ପାର୍ସଲ ‌ଲୁଟି ସେଲ୍‌ସ ମ୍ୟାନ୍ ଗିରଫ

ଚନ୍ଦ୍ରଶେଖରପୁର : ଅନ୍‌ଲାଇନ୍‌ରେ ଆସିଥିବା ୫ଟି ଦାମୀ ମୋବାଇଲ ପାର୍ସଲକୁ ଗ୍ରାହକଙ୍କୁ ନ ଦେଇ ଲୁଟି ନେଇଥିବା ଏକ କୋରିୟର୍‌-ବୟକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ଶ୍ରୀମାନ ପରିଚ୍ଛା(୨୯)। ପୁଲିସ ମୋବାଇଲ ଟ୍ରାକ୍‌ କରି ତାକୁ ତା’ ଘର କଟକ ନୂଆସାହି ଜୋବ୍ରାରୁ ଗିରଫ କରିଛି। ପୁଲିସ ତାକୁ ପଚରାଉଚରା କରି ତା’ ତଥ୍ୟ ଆଧାରରେ ଚୋରି ମୋବାଇଲଗୁଡ଼ିକୁ କୋଲକାତାରୁ ଜବତ କରିଛି। କୋର୍ଟରେ ତାର ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନା ଅନୁଯାୟୀ, ଶ୍ରୀମାନ ଦୁଇ ସପ୍ତାହ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା କୋରିୟର୍‌ ସଂସ୍ଥାରେ କାମ କରୁଥିଲା। ଅନ୍‌ଲାଇନ୍‌ରେ ଆସିଥିବା ୫ଟି ମୋବାଇଲ ତାକୁ ଡେଲିଭରି ପାଇଁ ସଂସ୍ଥା ପକ୍ଷରୁ ଦିଆଯାଇଥିବା ବେଳେ ସେ ସେଗୁଡ଼ିକୁ ଗ୍ରାହକଙ୍କୁ ନ ଦେଇ ଲୁଟି ନେଇ ଫେରାର୍‌ ହୋଇଯାଇଥିଲା। ଏ ସଂପର୍କରେ ଗ୍ରାହକମାନେ ସଂସ୍ଥାର ମ୍ୟାନେଜର୍‌ ଭାଗୀରଥି ସ୍ୱାଇଁଙ୍କୁ ଅଭିଯୋଗ କରିବାରୁ ସେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଗ୍ରହଣ କରି ପୁଲିସ ତାକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା। ତା’ ମୋବାଇଲ୍‌ ଟ୍ରାକ୍‌ କରି ପୁଲିସ ଆଜି ତାକୁ କଟକ ଜୋବ୍ରାସ୍ଥିତ ଘରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର