ଭାରତୀୟ ସମ୍ଭାବ୍ୟ ଫୁଟ୍‌ବଲ୍‌ ଦଳରେ ଶୁଭମ୍ : ‘ଚୂଡ଼ାନ୍ତ ଦଳରେ ସୁଯୋଗ ପାଇଁ କଠିନ ପରିଶ୍ରମ କରିବି’

ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଫୁଟ୍‌ବଲ୍‌ ତାରକା ଶୁଭମ ଷଡ଼ଙ୍ଗୀଙ୍କୁ ଭାରତୀୟ ସମ୍ଭାବ୍ୟ ଫୁଟ୍‌ବଲ୍‌ ଦଳରେ ସ‌ୁଯୋଗ ମିଳିଛି। ମାର୍ଚ ୨୬ ତାରିଖରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା କାତାର ବିପକ୍ଷ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଲାଗି ପ୍ରଶିକ୍ଷକ ଆଇଗର୍‌ ଷ୍ଟିମାକ୍‌ ବାଛିଥିବା ୪୩ ଜଣିଆ ଦଳରେ ଶୁଭମଙ୍କୁ ସୁଯୋଗ ମିଳିଛି। ଭାରତୀୟ କନିଷ୍ଠ ଦଳରୁ ଖେଳି ସାରିଥିବା ଶୁଭମଙ୍କୁ ଏବେ ବରିଷ୍ଠ ଦଳରୁ ପ୍ରଥମ ଡାକରା ମିଳିଛି। ଚଳିତ ଆଇଏସ୍ଏଲ୍‌ ଋତୁରେ ଷଷ୍ଠରେ ରହି ଲିଗ୍‌ ଅଭିଯାନ ଶେ‌ଷ କରିଥିବା ଓଡ଼ିଶା ଏଫ୍‌ସି ଦଳର ଅନ୍ୟତମ ପ୍ରମୁଖ ଖେଳାଳି ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଶୁଭମଙ୍କୁ ଏଭଳି ସ‌ୁଯୋଗ ମିଳିଛି। ଶୁଭମଙ୍କ ସହିତ ଓଡ଼ିଶା ଏଫ୍‌ସିର ଭିନୀତ ରାଏ, ନନ୍ଦ କୁମାର ସେକର, ଜେରି ମାୱିମିଙ୍ଗଥଙ୍ଗା ମଧ୍ୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି। ଆଇଏସ୍‌ଏଲ୍‌ ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିଥିବା ଗୋଆ ଏଫ୍‌ସି, ଏଟିକେ, ବେଙ୍ଗାଲୁରୁ ଏଫ୍‌ସି ଏବଂ ଚେନ୍ନାୟିନ୍‌ ଏଫ୍‌ସିରୁ ମନୋନୀତ ୨୦ ଜଣ ଖେଳାଳି ମାର୍ଚ ୧୬ ତାରିଖ ଶିବିରରେ ସାମିଲ ହେବେ। ଗତ ମାସରେ ଆଇ-ଲିଗ୍‌ର କିଛି ମ୍ୟାଚ୍‌କୁ ଷ୍ଟିମାକ ଦେଖିଥିଲେ ମଧ୍ୟ ଏଥିରୁ କାହାରିକୁ ନେଇନାହାନ୍ତି। ଜେରିଙ୍କ ସହିତ ଜ୍ୟାକ୍‌ସନ୍‌ ସିଂହ, ଲିଷ୍ଟନ୍‌ କୋଲାକୋ, ସେରିଟନ୍ ଫର୍ଣ୍ଣାଣ୍ଡେଜ୍‌ ଏବଂ ଏଡ୍‌ୱିନ୍‌ ଭାନ୍ସପଲ୍‌ ମଧ୍ୟ ପ୍ରଥମ ଡାକରା ପାଇଛନ୍ତି।

କଳିଙ୍ଗରେ ଜାତୀୟ ଶିବିର ୯ରୁ
କାତାର ବିପକ୍ଷ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ସମ୍ଭାବ୍ୟ ଦଳର ପ୍ରସ୍ତୁତି ଶିବିର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ମାର୍ଚ ୯ ତାରିଖରୁ ଆରମ୍ଭ ହେବ ବୋଲି ମଧ୍ୟ ସୂଚନା ମିଳିଛି। ଗତ ଆଇଏସ୍‌ଏଲ୍ ମ୍ୟାଚ୍‌ ବେଳେ ଭାରତୀୟ ଦଳ ପ୍ରଶିକ୍ଷକ ଆଇଗର୍‌ ଷ୍ଟିମାକ୍‌ ଏଠାକାର ଭିତ୍ତିଭୂମି ଓ ସୁବିଧା ସ‌ୁଯୋଗ ଦେଖି ସନ୍ତୋଷ ପ୍ରକାଶ କରିଥିବାରୁ ଭୁବନେଶ୍ବରକୁ ଏହି ସୁଯୋଗ ମିଳିଛି।

