ଉତ୍କଳ ସମ୍ମିଳନୀ-ସେଦିନ ଓ ଆଜି

ଓଡ଼ିଶା ଦିବସ-୨୦୧୮

ମୋ’ର କ୍ଷମତା ଲୋଡ଼ା ନାହିଁ, କେବଳ ମମତା ଲୋଡ଼ା। ଏଇ ନାରା ସହ ଓଡ଼ିଆଙ୍କୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ୧୯୦୩ରେ ଜନ୍ମ ନେଇଥିଲା ଉତ୍କଳ ସମ୍ମିଳନୀ। ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଥିବା ଓଡ଼ିଆ ଭାଷୀ ଅଞ୍ଚଳକୁ ଏକତ୍ରିତ କରି ଓଡ଼ିଆ ପ୍ରଦେଶ ଗଠନ ଥିଲା ଉତ୍କଳ ସମ୍ମିଳନୀର ଚରମ ଲକ୍ଷ୍ୟ। ସମ୍ମିଳନୀ ଗଠନ ସହ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ନିଜକୁ ତିଳତିଳ କରି ସମର୍ପି ଦେଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜ ଶ୍ରୀରାମଚନ୍ଦ୍ର ଭଂଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଠିତ ନଳକଣ୍ଠ ଦାସଙ୍କ ଭଳି ଅନେକ ମହାନାୟକ। ଫଳଶ୍ରୁତି ସ୍ୱରୂପ ୧୯୩୬ ଏପ୍ରିଲ୍‌ ୧ରେ ଓଡ଼ିଶା ହେଲା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ। ତେଣୁ ସେଦିନର ମଧୁବାବୁଙ୍କ ମାନସ ସନ୍ତାନର ପରିକଳ୍ପନା ଓଡ଼ିଆଙ୍କୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାର ଯେଉଁ ଅଙ୍ଗୀକାରବଦ୍ଧତା ଥିଲା ତାହା ହୁଏତ ଆଜି କ୍ୱଚିତ ଦେଖିବାକୁ ମିଳେ। ମାତ୍ର ଏବେ ବି ଉତ୍କଳ ସମ୍ମିଳନୀ ୧୯୫୬ ମସିହାର ଭାଷା ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଓଡ଼ିଶା ବାହାରେ ସୀମାନ୍ତ ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷା ପାଇଁ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖାର ଦିଲ୍ଲୀପ ଦାଶଶର୍ମା। କେବେ ଭାଷା ଆଇନ୍‌କୁ କାର୍ଯ୍ୟକାରୀ କରିବା ନେଇ ଉତ୍କଳ ସମ୍ମିଳନୀ ରାଜରାସ୍ତାକୁ ଓହ୍ଲାଇଛି ତ କେବେ ଗଜାନନ ମିଶ୍ରଙ୍କ ଭଳି କର୍ମୀମାନେ ଅନଶନ କରିଛନ୍ତି। ସାମୂହିକ ପ୍ରଭାବ ଯୋଗୁଁ ନିକଟରେ ସରକାର ଭାଷା ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଯଦିଓ ଘୋଷଣା କରିଛନ୍ତି କିନ୍ତୁ ଏଯାଏଁ ତାହା କାର୍ଯ୍ୟକାରୀ ନହେବା ଜନମାନସକୁ ଆଘାତ ଦେଇଛି।

ସମ୍ବନ୍ଧିତ ଖବର