ଅବସର ନେଲେ ୨୦୦୭ ବିଶ୍ବକପ୍‌ ହିରୋ ଯୋଗୀନ୍ଦର

ନୂଆଦିଲ୍ଲୀ : ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୦୭ର ହିରୋ ଭାରତୀୟ ସିମର ଯୋଗୀନ୍ଦର ଶର୍ମା ଶୁକ୍ରବାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ପାକିସ୍ତାନ ବିପକ୍ଷ ପାଇନାଲ୍‌ ମ୍ୟାଚ୍‌ର ଶେଷ ଓଭର ପକାଇବା ସହ ଦଳର ବିଜୟ ମୁଣ୍ଡି ମାରି ସେ ସମୟରେ ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ। ଏହି ଫାଇନାଲ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶେଷ ଓଭରରେ ଯୋଗୀନ୍ଦରଙ୍କୁ ବଲ୍‌ ଦେଇଥିଲେ। ସେତେବେଳେ ପାକିସ୍ତାନକୁ ୬ ବଲ୍‌ରେ ୧୩ ରନ୍‌ ଆବଶ୍ୟକ ଥିଲା ବେଳେ ହାତରେ କେବଳ ଗୋଟିଏ ୱିକେଟ୍‌ ଥିଲା। ବ୍ୟାଟର୍‌ ମିସବା ଉଲ୍‌ ହକ୍‌ଙ୍କ ସହ କ୍ରିଜ୍‌ରେ ମହମ୍ମଦ ଅସିଫ୍‌ ଥିଲେ। ଯୋଗୀନ୍ଦରଙ୍କ ପ୍ରଥମ ବଲ୍‌ ୱାଇଡ୍‌ ପଡ଼ିଥିଲା। ଏହା ପର ବଲ୍‌ରେ ସେ ମିସବାଙ୍କୁ ବିଟ୍‌ କରିଥିଲେ। ଦ୍ବିତୀୟ ବଲ୍‌ରେ ମିସ୍‌ବା ଛକା ମାରି ପାକିସ୍ତାନ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। ୪ ବଲ୍‌ରେ ୬ ରନ୍‌ ଥିଲା ବେଳେ ଯୋଗୀନ୍ଦର ତୃତୀୟ ବଲ୍‌ରେ ଶ୍ରୀଶାନ୍ତଙ୍କ ହାତରେ ମିସ୍‌ବାଙ୍କୁ କ୍ୟାଚ୍‌ କରାଇ ପାଭିଲିୟନକୁ ପଠାଇବା ସହ ଭାରତକୁ ଟ୍ରଫି ଭେଟି ଦେଇଥିଲେ। ଏହା ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିଲା। ଏହା ପରେ ସେ ପୁଲିସ ‌ଡିଏସ୍‌ପି ଭାବେ ଚାକିରି କରିଥିଲେ।

୩୯ ବର୍ଷୀୟ ଯୋଗୀନ୍ଦର ୨୦୦୪ରୁ ୨୦୦୭ ମଧ୍ୟରେ ଭାରତ ପାଇଁ ୪ ଲେଖାଏଁ ଦିନିକିଆ ଓ ‌ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ‌୫ ୱିକେଟ୍‌ ଅକ୍ତିଆର କରିଛନ୍ତି। ‘‘୨୦୦୨ରୁ ୨୦୧୭ ପର୍ଯ୍ୟନ୍ତ ମୋର ଜୀବନ ଯାତ୍ରା ଚମତ୍କାର ଥିଲା। କାରଣ ଏହି ସମୟରେ ମୁଁ ଭାରତରୁ ‌ପ୍ରତିନିଧିତ୍ବ କରିପାରିଥିଲି। ମୋର ସମସ୍ତ ଦଳୀୟ ସାଥୀ, ପ୍ରଶିକ୍ଷକ, ମେଣ୍ଟର ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ। ତୁମମାନଙ୍କ ସହ ଖେଳିବା ମୋ ପାଇଁ ଗୌରବର ବିଷୟ। ତୁମେମାନେ ନଥିଲେ ମୋର ଏହି ସ୍ବପ୍ନ ପୂରଣ ହୋଇପାରିନଥା’ନ୍ତା’’ ବୋଲି ଅବସର ଘୋଷଣା ବେଳେ ଟ୍ବିଟର୍‌ରେ ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର