‌ଟୋକିଓ ବିଜେତାଙ୍କୁ ଭବ୍ୟ ସ୍ବାଗତ

କ୍ରୀଡ଼ାଗ୍ରାମରେ ଉତ୍ସବ ପାଳିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ଜିତି ସମଗ୍ର ଦେଶକୁ ଗର୍ବିତ କରିଥିବା ମହାନ ଭାରତୀୟ ପଦକ ବିଜେତାମାନେ ସୋମବାର ସ୍ବଦେଶ ଫେରିଛନ୍ତି। ଦେଶ ମାତୃକା ପାଇଁ ଐତିହାସିକ ସଫଳତା ଆଣିଥିବା‌ ଏହି କ୍ରୀଡ଼ାବୀରମାନେ ନୂଆ ଦିଲ୍ଲୀ ପହଞ୍ଚିବା ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଟ୍ରାକ୍ ଆଣ୍ଡ ଫିଲ୍ଡରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ହିଁ ଆଜି ଉତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ତାଙ୍କ ସହ ୪୧ ବର୍ଷ ପରେ ଭାରତକୁ ପଦକ ଉପହାର ଦେଇଥିବା ମନପ୍ରୀତ ସିଂହଙ୍କ ପୁରୁଷ ହକି ଦଳର ସମସ୍ତ ସଦସ୍ୟ, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ରବି କୁମାର ଦାହିଆ, ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ବର୍ଗୋହାଁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। କଡ଼ା ସୁରକ୍ଷା ଭିତରେ ଶହ ଶହ ପ୍ରଶଂସକ ଓ ସୁରକ୍ଷାକର୍ମୀ ସେମାନଙ୍କୁ ପାଛୋଟି ନେଇଥିଲେ। ଅଶୋ‌କା ହୋ‌ଟେଲରେ ସମସ୍ତଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ।

ସମସ୍ତଙ୍କୁ ସ୍ମୃତି ଫଳକ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ‘‘ ଏହି ପଦକ ଆମର ନୁହେଁ, ସମଗ୍ର ଦେଶବାସୀଙ୍କର’’ ବୋଲି ଭାରତୀୟ କ୍ରୀଡ଼ାର ମହାନାୟକମାନେ ଏହି ଅବସରରେ କହିଥିଲେ। ସମସ୍ତେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ), ଭାରତ ସରକାର ଏବଂ ସର୍ବୋପରି କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ହକି ଦଳର ସଦସ୍ୟଙ୍କ ମଧ୍ୟରେ ଥିବା ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ଓଡ଼ିଶାର ଟେକ ରଖିଥିଲେ। ଆମର ସବୁ ମହାନ ଖେଳାଳିଙ୍କୁ ସ୍ବାଗତ, ସେମାନଙ୍କ ପାଇଁ ଆଜି ସାରା ଦେଶ ଗର୍ବିତ ବୋଲି ଠାକୁର ମତ ଦେଇଥିଲେ। ଜାତୀୟ ସଂଗୀତ ଗାନରେ ଉତ୍ସବ ଆରମ୍ଭ ହୋଇଥିଲା। ଭାରତ ଚଳିତ ଥର ନିଜ ଅଲିମ୍ପିକ୍ସ ଇତିହାସର ସର୍ବାଧିକ ପଦକ (୭) ଜିତିଥିବାରୁ ଏଥରର ସମ୍ବର୍ଦ୍ଧନା ଉତ୍ସବ ଥିଲା ବେଶ୍ ସ୍ମତନ୍ତ୍ର ଏବଂ ସ୍ମରଣୀୟ। ଚତୁର୍ଥ ସ୍ଥାନରେ ରହି ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଥିବା ରାଣୀ ରାମପାଲଙ୍କ ମହିଳା ଦଳକୁ ସେମାନଙ୍କ ସାହସିକ ପ୍ରଦର୍ଶନ ପାଇଁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ଠାକୁର। ଆଗାମୀ ଅଲିମ୍ପିକ୍ସରେ ଆହୁରି ଭଲ କରିବାକୁ ଆପ୍ରାଣ ଉଦ୍ୟମ କରିବାକୁ ବୋଲି ମଧ୍ୟ ଏହି ଅବସରରେ ସମସ୍ତ ଭାରତୀୟ କ୍ରୀଡ଼ା ତାରକା ମିଳିତ ଭାବେ ପ୍ରତିଶ୍ରୁତି ଦେଇଥି‌ଲେ। ସୁରକ୍ଷାକୁ ଅଗ୍ରାଧିକାର ଦେଇ ରବିବାର ଫେରିଥିବା ଭାରତୀୟ ଖେଳାଳି ଓ ଅଧିକାରୀଙ୍କର ବିମାନ ବନ୍ଦରରେ ହିଁ କରୋନା ପରୀକ୍ଷା କରାଯାଇଥିଳା।

ଶ୍ରୀଜେଶଙ୍କୁ କୋଟିଏ ଦେଲେ ଭାରତୀୟ ବ୍ୟବସାୟୀ

ତିରୁଅନନ୍ତପୁରମ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଐତିହାସିକ କାଂସ୍ୟ ପଦକ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଗୋଲରକ୍ଷକ ପିଆର ଶ୍ରୀଜେଶଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ସୋମବାର ଗଲ୍ଫର ଜଣେ ଭାରତୀୟ ବ୍ୟବସାୟୀ ଘୋଷଣା କରିଛନ୍ତି। ‘‘ଅଲିମ୍ପିକ୍ସରେ ଭାରତକୁ କାଂସ୍ୟ ପଦକ ନିଶ୍ଚିତ କରିବାରେ ଗୋଲ୍‌ରକ୍ଷକ ଶ୍ରୀଜେସଙ୍କ ଅବଦାନ ଅତୁଳନୀୟ ଥିଲା। ତାଙ୍କର ଏହି ଅବଦାନକୁ ପ୍ରଶଂସା କରିବା ସହ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରୁଛୁ’’ ବୋଲି ଟ୍ବିଟର୍‌ରେ ଭିପିଏସ୍‌ ହେଲ୍ଥ କେୟାର ଅଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ନିର୍ଦେଶକ ସମସେର ଭାୟାଲିଲ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ପଦକ ଜିତିଥିଲା। ଜର୍ମାନିକୁ ୫-୪ରେ ହରାଇ ଏହି ଐତିହାସିକ ସଫଳତା ପାଇଥିଲା ଭାରତ।

ଅଲିମ୍ପିକ୍ସ ବେଳେ ୪୫୮ କୋଭିଡ ମାମଲା

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆୟୋଜକ ଘୋଷଣା କରିଛନ୍ତି ଯେ ସୋମବାର ୨୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ଏଥିରେ କୌଣସି ଆଥ୍‌ଲେଟ୍‌ ନାହାନ୍ତି। ବିନା ଦର୍ଶକରେ ଆୟୋଜିତ ଏହି ୩୨ ତମ ସଂସ୍କରଣରେ ମୋଟ ୪୫୮ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୧୩ କଣ୍ଟ୍ରାକ୍ଟର, ୬ ଜଣ କ୍ରୀଡ଼ା ସହିତ ଜଡ଼ିତ ବ୍ୟକ୍ତି, ୬ ସ୍ବେଚ୍ଛାସେବୀ, ୨ ଟୋକିଓ କର୍ମକର୍ତ୍ତା ଏବଂ ଜଣେ ଗଣମାଧ୍ୟମର କର୍ମଚାରୀ। ଏମାନଙ୍କ ମଧ୍ୟରେ ୨୧ ଜଣ ହେଉଛନ୍ତି କେବଳ ଜାପାନ ବାସିନ୍ଦା। କ୍ରୀଡ଼ା ଆରମ୍ଭ ଦିନରୁ ହୋଇଥିବା ୪୫୮ ଆକ୍ରାନ୍ତଙ୍କ ମଧ୍ୟରେ ୨୯ ଜଣ ଆଥ୍‌ଲେଟ୍‌ ରହିଛନ୍ତି। ୧୧୫ ଜଣ କ୍ରୀଡ଼ା ସହିତ ଜଡ଼ିତ ବ୍ୟକ୍ତି ଏବଂ ୨୪୯ ଜଣ କଣ୍ଟ୍ରାକ୍ଟର ବୋଲି ସୂଚନା ମିଳିଛି। ଏଥିସହ ୨୬ ଜଣ ଗଣମାଧ୍ୟମ କର୍ମଚାରୀ ଏବଂ ୧୨ ଜଣ ଅଧିକାରୀ ଏବଂ ୨୭ ସ୍ବେଚ୍ଛାସେବୀ ଆକ୍ରାନ୍ତ ହୋଇଥିଲେ। ଖେଳ ସମୟରେ ବିଦେଶରୁ ୪୨,୭୧୧ରୁ ଅଧିକ ସ୍ବିକୃତିପ୍ରାପ୍ତ କର୍ମଚାରୀ ଆସିଥିଲେ।

ସମ୍ବନ୍ଧିତ ଖବର