ଅରାତିଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଦୀର୍ଘ ୪ ଦଶନ୍ଧି ଧରି ନିରଂତର ଭାବେ ଓଡ଼ିଶା ଚେସ୍‌କୁ ସେବା କରିଥିବା ଅରାତି ବିଜୟ ମହାନ୍ତିଙ୍କ ବିୟୋଗ ପରେ ଓଡ଼ିଶା‌ ଚେସ୍‌ ଜଗତ ଶୋକରେ ବୁଡ଼ିଯାଇଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଆରାତିଙ୍କୁ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସମର୍ପିତ ଜୀବନକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ଶନିବାର ରାତିରେ ସହିଦ ନଗରସ୍ଥିତ ଏସ୍ ଆର୍ ଚେସ୍‌ କେନ୍ଦ୍ର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଆୟକର ଅଧିକାରୀ ‌କେ କେ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ‌ସଭାରେ ନିଖିଳ ଓଡ଼ିଶା ଚେସ୍ ସଂଘର ଉପ ସଭାପତି ରଂଜନ ମହାନ୍ତି, କୋଲକାତା ଗୁଡରିକ୍‌ ଚେସ୍‌ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ଦୁର୍ଗାପ୍ରସାଦ ମହାପାତ୍ର, ପ୍ରଶିକ୍ଷକ ପ୍ରଭାତ ନାଥ, ସଜ୍ୟଜିତ ପଟ୍ଟନାୟକ, ପ୍ରଣବ ମହାନ୍ତି, ଏସୀୟ ବିଜୟିନୀ ଋତୁମ୍ବରା ବିଧାରଙ୍କ ସହିତ ବହୁ ଖେଳାଳିଙ୍କ ଅଭିଭାବକ ଏବଂ ପ୍ରଶଂସକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏସ୍‌ ଆର୍ ଚେସ୍‌ କେନ୍ଦ୍ରର ସଭାପତି ଶୁଭାଶିଷ ପଟ୍ଟନାୟକ ଏବଂ ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଏହି ଅବସରରେ କହିଥିଲେ, ଓଡ଼ିଶା ଚେସ୍‌ର ଅପୂରଣୀୟ କ୍ଷତି ଘଟିଲା। ସୂଚନାଯୋଗ୍ୟ, ଶେଷ ପର୍ଯ୍ୟନ୍ତ ସକ୍ରିୟ ଥିବା ସ୍ବର୍ଗତ ମହାନ୍ତି ହଠାତ୍ କର୍କଟ ରୋଗରେ ପୀଡ଼ିତ ହୋଇ ଶନିବାର ସଂଧ୍ୟାରେ ପରଲୋକ ଗମନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଜୀବନସାରା ମାଗଣା ପ୍ରଶିକ୍ଷଣ ପ୍ରଦାନ ସହିତ ସେ ମୃତ୍ୟୁ ବେଳକୁ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର ଉପ ସଭାପତି ଏବଂ ଭୁବନେଶ୍ବର ଚେସ୍‌ ସଂଘ ସମ୍ପାଦକ ଥିଲେ।

ସମ୍ବନ୍ଧିତ ଖବର