ଈଶାନ୍ତଙ୍କ ପାଇଁ ମାଇଲଖୁଣ୍ଟ ସୁଯୋଗ, କପିଳ ଓ ଜାହିରଙ୍କ କ୍ଲବ୍‌ରେ ସାମିଲ ହେବେ

ଗାଭାସ୍କରଙ୍କ କୀର୍ତ୍ତିମାନ ଭାଙ୍ଗିବା ଦୌଡ଼ରେ କୋହଲି, ପୂଜାରା

ଚେନ୍ନାଇ: ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଭାରତ-ଇଂଲଣ୍ଡ୍‌ ଟେଷ୍ଟ୍‌ ଶୃଙ୍ଖଳା ଅବସରରେ କପିଳ ଦେବ ଓ ଜାହିର ଖାନ୍‌ଙ୍କ କ୍ଲବ୍‌ରେ ସାମିଲ ହେବାର ସୁଯୋଗ ରହିଛି। ଏହି ଶୃଙ୍ଖଳା ଈଶାନ୍ତଙ୍କ ପାଇଁ ଏକାଧିକ ଦୃ‌ଷ୍ଟାନ୍ତମୂଳକ ସୁଯୋଗ ଅପେକ୍ଷାରେ ରହିଛି। ଗତବର୍ଷ ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍‌ ଖେଳିଥିଲେ। ଏହାପରେ କରୋନା ମହାମାରୀ କ୍ରିକେଟ୍‌କୁ ପ୍ରଭାବିତ କରିଥିଲା। ପୁଣି ଏହାପରେ ଆଇପିଏଲ୍‌ ମଝିରେ ଆହତ ଯୋଗୁଁ ଈଶାନ୍ତ ଗତ ଅଷ୍ଟ୍ରେଲିଆ ଗସ୍ତରୁ ବଞ୍ଚିତ ହୋଇଥିଲେ। ସେବେଠାରୁ ସେ ବେଙ୍ଗାଲୁରୁର ଏନ୍‌ସିଏ (ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମି) ପୁନଃଥଇଥାନ ଯୋଜନାରେ ସାମିଲ ହୋଇଥିଲେ। ଶେଷ‌ରେ ସେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ଫିଟ୍‌ ଘୋଷିତ ହୋଇଛନ୍ତି। ଏତିକିବେଳକୁ ମହମ୍ମଦ ସାମି ଏବଂ ଉମେଶ ଯାଦବଙ୍କ ଅନୁପସ୍ଥିତି ଈଶାନ୍ତ ଦାୟିତ୍ବକୁ ବଢ଼ାଇ ଦେଇଛି। ଏହି ଦୁଇ ଅଭିଜ୍ଞଙ୍କ ଅନୁପସ୍ଥିତିରେ ଭାରତର ଦ୍ରୁତ ବୋଲିଂ ଦାୟିତ୍ବ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ସହ ଈଶାନ୍ତଙ୍କ କାନ୍ଧରେ ରହିବ। ଘ‌ରୋଇ ଦଳର ଦ୍ରୁତ ବୋଲିଂ ଆକ୍ରମଣରେ ମହମ୍ମଦ ସିରାଜ୍‌ ଓ ସାର୍ଦୁଳ ଠାକୁର ମଧ୍ୟ ରହିବେ। ତଥାପି ଚେନ୍ନାଇରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେ‌ଷ୍ଟ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ ଈଶାନ୍ତ ଖେଳିବା ପ୍ରାୟତଃ ନିଶ୍ଚିତ। ସେ ଯେତେବେଳେ ବି ଦଳରେ ସାମିଲ ହୋଇଛନ୍ତି ଭାରତ ପାଇଁ ବଡ଼ ସଫଳତା ଆଣି ଦେଇଛନ୍ତି। ସେହି ଦୃଷ୍ଟିରୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ତାଙ୍କ ପାଇଁ କେତେକ ମାଇଲଖୁଣ୍ଟ ଅପେକ୍ଷା କରିଛି। ଶେଷ ଥର ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ମୁହାଁମୁହିଁରେ ଈଶାନ୍ତ (୧୮) ଅଗ୍ରଣୀ ୱିକେଟ୍‌ଦଖଲକାରୀ ବୋଲର ରହିଥିଲେ।

