ଭାରତ ପକ୍ଷରୁ ଖେଳି ନଥିବା ଘରୋଇ କ୍ରିକେଟ୍ ମହାଯୋଦ୍ଧା

ମୁମ୍ବାଇ: ଅଜସ୍ର ରନ୍ ଏବଂ ମାଳ ମାଳ ୱିକେଟ୍ ନେବା ସତ୍ତ୍ବେ ଭାରତୀୟ ଦଳରୁ ଖେଳିବାର ସୌଭାଗ୍ୟ ସେମାନଙ୍କ ଭାଗ୍ୟରେ ମିଳିନି। ନୀଳ ଜର୍ସି ପିନ୍ଧିବା ଓ ଭାରତୀୟ ଡ୍ରେସିଂ ରୁମ୍‌କୁ ବାଣ୍ଟିବାର ହକଦାର ଥିଲେ ମଧ୍ୟ କୌଣସି ନା କୌଣସି କାରଣରୁ ସେମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। କିଏ ଜାତୀୟ ଦଳ ଲାଗି ଆଦୌ ଡାକରା ପାଇନି ତ, ଆଉ କିଏ ଡାକରା ପାଇ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇନି। ପ୍ରତିଭା, ପ୍ରଦର୍ଶନ ଓ ପରାକାଷ୍ଠାର ଅଭାବ ନଥିଲେ ମଧ୍ୟ ସମୟ ଓ ଭାଗ୍ୟ ଏମାନଙ୍କୁ ସାଥ୍ ଦେଇନି। ସମୟର କାଳ ଚକ୍ରରେ ପେଶି ହୋଇ ଏମାନେ ଘରୋଇ କ୍ରିକେଟ୍‌ର ଘେର ବାହାରକୁ ଯାଇ ପାରି ନାହାନ୍ତି। ଭାରତୀୟ କ୍ରିକେଟ୍‌ରେ ଏଭଳି ଖେଳାଳିଙ୍କ ଅଭାବ ନାହିଁ। ଆସନ୍ତୁ ଘରୋଇ କ୍ରିକେଟ୍‌ରେ ସଫଳ, ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ର ସ୍ବାଦ ଚାଖି ନଥିବା ଏଭଳି କିଛି ଭାରତୀୟ ଖେଳାଳିଙ୍କ ଉପରେ ନଜର ପକାଇବା। ଅମୋଲ ମଜୁମଦାର: ୧୯୯୩-୯୪ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ମୁମ୍ବାଇର ଅମୋଲ ମଜୁମଦାର ଘରୋଇ କ୍ରିକେଟ୍‌ରେ ରନ୍‌ର ପାହାଡ଼ ସୃଷ୍ଟି କରିଥିଲେ। ‌ହେଲେ ସମ୍ଭବତଃ ଖରାପ କାଳରେ ଜନ୍ମଗ୍ରହଣ କରିଥିଲେ। ସଚିନ, ସେହବାଗ, ଦ୍ରାବିଡ଼, ଗାଙ୍ଗୁଲିଙ୍କ ଭଳି ଖେଳାଳି ଥିବାରୁ ନିୟମିତ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଭାରତୀୟ ଶୀର୍ଷକ୍ରମରେ ତାଙ୍କୁ ସ୍ଥାନ ମିଳି ନଥିଲା। ପ୍ରତିଭା ଥିଲେ ମଧ୍ୟ ମଜୁମଦାରଙ୍କ ଭାରତୀୟ ଦଳରୁ ଖେଳିବା ସ୍ବପ୍ନ ଧୀରେଧୀରେ ମଉଳି ଯାଇଥିଲା। ମଜୁମଦାର ୧୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୧୧୬୭ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୩୦ ଶତକ ଓ ୬୦ ଅର୍ଧଶତକ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କ ରନ୍ ସଂଗ୍ରହ ହାର ୪୮.୧୩ ଥିଲା ବେଳେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ହେଉଛି ୨୬୦। ସେ ମଧ୍ୟ ୧୧୪ ଲିଷ୍ଟ ଏ’ ମ୍ୟାଚ୍ ଖେଳି ୩ ଶତକ ଓ ୨୬ ଅର୍ଧଶତକ ସହାୟତାରେ ୩୨୮୬ ରନ୍ କରିଛନ୍ତି।