ସମ୍ଭାବ୍ୟ ଭାରତୀୟ ଦଳ
ଗୋଲ୍‌ରକ୍ଷକ: ଅମ୍ରିନ୍ଦର ସିଂହ, ଶୁଭାଶିଷ ‌ରୟ ଚୌଧୁରୀ, ରଫିକ୍‌ ଅଲୀ ସର୍ଦାର, ଗୁରପ୍ରୀତ୍‌ ସିଂହ ସାନ୍ଧୁ, ବିଶାଲ କୈଥ୍‌, ପ୍ରଭୂ ଖାନ୍‌ ଗିଲ୍‌। ରକ୍ଷଣଭାଗ: ପ୍ରତୀକ ପ୍ରଭାକର‌ ଚୌଧୁରୀ, ଶୁଭମ ଷଡ଼ଙ୍ଗୀ, ଶୁଭାଶିଷ ବୋଷ, ନରେନ୍ଦର ଆଦିଲ ଖାନ୍‌, ସନ୍ଦେଶ ଝିଙ୍ଗନ୍‌, ପ୍ରବୀର ଦାସ, ରାହୁଲ ଭେକେ, ପ୍ରୀତମ କୋଟାଲ, ନିଶୁ କୁମାର, ସୁମିତ୍‌ ରାଠି, ସେରିଟନ୍‌ ଫର୍ଣ୍ଣାଣ୍ଡେଜ୍‌, ମନ୍ଦର ରାଓ ଦେସାଇ। ମଧ୍ୟଭାଗ: ରୋଲିନ୍‌ ବର୍ଗେସ୍‌, ଅମରଜିତ୍‌ ସିଂହ, ଜିକ୍‌ସନ୍‌ ସିଂହ, ନନ୍ଦ କୁମାର ଶେକର, ଲାଲେଙ୍ଗମାୱିଆ, ଭିନୀତ ରାଏ, ରେନିଏର ଫର୍ଣ୍ଣାଣ୍ଡେଜ୍‌, ନିଖିଲ ପୂଜାରୀ, ‌ଜେରି ମାୱିମିଙ୍ଗଥାଙ୍ଗା, ହାଲିଚରଣ ନର୍ଜାରୀ, ସହଲ ଅବଦୁଲ ସମଦ, ଏଡୱିନ୍‌ ସିଡନି ଭନ୍ସପଲ୍‌, ବ୍ରେଣ୍ଡନ୍‌ ଫର୍ଣ୍ଣାଣ୍ଡେଜ୍‌, ଅନିରୁଦ୍ଧ ଥାପ୍ପା, ଉଡ଼ନ୍ତା ସିଂହ, ଆଶିକ କୁରିନିୟାଁ, ଲାଲିଆଞ୍ଜୁଆଲା ଚାଙ୍ଗ୍‌ତେ, ଜ୍ୟାକିଚାନ୍ଦ ସିଂହ, ମାଇକେଲ୍‌ ସୁସାଇରାଜ। ଅଗ୍ରଭାଗ: ଫାରୁକ ଚୌଧୁରୀ, ଜେଜେ ଲାଲପେଖଲୁଆ, ଲିଷ୍ଟନ୍‌ କୋଲୋକୋ, ସୁନୀଲ ଛେତ୍ରୀ, ମାନବୀର ସିଂହ।