ଈଶାନ୍ତ ଏପର୍ଯ୍ୟନ୍ତ ଭାରତ ପାଇଁ ୯୭ ଟେଷ୍ଟ୍‌ ଖେଳି ସାରିଛନ୍ତି। ତେଣୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଅବସରରେ ୧୦୦ ଟେଷ୍ଟ୍‌ ଖେଳିବାର ସୁଯୋଗ ତାଙ୍କ ପାଇଁ ରହିଛି। ପୁଣି ଏହି ୩୨ ବର୍ଷ ବୟସ୍କ ଦ୍ରୁତ ବୋଲର ଦେଶ ପାଇଁ ୩୦୦ ଟେଷ୍ଟ୍‌ ୱିକେଟ୍‌ ପୂରଣ କରିବାଠାରୁ ମାତ୍ର ୩ ଦୂରରେ ରହିଛନ୍ତି। ଆଉ ଯଦି ଇଂଲଣ୍ଡ ବିପକ୍ଷ ଶୃ୍ଙ୍ଖଳା ଖେଳନ୍ତି ଏବଂ ମାତ୍ର ୩ ୱିକେଟ୍‌ ଦଖଲ କରିନିଅନ୍ତି, ତାହାଲେ ସେକ୍ଷେତ୍ରରେ ସେ ଷଷ୍ଠ ଭାରତୀୟ ବୋଲର ହୋଇଯିବେ। କେବଳ ସେତିକି ନୁହେଁ ୩୦୦ ୱିକେଟ୍‌ ଅକ୍ତିଆର କରିବାରେ ସେ ମଧ୍ୟ କପିଳ ଦେବ ଏବଂ ଜାହିର ଖାନ୍‌ଙ୍କ ପରେ ଭାରତର ତୃତୀୟ ଦ୍ରୁତ ବୋଲର ବନିଯିବେ। ଅନ୍ୟପକ୍ଷରେ ଭାରତ ମାଟି‌ରେ ୧୦୦ ଟେଷ୍ଟ୍‌ ୱିକେଟ୍‌ ପୂରଣ କରିବାଠୁ ଈଶାନ୍ତ ମାତ୍ର ୨ ଦୂରରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷରେ ଏହା କରିପାରିଲେ ସେ ଏକ୍ଷେତ୍ରରେ ଭାରତର ଚତୁର୍ଥ ପେସର୍‌ ହେବେ। ଏହା ପୂର୍ବରୁ କପିଳ ଦେବ (୨୧୯), ଜଭାଗଲ ଶ୍ରୀନାଥ (୧୦୮) ଓ ଜାହିର ଖାନ୍‌ (୧୦୪) ଏହି କ୍ଲବ୍‌ର ସଦସ୍ୟ ରହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରୁ ଭାରତ ପାଇଁ ଟେଷ୍ଟ୍‌ରେ ଈଶାନ୍ତଙ୍କ ଫର୍ମ ଉଚ୍ଚମୁହାଁ ରହିଛି। ତାଙ୍କ ବୋଲିଂ ହାରାହାରି ୨୦ ତଳେ ରହିଛି ଯାହାକି ବୁମ୍‌ରାଙ୍କଠୁ ଉନ୍ନତ। ଟେଷ୍ଟ୍‌ରେ ଈଶାନ୍ତ ପ୍ରତି ୪୧.୭ ବଲ୍‌ ପରେ ୱି‌କେଟ୍‌ ଦଖଲ କରିଥିଲା ବେଳେ ବୁମ୍‌ରାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୪୭.୯ ରହିଛି।

ଗାଭାସ୍କରଙ୍କ କୀର୍ତ୍ତିମାନ ଭାଙ୍ଗିବା ଦୌଡ଼ରେ କୋହଲି, ପୂଜାରା
ଇଂଲଣ୍ଡ ବିପକ୍ଷ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ନିର୍ଭରଯୋଗ୍ୟ ବ୍ୟାଟର୍‌ ଚେତେଶ୍ବର ପୂଜାରାଙ୍କ ପାଖରେ ମଧ୍ୟ ମହାନ କ୍ରିକେଟର୍‌ ସୁନିଲ ଗାଭାସ୍କରଙ୍କ କୀର୍ତ୍ତିମାନ ଭାଙ୍ଗିବାର ସୁଯୋଗ ରହିବ। ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍ କରିବାର ଭାରତୀୟ କୀର୍ତ୍ତିମାନ ଏବେ ବି ଗାଭାସ୍କରଙ୍କ ନାଁରେ ରହିଛି। ଇଂଲଣ୍ଡ ବିପକ୍ଷରେ ୨୨ ଘରୋଇ ଟେଷ୍ଟ୍ ଖେଳି ସେ ୧୩୩୧ ରନ୍ କରିଛନ୍ତି। ତାଙ୍କ ଭିଣୋଇ ତଥା ପୂର୍ବତନ ଭାରତୀୟ କ୍ରିକେଟର୍‌ ଗୁଣ୍ଡାପ୍ପା ବିଶ୍ବନାଥ ୧୭ ଟେଷ୍ଟ୍‌ରୁ ୧୦୨୨ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୫ ଟେଷ୍ଟ୍‌ରୁ ୯୬୦ ରନ୍ କରି ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ବିଜୟ ମଞ୍ଜରେକର (୮୮୫ ରନ୍, ୧୧ ଟେଷ୍ଟ୍) ଏବଂ ଏମ୍‌ଏଲ୍ ଜୟସିମ୍‌ହା (୮୪୩ ରନ୍, ଟେଷ୍ଟ୍) ମଧ୍ୟ ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ୯ ଟେଷ୍ଟ୍‌ରୁ କୋହଲି ୮୪୩ ଏବଂ ପୂଜାରା ୮୩୯ ରନ୍ କରିଛନ୍ତି। ଏଣୁ ଏହି ଦୁଇ ଜଣ ଆସନ୍ତା ଶୃଙ୍ଖଳାରେ ନୂଆ ଇତିହାସ ରଚିପାରନ୍ତି। କୋହଲି ୨୦୧୯ ନଭେମ୍ବର ଏବଂ ପୂଜାରା ଜାନୁଆରି ୨୦୧୯ଠାରୁ ଟେଷ୍ଟ୍ ଶତକ ଅର୍ଜନ କରିନାହାନ୍ତି। ଏଣୁ ଇଂଲଣ୍ଡ ବିପକ୍ଷରେ ସେମାନେ ତିନି ଅଙ୍କ ଛୁଇଁବାକୁ ପୂରା ଭୋକିଲା ଥିବେ। କୋହଲି ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷ ଗୋଲାପି ବଲ୍ ଟେଷ୍ଟ୍ (କୋଲକାତା) ଏବଂ ପୂଜାରା ଅଷ୍ଟ୍ରେଲିଆ ବିପକ୍ଷ (ସିଡ୍‌ନି)ରେ ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର