ତି ବୋଲି ଓ୍ଵାଇଲ୍‌ଡ୍‌ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଆର୍‌ ସୁରେଶ କୁମାର।

ମଣିପୁରର ଦୁଇଟି ଜିଲ୍ଲା ନାମରେ ନାମିତ ଏହି ଦୁଇ ବାଜ ଏବଂ ଏକ ଅଣ୍ଡିରା ବାଜ ଦେହରେ ନଭେମ୍ବର ପ୍ରଥମ ସପ୍ତାହରେ ସାଟେଲାଇଟ୍‌ ରେଡିଓ-ଟ୍ୟାଗ୍‌ ଖଞ୍ଜା ଯାଇଥିଲା। ଭାରତୀୟ ଦୂରପଥ ଦେଶାନ୍ତରଗାମୀ ପକ୍ଷୀମାନଙ୍କର ଯାତାୟାତ ପଥ ଅଧ୍ୟୟନ ନିମନ୍ତେ ଏହା ଥିଲା ଗୋଟିଏ ପ୍ରକଳ୍ପର ଅଂଶବିଶେଷ। ‘ମଣିପୁର’ ନାମକ ସେ ଅଣ୍ଡିରା ବାଜକୁ ନଭେମ୍ବର ୯ ତାରିଖ ଦିନ କେହି ମାରିଦେଇଥିବା ଜଣାପଡ଼ିଛି।

ନଭେମ୍ବର ୯ ତାରିଖରେ ଉଡ଼ାଣ ଆରମ୍ଭ କରିଥିବା ତାମେଙ୍ଗ୍‌ଲଙ୍ଗ୍‌ ନଭେମ୍ବର ୨୪ ତାରିଖ ଭାରତୀୟ ସମୟ ରାତି ୧ଟାରେ ସୋମାଲିଆରେ ପହଞ୍ଚିଥିଲା। ଲଙ୍ଗ୍‌ଲେଙ୍ଗ୍‌ ନଭେମ୍ବର ୨୩ ତାରିଖ ସନ୍ଧ୍ୟା ୫ଟାରେ ସେଠାରେ ପହଞ୍ଚିଥିବା କଥା କୁମାର କହନ୍ତି। ଗନ୍ତବ୍ୟସ୍ଥଳ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପୂର୍ବରୁ ସେମାନେ କିଛି ଦିନ ସୋମାଲିଆରେ କଟାଇବେ ବୋଲି ଅନୁମାନ କରାଯାଉଛି।

ଗ୍ରୀଷ୍ମକାଳରେ ବାଜମାନେ ସେମାନଙ୍କର ଅଣ୍ଡାଦେବା ଓ ଛୁଆଫୁଟାଇବା ସମୟ ଦକ୍ଷିଣପୂର୍ବ ରୁଷିଆ ଏବଂ ଉତ୍ତରପୂର୍ବ ଚୀନ୍‌ରେ ବିତାଇଥାଆନ୍ତି। ଶୀତକାଳରେ ସେମାନେ ଦକ୍ଷିଣ ଆଫ୍ରିକାରେ ରହି ଏପ୍ରିଲ୍‌-ମେ ମାସରେ ଆଫଗାନିସ୍ଥାନ ଏବଂ ପୂର୍ବ ଏସିଆ ବାଟ ଦେଇ ସେମାନେ ଭାରତର ଉତ୍ତରପୂର୍ବକୁ ଫେରନ୍ତି। ଏମିତି ବର୍ଷକୁ ପ୍ରାୟ ୨୦ ହଜାର କିଲୋମିଟର ଯାତ୍ରା କରିଥାଆନ୍ତି ସେମାନେ।

ସମ୍ବନ୍ଧିତ ଖବର