ଭୁବନେଶ୍ବର: ଭାରତୀୟ ବରିଷ୍ଠ ଦଳ ପାଇଁ ପ୍ରଥମ ଡାକରା ପାଇଥିବାରୁ ଖୁସି ଲାଗୁଛି। ୨୦୧୭ ମସିହାରେ କନିଷ୍ଠ ବିଶ୍ବକପ୍‌ ଦଳରୁ ଅଳ୍ପକେ ବଞ୍ଚିତ ‌ହେବା ପରେ ମୁଁ ଦୁଃଖିତ ହୋଇନଥିଲି। ଜାଣିଥିଲି କଠିନ ପରିଶ୍ରମ ଜରିଆରେ ଆଗକୁ ବଢ଼ିହେବ। ଏବେ ମୁଁ ସେହି ବିଶ୍ବାସର ସହ ଅଧିକ କଠିନ ପରିଶ୍ରମ କରି ପାଦେ ପାଦ ଆଗକୁ ଯିବି। ପ୍ରଥମେ ୨୩ ଜଣିଆ ଦଳ ଏବଂ ପରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେ ସ୍ବପ୍ନ ସାକାର ହେବ। ୩ ବର୍ଷ ତଳେ ଭାଙ୍ଗିପଡ଼ିଥିଲେ ମୁଁ ଆଗକୁ ବଢ଼ିପାରିନଥାନ୍ତି। ମନୋଭାବ, ଚରିତ୍ର ଏବଂ ମାନସିକତାକୁ ଦୃଢ଼ ରଖିଥିଲି। ନିଜଜୁ ବଢ଼ିବାକୁ ସର୍ବଦା ଠେଲି ଚାଲିଥିଲି। ଭାରତୀୟ ଦଳରୁ ଖେଳିବାର ସ୍ବପ୍ନକୁ ସାକାର କରିବା ଲାଗି ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ’ ବୋଲି ଗୁରୁବାର ହାଇଦ୍ରାବାଦରୁ ‘ସମ୍ବାଦ’ ସହିତ କଥା ହେବା ବେଳେ ପ୍ରକାଶ କରିଥିଲେ ଶୁଭମ। ବିଗତ ଦୁଇ ଋତୁ ଧରି ଆଇଏସ୍‌ଏଲ୍ ଖେଳିବା ମୋ ଖେଳ ଜୀବନକୁ ଅଧିକ ଶାଣିତ ଏବଂ ଅଭିଜ୍ଞ କରିଛି ବୋଲି ଶୁଭମ ସ୍ବୀକାର କରିଥିଲେ। ଏହା ମୋ ଖେଳରେ ଢେର ଉନ୍ନତି ଆଣିଛି। ବହୁ ବଡ଼ ଖେଳାଳିଙ୍କ ସହ ଏବଂ ସେମାନଙ୍କ ବିପକ୍ଷରେ ଖେଳିବାର ସୁଯୋଗ ମିଳିଥିଲା। ପ୍ରଶିକ୍ଷକଙ୍କ ସହିତ ଯୁବ ଖେଳାଳିଙ୍କ ସାନ୍ନିଧ୍ୟ ମଧ୍ୟ ଲାଭ କରିଥିଲି। ଏହା ମୋତେ ଢେର ଉତ୍ସାହିତ କରିଥିଲା ଏବଂ ବଡ଼ ଶିକ୍ଷଣୀୟ ଯାତ୍ରାର ଅଂଶୀଦାର ହୋଇପାରିଥିଲି ବୋଲି ଭାରତୀୟ କନିଷ୍ଠ ଦଳ (୧୪ ଓ ୧୭ ବର୍ଷରୁ କମ୍‌) ଖେଳି ସାରିଥିବା ୧୯ ବର୍ଷୀୟ ଶୁଭମ୍ ପ୍ରକାଶ କରିଛନ୍ତି। ଜଣେ କନିଷ୍ଠ ଖେଳାଳି ଭାବେ ଭାରତୀୟ ଦଳରେ ସ୍ଥାନ ପାଇବା ମଧ୍ୟ ମୋତେ ଶିଖିବାକୁ ସୁଯୋଗ ଦେବ। ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ଏବଂ ଅଧିନାୟକ ସୁନୀଲ ଛେତ୍ରୀଙ୍କ ସହ ଖେଳିବାକୁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ, ମୋର ବି ଅଛି। ସୁଯୋଗ ମିଳିଲେ ନିଶ୍ଚିତ ଧନ୍ୟ ମଣିବି ବୋଲି ପ୍ରକାଶ କରିଥିଲେ ଫର୍‌ୱାର୍ଡରୁ ଡି‌ଫେଣ୍ଡର୍ ପାଲଟିଥିବା ଶୁଭମ। ମୋ ଖେଳ ଜୀବନଯାତ୍ରାରେ ରହିଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଦେବି। ପରିବାର, ଅଜା, ଦଳ, ଅଧିନାୟକ, ପ୍ରଶିକ୍ଷକ ଏବଂ ସାଥୀ ଖେଳାଳିମାନେ ସମସ୍ତେ ଏହି ଯାତ୍ରାରେ ବଡ଼ ଯୋଗଦାନ ରଖିଛନ୍ତି। ନ ହେଲେ ମୁଁ ଏତେ ବାଟ ଆସିପାରିନଥାନ୍ତି। ସମସ୍ତଙ୍କ ସମର୍ଥନ କାରଣରୁ ମୁଁ ପରିଶ୍ରମ କରିଛି ଏବଂ ଆଗକୁ ବଢ଼ିଛି ବୋଲି ସ୍ବୀକାର କରିଥିଲେ ଏହି ଓଡ଼ିଶା ଏଫ୍‌ସି ଖେଳାଳି।

ଶୁଭମଙ୍କ ଅଗ୍ରଗତି ଖବରରେ ବିଶେଷ ଆନନ୍ଦିତ ହୋଇଛନ୍ତି ତାଙ୍କ ପିତା ପ୍ରୀତିକାନ୍ତ। ୧୯ ବର୍ଷ ବୟସରେ ଭାରତୀୟ ଦଳର ଦ୍ବାରଦେଶରେ ପହଞ୍ଚିବା ନିଶ୍ଚିତ ବଡ଼ ଉପଲବ୍‌ଧି। ଏହା ଖୁସି ଓ ସୌଭାଗ୍ୟର ବିଷୟ, ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଓ ସହଯୋଗ କାରଣରୁ ଏହା ସମ୍ଭବ ହୋଇଛି ବୋଲି କହିଥିଲେ ପ୍ରୀତିକାନ୍ତ।

ସମ୍ବନ୍ଧିତ ଖବର