ଓକିଲାତି ପାଠ ପଢିଥିବା ଯୋଗିତା କିଭଳି ହେଲେ ଭାରତର ପ୍ରଥମ ଟ୍ରକ ଡ୍ରାଇଭର

ନୂଆଦିଲ୍ଲୀ: ଓକିଲାତି ପଢ଼ିଛନ୍ତି କିନ୍ତୁ ରାଜରାସ୍ତାରେ ଟ୍ରକ ଚଳାଉଛନ୍ତି | ଭାରତର ପ୍ରଥମ ଟ୍ରକ ଡ୍ରାଇଭର ଭାବେ ପରିଚିତ ଯୋଗିତା ରଘୁବଂଶୀଙ୍କ କାହାଣୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ | ମହାରାଷ୍ଟ୍ରର ନେନ୍ଦୁରବାରର ଯୋଗିତା ଯୁକ୍ତ ଦୁଇ ପରେ ଓକିଲାତିରେ ଡିଗ୍ରୀ ହାସଲ କରିଥିଲେ | ଆଉ ଯେତେବେଳେ ତାଙ୍କର ବିବାହ ହୋଇଥିଲା, ସେତେବେଳେ ସ୍ୱାମୀ ମଧ୍ୟ ସ୍ୱାମୀ ମଧ୍ୟ ଓକିଲାତିରେ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ | ଆଉ ଓକିଲାତି କରି ନିଜେ ସ୍ୱାବଲମ୍ବୀ ହେବାକୁ କଳ୍ପନା କରୁଥିବାବେଳେ ହଠାତ ୧୬ ବର୍ଷ ତଳେ ଯୋଗିତାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା | ସ୍ୱାମୀଙ୍କ ମୃତ୍ୟୁ ପରେ ଯୋଗିତାଙ୍କ ମୁଣ୍ଡରେ ଚଡକ ପଡିଥିଲା | ଦୁଇ ସନ୍ତାନଙ୍କୁ କେମିତି ବଢ଼ାଇବେ, ସେ ନେଇ ମୁଣ୍ଡରେ ଚିନ୍ତା ପଶିଥିଲା | ଆଉ ଏହା ପରେ ସେ ଟ୍ରକ ଚଳାଇବାକୁ ଭାବିଥିଲେ |

ଯୋଗିତାଙ୍କ ମତରେ ଯଦି ଓକିଲାତି କରିଥାନ୍ତି ତ ବର୍ଷକୁ ଗୋଟିଏ କିମ୍ବା ଦୁଇଟି ପିଟିସନ ଫାଇଲ କରିବାକୁ ମିଳିଥାନ୍ତା | କିନ୍ତୁ ତାଙ୍କୁ ଛୁଆଙ୍କର ଲାଳନପାଳନ ପାଇଁ ନିୟମିତ ଅର୍ଥର ଆବଶ୍ୟକତା ପଡୁଥିଲା | ଆଉ ଟ୍ରକ ଚଳାଇବା ପରେ ନିୟମିତ ମଜୁରୀ ମିଳୁଥିବାରୁ ସେ ଟ୍ରକ ଚଳାଇବାକୁ ସଂକଳ୍ପ ନେଇଥିଲେ | ଆଉ ୧୬ ବର୍ଷ ତଳେ ଟ୍ରକ ଚଳାଇବା ଆରମ୍ଭ କରିଥିଲେ | ନିଜ ସ୍ୱାମୀଙ୍କର ଏକ ଟ୍ରକ ଥିବାବେଳେ ଜଣେ ଡ୍ରାଇଭର ରହିଥିଲେ | ସ୍ୱାମୀଙ୍କ ମୃତ୍ୟୁ ପରେ ଟ୍ରକ ବ୍ୟବସାୟ ମାନ୍ଦା ପଡିବା ସହ ଡ୍ରାଇଭରକୁ ଦରମା ଦେବା ତାଙ୍କ ପାଖେ ସମ୍ଭବ ନଥିଲା | ଆଉ ସେଥିପାଇଁ ନିଜ ସ୍ୱାମୀଙ୍କ ଟ୍ରକ ନିଜେ ଚଳାଇବାକୁ ଅଣ୍ଟା ଭିଡ଼ିଥିଲେ ଯୋଗିତା |

Photo-YOURSTORY

ଯୋଗିତା ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ଭୋପାଳରୁ ଅହମ୍ମଦାବାଦ ଯାଏଁ ଟ୍ରକ ଚଳାଇଥିଲେ | ପ୍ରଥମ ଦିନର ଟ୍ରକ ଚଳାଇବା ଅଭିଜ୍ଞତାକୁ ନେଇ ଯୋଗିତା କୁହନ୍ତି ଯେ ଟ୍ରକ ଚଳାଇବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା | କେଉଁ ମାର୍ଗ ଦେଇ ଠିକଣାରେ ପହଂଚି ହେବ ତାହା ଜଣାନଥିବାରୁ ଲୋକଙ୍କୁ ପଚାରିପଚାରି ସେ ମାର୍ଗ ଜାଣିପାରିଥିଲେ | ଯୋଗିତା କୁହନ୍ତି ଯେ, ‘ଅନେକ ଲୋକଙ୍କୁ ବିଶ୍ୱାସ ହୁଏ ନାହିଁ ଯେ ମୁଁ ଟ୍ରକ ଚଳାଏ | ଯଦି ଜଣଙ୍କ ମନରେ ଆତ୍ମବିଶ୍ୱାସ ଅଛି ତେବେ ସାମାଜିକ ପ୍ରତିବନ୍ଧକୁ ଜଣେ ଭାଙ୍ଗିଦେଇପାରିବ’ |

ସମ୍ବନ୍ଧିତ ଖବର