ଇଂଲଣ୍ଡରେ ଡ୍ୟୁକ୍ ବଲ୍ ଅଭିଜ୍ଞତା ଇଣ୍ଡିଜ୍‌‌ରେ ସହାୟକ ହୋଇଛି: ବୁମ୍‌ରା

କିଙ୍ଗଷ୍ଟନ୍‌: ଇଂଲଣ୍ଡ୍ ଜଳବାୟୁରେ ଡ୍ୟୁକ୍‌ ବଲ୍‌ରେ ବୋଲିଂ କରିବାର ଅଭିଜ୍ଞତା ମୋତେ ୱେଷ୍ଟଇଣ୍ଡିଜ୍ ପରିବେଶରେ ସଫଳତା ଅର୍ଜନ କରିବାରେ ସହାୟକ ହୋଇଛି ବୋଲି କହିଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା। ଆଣ୍ଟିଗୁଆରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ୫/୭ ଏବଂ କିଙ୍ଗଷ୍ଟନ୍‌ରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୬/୨୭ ବୋଲିଂ ଚିତ୍ର ପାଇଥିବା ବୁମରା କହିଛନ୍ତି ଚାପ ସୃଷ୍ଟି କରିବା ହେଉଛି ମୋ ଯୋଜନା। ଦଳକୁ କିଭଳି ଅବଦାନ ଦେଇହେବ ସେ ନେଇ ଚିନ୍ତା କରିଥାଏ। ଏ ଦିଗରେ ଦଳର ଅନ୍ୟ ଅଭିଜ୍ଞ ଦ୍ରୁତ ବୋଲରଙ୍କ ବୌଦ୍ଧିକ ପରାମର୍ଶ ନେଇ ନିଜ ଦକ୍ଷତାକୁ ବଢ଼ାଇଛନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ। ସୁଲତାନ୍‌ ଅଫ୍ ସୁଇଙ୍ଗର ଏହି ନୂଆ ତାରକା ଆଣ୍ଟିଗୁଆରେ ଆଉଟ୍ ସୁଇଙ୍ଗ୍ ଏବଂ କିଙ୍ଗଷ୍ଟନ୍‌ରେ ଇନ୍‌ସୁଇଙ୍ଗ୍‌ ବୋଲିଂ କରି ଲଗାତାର ୫ ୱିକେଟ୍‌ ସଫଳତା ପାଇଛନ୍ତି। ନିଜର ସମସ୍ତ ୫ ୱିକେଟ୍‌ ସଫଳତା (୫ ଥର) ବୁମରା ବିଦେଶ ମାଟିରେ ହାସଲ କରିଛନ୍ତି। ‘ଇଂଲଣ୍ଡରେ ମୁଁ ଅନେକ କ୍ରିକେଟ୍ ଖେଳିଛି। ଡ୍ୟୁକ୍ ବଲରେ ବୋଲିଂ କରୁଥିଲୁ। ଡ୍ୟୁକ୍ ବଲରେ ଭଲ ଗତି ମିଳିଥାଏ। ଇନ୍‌ସୁଇଙ୍ଗ୍ ହେଉ କି ଆଉଟସୁଇଙ୍ଗ୍ ଯେଭଳି ଚାହିଁଲେ ବୋଲିଂ କରିହୁଏ। ସେହି ଅଭିଜ୍ଞତା ମୋତେ ସହାୟକ ହୋଇଛି ବୋଲି ତୃତୀୟ ଦିବସ ଖେଳ ଶେଷ ପରେ କହିଥିଲେ ବୁମରା। ଆପଣକୁ ୱିକେଟ୍‌କୁ ଆକଳନ କରିବାର ଅଛି, ପରିବେଶ କିଭଳି ଅଛି ଦେଖିବାର ଅଛି। ଏଠାରେ କିନ୍ତୁ ୱିକେଟରୁ ଅଧିକ ବାଉନ୍ସ ମିଳୁଛି। ମୁଁ ୱିକେଟ୍ ପାଏ କି ନା, ଯଦି ଚାପ ସୃଷ୍ଟି କରିପାରୁଛି ଏବଂ ଦଳ ଜିତୁଛି ତେବେ ଭଲ କଥା। ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ଅନେକ କ୍ରିକେଟ୍ ଖେଳିଛନ୍ତି। ମୁଁ ଏବେ ନୂଆ ପିଲା। ତେଣୁ ମୁଁ ସେମାନଙ୍କୁ ବାରମ୍ବାର ପ୍ରଶ୍ନ କରିଥାଏ। ସେମାନେ ଏଠି ଆଗରୁ ଖେଳିଛନ୍ତି। ଅଧିନାୟକଙ୍କ ସମର୍ଥନ ବି ମୋ ଆତ୍ମବିଶ୍ବାସକୁ ବଢ଼ାଇଛି ବୋଲି ବୁମରା କହିଛନ୍ତି।

ସମ୍ବନ୍ଧିତ ଖବର