ଏମଭି ଶ୍ରୀଧର: ମାତୁରି ଭେଙ୍କଟ ଶ୍ରୀଧର ବା ଏମଭି ଶ୍ରୀଧର ହେଉଛନ୍ତି ଜଣେ ହାଇଦ୍ରାବାଦୀ ଅଲରାଉଣ୍ଡର। ଅଶି ଓ ନବେଦଶକ ଶେଷ ଭାଗ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ର ସେ ଜଣେ ବଡ଼ ନାଁ ଥିଲେ। ଶ୍ରୀଧର ୯୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୧ ଶତକ ଓ ୨୭ ଅର୍ଧଶତକ ବଳରେ ୬୭୦୧ ରନ୍ କରିଛନ୍ତି। ତାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ହେଉଛି ୩୬୬। ୩୫ ଲିଷ୍ଟ ଏ’ ମ୍ୟାଚ୍ ଖେଳି ସେ ୯୩୦ ରନ୍ କରିଛନ୍ତି। ଶ୍ରୀଧର ମଧ୍ୟ ଗୋଟିଏ ହେଲେ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି।

ଭି ଶିବରାମକୃଷ୍ଣନ୍: ସୁତୁରିରୁ ଅଶି ଦଶକ ମଧ୍ୟରେ ତାମିଲନାଡୁ କ୍ରିକେଟର ଭେଙ୍କଟରମଣ ଶିବରାମକୃଷ୍ଣନ୍ ଘରୋଇ କ୍ରିକେଟ୍‌ରେ ବେଶ୍ ନାଁ କମାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଭାରତୀୟ ଦଳରୁ ‌ଖେଳିବେ ବୋଲି ଆଶା ରଖିଥିଲେ। ତେବେ ଏହା କେବେବି ତାଙ୍କ ଭାଗ୍ୟରେ ଜୁଟି ନଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୧ ଶତକ ଓ ୩୪ ଅର୍ଧଶତକ ବଳରେ ୬୦୩୨ ରନ୍ କରିଥିବା ଶିବରାମକୃଷ୍ଣନ୍ ୨୪ ଲି‌ଷ୍ଟ ଏ’ ମ୍ୟାଚ୍‌ରୁ ୮୨୫ ରନ୍ କରିଥିଲେ।

ହରି ଗିଦୱାନୀ: ବିହାରର ହରି ଗିଦୱାନୀ ଭାରତୀୟ ଜର୍ସିର ଅନ୍ୟତମ ଦାବିଦାର ଥିଲେ। ବିହାର, ଦିଲ୍ଲୀ, ପୂର୍ବାଞ୍ଚଳ, ଉତ୍ତରାଞ୍ଚଳ, ଅବଶିଷ୍ଟ ଭାରତ ଆଦି ଦଳରୁ ୧୧୯ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ସେ ୬୮୦୫ ରନ୍ (୧୫ ଶତକ, ୩୨ ଅର୍ଧଶତକ, ୨୨୯ ସର୍ବୋଚ୍ଚ ସ୍କୋର) କରିଛନ୍ତି। ସେହିଭଳି ୧୭ ଲିଷ୍ଟ ଏ’ରୁ ୩୧୨ ରନ୍ କରିଛନ୍ତି। ସତୁରିରୁ ନବେ ଦଶକ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ରେ ସକ୍ରୀୟ ଥିବା ଗିଦୱାନୀ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଭାରତୀୟ ଦଳରୁ ଖେଳିବାର ସୌଭାଗ୍ୟ ପାଇ ନଥିଲେ।

କେପି ଭାସ୍କର: କେରଳ ଜନ୍ମିତ କୃ୍ଷ୍ଣନ୍ ଭାସ୍କର ପିଲାଇ ଘରୋଇ କ୍ରିକେଟ୍‌ରେ ୫୦ରୁ ଅଧିକ ହାରରେ ରନ୍ କରିଛନ୍ତି। ହେଲେ ଥରେ ହେଲେ ବି ଭାରତୀୟ ଡ୍ରେସିଂ ରୁମ୍ ବାଣ୍ଟି ନାହାନ୍ତି। ଦିଲ୍ଲୀରୁ ଘରୋଇ କ୍ରିକେଟ୍ ଖେଳି ଭାସ୍କର ୯୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୨୨୨*ର ସର୍ବୋଚ୍ଚ ସ୍କୋର ସହ ୫୪୪୩ ରନ୍ କରିଛନ୍ତି। ସେଥିମଧ୍ୟରେ ଅଛି ୧୮ ଶତକ ଓ ୨୧ ଅର୍ଧଶତକ। ଭାସ୍କର ମଧ୍ୟ ୩୭ ଲିଷ୍ଟ ଏ’ ମ୍ୟାଚ୍‌ରୁ ଗୋଟିଏ ଶତକ ଓ ୬ ଅର୍ଧଶତକ ବଳରେ ୯୨୬ ରନ୍ କରିଛନ୍ତି।

ଦେବେନ୍ଦ୍ର ବୁନ୍ଦେଲା: ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ୍ ଦେବେନ୍ଦ୍ର ବୁନ୍ଦେଲା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦୦୦୦ରୁ ଅଧିକ ରନ୍ କରିଛନ୍ତି। ୧୬୪ ପ୍ରଥମ ଶ୍ରେଣୀ ମୁକାବିଲାରୁ ସେ ୨୬ ଶତକ, ୫୪ ଅର୍ଧଶତକ ବଳରେ ୧୦୦୦୪ ରନ୍ କରିଛନ୍ତି। କ୍ରିକେଟ୍‌ର ଏହି ଫର୍ମାଟରେ ତାଙ୍କର ରନ୍ ସଂଗ୍ରହ ହାର ହେଉଛି ୪୩.୬୮। ଲିଷ୍ଟ ଏ’ରେ ମଧ୍ୟ ଦେବେନ୍ଦ୍ର ସଫଳ ‌ହୋଇଛନ୍ତି। ୮୨ ମ୍ୟାଚ୍‌ରୁ ସେ ୨୨୯୯ ରନ୍ (୧ ଶତକ, ୧୩ ଅର୍ଧଶତକ) କରିଛନ୍ତି। ଉଭୟରେ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହେଉଛି ଯାଥାକ୍ରମେ ୧୮୮ ଓ ୧୨୫*।

ସିତାଂଶୁ କୋଟାକ: ଗୁଜୁରାଟର ବାମହାତୀ ବ୍ୟାଟ୍ସମ୍ୟାନ୍ ସିତାଂଶୁ କୋଟାକ ୧୩୦ ପ୍ରଥମ ଶ୍ରେଣୀ ଓ ୮୯ ଲିଷ୍ଟ ଏ’ ମ୍ୟାଚ୍ ଖେଳିବା ସତ୍ତ୍ବେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି। ପ୍ରଥମ ଶ୍ରେଣୀରେ ସେ ୪୧.୭୬ ହାରରେ ୮୦୬୧ (୧୫ ଶତକ, ୫୫ ଅର୍ଧଶତକ) ଲିଷ୍ଟ ଏ’ରେ ୪୨.୨୩ ହାରରେ ୩୦୮୩ ରନ୍ (୩ ଶତକ, ୨୬ ଅର୍ଧଶତକ) କରିଛନ୍ତି। ପ୍ରଥମଶ୍ରେଣୀ ଓ ଲିଷ୍ଟ ଏ’ରେ ତାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ‌ସ୍କୋର ହେଉଛି ଯଥାକ୍ରମ‌େ ୧୬୮* ଓ ୧୨୨*।

ବିବି ନିମ୍ବଲକର: ଭାଉସାହେବ ବାବାସାହେବ ନିମ୍ବଲକର ୧୯୪୮-୪୯ ରଣଜୀ ଋତୁରେ ୪୪୩ ରନ୍‌ର ଅପରାଜିତ ପାଳି ଖେଳି ଚର୍ଚାକୁ ଆସିଥିଲେ। ସେ ଉଭୟ ମହାରାଷ୍ଟ୍ର ଓ ରେଳବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ୮୦ ପ୍ରଥମ ଶ୍ରେଣୀ ମୁକାବିଲାରୁ ନାମ୍ବଲକର ୧୨ ଶତକ ଓ ୨୨ ଅର୍ଧଶତକ ସହାୟତାରେ ୪୮୪୧ ରନ୍ କରିଥିଲେ। ୪୭.୯୩ ହାରରେ ରନ୍ କରିଥିବା ନିମ୍ବଲକର କିନ୍ତୁ କେବେବି ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇ ନଥିଲେ।

ପାଣ୍ଡୁରଙ୍ଗ ସଲଗାଓଁକର: ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଉଚ୍ଚ ପ୍ରଶଂସିତ ଦ୍ରୁତ ବୋଲର ହେଲେ ପାଣ୍ଡୁରଙ୍ଗ ସଲଗାଓଁକର। ସତୁରି ଦଶକରେ ସେ ଜେଣ ସଫଳ ଘରୋଇ କ୍ରିକେଟର ଥିଲେ। ଦୁର୍ଭାଗ୍ୟଜନକ ଭାବେ ସେ କିନ୍ତୁ ୧୯୭୪ ମସିହାରେ ଇଂଲଣ୍ଡ ଗସ୍ତ କରିଥିବା ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ। ସେ ୬୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୨୧୪ ୱିକେଟ୍ କରାୟତ୍ତ କରିଥିଲେ। ସେଥିମଧ୍ୟରେ ସେ ୧୧ ପାଞ୍ଚ ୱିକେଟ୍ ଓ ଗୋଟିଏ ଦଶ ୱିକେଟ୍ ସଫଳତା ଲାଭ କରିଥିଲେ।

ପଲୱାଙ୍କର ବାଲୁ: ପଲୱାଙ୍କର ବାଲୁ ବ୍ରିଟିସ ଇଣ୍ଡିଆର ବମ୍ବେ ପ୍ରୋଭିନ୍ସରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଗ୍ରାଉଣ୍ଡ୍ସ ମ୍ୟାନ୍ ଭାବେ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ପରେ ୧୯୧୧ ମସିହାରେ ପାତିଆଲା ମହାରାଜାଙ୍କ ଭାରତୀୟ ଦଳରେ ସ୍ଥାନ ପାଇ ଇଂଲଣ୍ଡ ଯାଇଥିଲେ। ସେତେବେଳେ ତାଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ସେ ଜଣେ ବାମହାତୀ ସ୍ପିନର ଥିଲେ।
ମିଥୁନ ମନହାସ:ଦିଲ୍ଲୀ ଅଲରାଉଣ୍ଡର ମିଥୁନ ମନହାସ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୯୭୧୪ ରନ୍ କରିଛନ୍ତି। ୨୦୫ ରନ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ସହ ୨୭ ଶତକ ଓ ୪୯ ଅର୍ଧଶତକ ମାରିଛନ୍ତି। ସେହିଭଳି ୧୩୦ ଲି‌ଷ୍ଟ ଏ’ ମ୍ୟାଚ୍ ଖେଳି ୫ ଶତକ ଓ ୨୬ ଅର୍ଧଶତକ ବଳରେ ୪୧୨୬ ରନ୍ କରିଛନ୍ତି। ସେ ମଧ୍ୟ ୪୦ ପ୍ରଥମ ଶ୍ରେଣୀ ଓ ୨୫ ଲିଷ୍ଟ ଏ’ ୱି‌କେଟ୍ ନେଇଛନ୍ତି। ସେହିଭଳି ୯୧ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୧୧୭୦ ରନ୍ କରିଛନ୍ତି। ହେଲେ କେବେବି ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି।

ରଶ୍ମି ରଂଜନ ପରିଡ଼ା: ଓଡ଼ିଆ ପୁଅ ରଶ୍ମି ରଞ୍ଜନ ପରିଡ଼ା ୧୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୨୨୦ର ସର୍ବୋଚ୍ଚ ସ୍କୋର ସହ ୧୬ ଶତକ ଓ ୫୧ ଅର୍ଧଶତକ ବଳରେ ୮୩୧୭ ରନ୍ କରିଛନ୍ତି। ସେ ମଧ୍ୟ ୬୬ ଲି‌ଷ୍ଟ ଏ’ ମ୍ୟାଚ୍ ଖେଳିଛନ୍ତି। ସେଥିରୁ ୨ ଶତକ ଓ ୧୫ ଅର୍ଧଶତକ ସହାୟତାରେ ୨୦୬୩ ରନ୍ କରିଛନ୍ତି। ଏକାଧିକ ଥର ରଣଜୀ ବିଜେତା ହୋଇଛନ୍ତି। ହେଲେ ଜାତୀୟ ଦଳର ପ୍ରତିନିଧିତ୍ବ କରିବାରୁ ବଞ୍ଚିତ ହୋଇଛନ୍ତି।

ୟେରେ ଗୌଡ଼: କର୍ଣ୍ଣାଟକ ଓ ରେଳବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିଥିବା‌ ୟେରେ ଗୌଡ଼ ନିଜ ସମୟରେ ଘରୋଇ କ୍ରିକେଟ୍‌ର ଅନ୍ୟତମ ସଫଳ ତାରକା ଥିଲେ। ୧୩୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୬ ଶତକ ଓ ୩୯ ଅର୍ଧଶତକ ବଳରେ ସେ ୭୬୫୦ ରନ୍ କରିଥିଲେ। ତାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ହେଉଛି ୨୨୧*। ଗୌଡ଼ ମଧ୍ୟ ୪୦ ଲିଷ୍ଟ ଏ’ ମୁକାବିଲାରୁ ୫ ଅର୍ଧଶତକ ବଳରେ ୧୦୫୧ ରନ୍ କରିଛନ୍ତି। ହେଲେ ଜାତୀୟ ଦଳରୁ ଖେଳିବାର ସୌଭାଗ୍ୟ ପାଇ ନାହାନ୍ତି।

ସମ୍ବନ୍ଧିତ ଖବର