ଚନ୍ଦ୍ରଶେଖରପୁର : ପୋଡ଼ିଗଲା ମହିଳାଙ୍କ ସିଲେଇ ଦୋକାନ, ଜଳିଗଲା ପାଞ୍ଚ ପରିବାରର ଜୀବିକା

ଚନ୍ଦ୍ରଶେଖରପୁର : ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ବିଡିଏ ଏମ୍‌ଆଇଜି କଲୋନି ନିକଟ ବଜାରରେ ଏକ ସିଲେଇ ଦୋକାନ ସଂପୂର୍ଣ୍ଣ ଜଳି ଯାଇଛି। ଦୋକାନ ଭି‌ତରେ ଥିବା ପାଞ୍ଚ ପାଞ୍ଚଟି ସିଲେଇ ମେସିନ୍‌ ସହ ବହୁ ତିଆରି ପୋଷାକପତ୍ର, ପୋଷାକ ତିଆରି ବରାଦରେ ମହଜୁଦ୍‌ ଥିବା ଗ୍ରାହକମାନଙ୍କ ବହୁ କପଡ଼ା ଓ ଶାଢ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ମାଲିକାଣୀ ବ୍ରହ୍ମକୁମାରୀ ସୁଷମାଙ୍କର ଯେତିକି କ୍ଷତି ନ ହୋଇଛି, ଦୋକାନ ଉପରେ ନିର୍ଭର କରୁଥିବା ପାଞ୍ଚ ଜଣ ମିସ୍ତ୍ରୀଙ୍କ ପରିବାରର ରୋଜଗାର ପନ୍ଥା ପୋଡ଼ି ଯାଇଥିବାରୁ ବଡ଼ ଧରଣର କ୍ଷତି ଘଟିଛି ବୋଲି କୁହାଯାଉଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ବିଳମ୍ବିତ ରାତିରେ ଦୋକାନ ଜଳୁଥିବା ଖବର ପାଇ ସୁଷମା ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଆଖି ଆଗରେ ଏହି ଅଘଟଣ ଦେଖି ସେ ସଂଜ୍ଞା ହରାଇ ବସିଥିଲେ। ଖବର ପାଇ ତାଙ୍କ ସହଯୋଗୀ ମିସ୍ତ୍ରୀମାନେ ମଧ୍ୟ ପହଞ୍ଚିଥିଲେ। ଦୋକାନ ଜଳୁଥିବା ଦେଖି ସେମାନେ କାନ୍ଦି ପକାଇଥିଲେ ଓ ସୁଷମାଙ୍କୁ ବୁଝାଶୁଝା କରିଥିଲେ। ପରେ ଦମକଳବାହିନୀ ନିଆଁ ଲିଭାଇଥିଲା‌। କିନ୍ତୁ ଦୋକାନ ଭିତରେ କେବଳ ପାଉଁଶ ଗଦା ଓ ପୋଡ଼ା ମେସିନ୍‌କୁ ଛାଡ଼ିଦେଲେ ଅନ୍ୟ କିଛି ନଥିଲା। ସିଲେଇ ମେସିନ୍‌, ସିଲେଇ ଉପକରଣ, ତିଆରି ହୋଇ ସାରିଥିବା ପୋଷାକପତ୍ର ଓ ବରାଦରେ ଗ୍ରାହକମାନେ ଦେଇଥିବା କପଡ଼ା ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ସୁଷମା କହିଛନ୍ତି।

ଖଣ୍ଡପଡ଼ା ଚକ୍ରଧରପ୍ରସାଦ ଅଞ୍ଚଳର ସୁଷମା ନିଜ ଗୋଡ଼ରେ ଠିଆ ହେବାକୁ ଧାଇଁ ଆସିଥିଲେ ରାଜଧାନୀ। ଭଲ ସିଲେଇ କରିବା ଜଣାଥିବାରୁ ଦୋକାନଟିଏ କରିଥିଲେ। ଅନ୍ୟମାନଙ୍କୁ ବି ରୋଜଗାରର ପନ୍ଥା ଯୋଗାଇଥିଲେ। ମମତା ପୃଷ୍ଟି, ରିଲି ପାଣି, ସୋନାଲି ଲେଙ୍କା ଓ ସହଦେବ ବେହେରାଙ୍କ ଭଳି ମିସ୍ତ୍ରୀମାନଙ୍କୁ କାମ ଦେଇପାରିଥିଲେ। ସବୁ କିଛି ଭଲ ଚାଲିଥିଲା। କିନ୍ତୁ ମହାମାରୀ କରୋନା ପାଇଁ ତାଲାବନ୍ଦ ଲାଗୁ ହେବା ପରେ ତାଙ୍କ ଉପରକୁ ଯେମିତି ବିପଦ ମାଡ଼ି ଆସିଲା। ଦୁଇ ମାସ ହାତ ବାନ୍ଧି ବସି ରହିବାରୁ ରୋଜଗାର ବନ୍ଦ ହୋଇଗଲା। ଫଳରେ ଦୋକାନ ଭଡ଼ାଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ୍‌ ଓ ବ୍ୟାଙ୍କ ଋଣର ସୁଧ ପର୍ଯ୍ୟନ୍ତ ପଇଠ କରୁ କରୁ ସେ ନିଜେ ଭଲରେ ଖାଇବାକୁ ପାଇଲେ ନାହିଁ। କଟକଣା କୋହଳ ହେବା ଭିତରେ ରଜ ପର୍ବ ଆସିଯିବାରୁ ତାଙ୍କ ମନରେ ଆଶା ସଂଚାର ହୋଇଥିଲା। କିନ୍ତୁ ଫିକା ଫିକା ରଜ ପାଇଁ ଆଶାନୁରୂପ ବେପାର ହେଲା ନାହିଁ। ତେବେ ଭାଗ୍ୟର ମନ୍ଦ ଖେଳ ଏଇଠି ସରିନଥିଲା। ଶେଷକୁ ଅଗ୍ନିକାଣ୍ଡରେ ସବୁ ପାଉଁଶ ହୋଇଗଲା।

ସମ୍ବନ୍ଧିତ ଖବର