୨୦୧୧ ବିଶ୍ବକପ୍‌ ଫାଇନାଲ୍ ଫିକ୍ସିଂ: ଶ୍ରୀଲଙ୍କା ସରକାରଙ୍କ ତଦନ୍ତ ଆରମ୍ଭ

କଲମ୍ବୋ: ୨୦୧୧ ମସିହାର ଭାରତ ବିପକ୍ଷ ଆଇସିସି ବିଶ୍ବକପ୍‌ ଫାଇନାଲ୍ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ଉଠିବା ପରେ ଶ୍ରୀଲଙ୍କା ସରକାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ଦୁଲାସ ଅଲାହାପେରୁମାଙ୍କ ନିର୍ଦେଶ ପରେ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦେଶର କ୍ରୀଡ଼ା ସଚିବ କାଡ୍‌ସ ରୁୱାନଚନ୍ଦ୍ରା ମନ୍ତ୍ରଣାଳୟର ତଦନ୍ତ ୟୁନିଟ୍‌ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦା ଅଲୁଥଗାମାଜ ପ୍ରଥମେ ଏହି ଅଭିଯୋଗ ଆଣିଥିଲେ। ସେ କହିଥିଲେ ୨୦୧୧ ମସିହାର ଭାରତ ବିପକ୍ଷ ବିଶ୍ବକପ୍‌ ଫାଇନାଲ୍‌କୁ ଶ୍ରୀଲଙ୍କା ବିକ୍ରି କରି ଦେଇଥିଲା। ଆମେ ସେହି ଫାଇନାଲ୍ ମ୍ୟାଚ୍‌ ଜିତିବା କଥା। ମୁଁ କୌଣସି ଖେଳାଳିଙ୍କୁ ଏଥି ସହ ଯୋଡ଼ିନାହିଁ, କିନ୍ତୁ କିଛି ଲୋକ ଏଥିରେ ସମ୍ପୃକ୍ତ ଥିଲେ ବୋଲି ମହିମାନନ୍ଦ ଗୁରୁବାର ସିରସା ଟିଭିକୁ ଏକ ସାକ୍ଷାତକାର ‌ଦେଇ କହିଥିଲେ। ୧୯୯୬ ବିଶ୍ବକପ୍‌ ବିଜେତା ସିଂହଳୀ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ପରେ ଦ୍ବିତୀୟ ପ୍ରମୁଖ ବ୍ୟକ୍ତି ଭାବେ ସେ ଅଭିଯୋଗ ଆଣିଥିଲେ। ୨୦୧୧ ଫାଇନାଲ୍ ମ୍ୟାଚ୍‌ ବେଳେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଭାଷ୍ୟକାର ଦାୟିତ୍ବରେ ଥିଲେ ରଣାତୁଙ୍ଗା। ଅତୀତରେ ରଣାତୁଙ୍ଗା ଏହାର ତଦନ୍ତ ଦାବି କରିଥିଲେ। ମହିମାନନ୍ଦଙ୍କ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗକୁ କିନ୍ତୁ ହସରେ ଉଡ଼ାଇ ଦେଇଛନ୍ତି ୨୦୧୧ ବିଶ୍ବକପ୍‌ ଦଳର ଦୁଇ ପ୍ରମୁଖ ଖେଳାଳି କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଧନେ।

ସମ୍ବନ୍ଧିତ ଖବର