ଅବସର ବିବାଦ ନେଇ ମୁହଁ ଖୋଲିଲେ ଡି’ଭିଲିୟର୍ସ

ବିଶ୍ବକପ୍ ଖେଳିବା ପ୍ରସ୍ତାବ ଦେଇ ନଥିଲି, ଅନୁରୋଧ ପାଇଥିଲି

ଜୋହାନେସବର୍ଗ: ବିଶ୍ବକପ୍ ବେଳେ ସୃଷ୍ଟି ହୋଇଥିବା ଅବସର ଜନିତ ବିବାଦରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଶେଷରେ ମୁହଁ ଖୋଲିଛନ୍ତି। ଟ୍ବିଟରରେ ଶୁକ୍ରବାର ବିସ୍ତାର ବିଜ୍ଞପ୍ତି ପ୍ରକାଶ କରି ଡି’ଭିଲିୟର୍ସ ନିଜ ପକ୍ଷ ରଖିଛନ୍ତି। ଏଥିରେ ସେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍, ମୁଖ୍ୟ ପ୍ରଶିକ୍ଷକ ଓଟିସ୍ ଗିବସନ୍ ଏବଂ ଚୟନ ସମିତିର ଆବାହକ ଲିଣ୍ଡା ଜୋଣ୍ଡିଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଡି’ଭିଲିୟର୍ସ ଅବସର ନିଷ୍ପତ୍ତି ବଦଳାଇ ବିଶ୍ବକପ୍‌ରେ ଖେଳିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଡୁ’ପ୍ଲେସିସ୍, ଗିବସନ୍ ଓ ଜୋଣ୍ଡି କହିଥିଲେ। ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଲାଗାତାର ତିନିଟି ପରାଜୟ ବରଣ କରିବା ପରେ ହିଁ ସେମାନେ ଡି’ଭିଲିୟର୍ସକୁ ବିବାଦ ଘେରକୁ ଟାଣିଥିଲେ। ଡି’ଭିଲିୟର୍ସ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ମୁଁ ଅବସରରୁ ବାହାରି ବିଶ୍ବକପ୍ ଖେଳିବି ବୋଲି ପ୍ରସ୍ତାବ ଦେଇ ନଥିଲି। ବରଂ ମୋତେ ବିଶ୍ବକପ୍ ଖେଳିବା ଲାଗି ଅଣଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଥିଲା ବୋଲି ସେ କହିଛନ୍ତି। ନିଜ ସୁବିଧା ମୁତାବକ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଅଭିଯୋଗକୁ ମଧ୍ୟ ଡି’ଭିଲିୟର୍ସ ଅଗ୍ରାହ୍ୟ କରି ଦେଇଛନ୍ତି। ୧୧୪ ଟେଷ୍ଟ୍‌ ଏବଂ ୨୨୮ ଦିନିକିଆରେ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ବ କରିଥିବା ଏହି ମହାନ ଖେଳାଳି ଲେଖିଛନ୍ତି, ମୁଁ କୌଣସି ଦାବି କରି ନଥିଲି। ବିଶ୍ବକପ୍‌ର ଠିକ୍ ପୂର୍ବରୁ ଦଳରେ ଧସେଇ ପଶିବାର କୌଣସି ଉଦ୍ୟମ ବି କରି ନଥିଲି। ଦଳରେ ସ୍ଥାନ ପାଇବାର ଆଶା ବି ନଥିଲା। ମୁଁ ବିଶ୍ବକପ୍ ଖେଳିବାକୁ ବ୍ୟାକୁଳ ନଥିଲି। କାହା ପ୍ରତି ଅନ୍ୟାୟ ‌କରିବାର ଇଚ୍ଛା ବି କରି ନଥିଲି। କେବଳ ଦରକାର ପଡ଼ିଲେ ମୁଁ ଉପଲବ୍ଧ ହେବି ବୋଲି କହିଥିଲି। ଅବସର ଦିନ ହିଁ ମୋତେ ବିଶ୍ବକପ୍ ଖେଳିବା ନେଇ ପ୍ରଶ୍ନ ହୋଇଥିଲା। ଏହା ପରେ ବହୁ ସମୟ ଗଡ଼ି ଯାଇଥିଲା। ନା ସେମାନେ ମୋତେ ଯୋଗାଯୋଗ କରିଥିଲେ, ନା ମୁଁ ସେମାନଙ୍କୁ ଫୋନ୍ କରିଥିଲି। ବି‌ଶେଷଜ୍ଞ ପ୍ରଶିକ୍ଷକ ଗିବସନ୍ ଏବଂ ଦକ୍ଷ ଅଧିନାୟକ ଫାଫ୍ ଡୁ’ ପ୍ଲେସିସଙ୍କ ‌ନେତୃତ୍ବରେ ସେମାନେ ଆଗକୁ ବଢ଼ି ଗଲେଣି ବୋଲି ମୁଁ ଭାବିଥିଲି। ଫାଫ୍ ଓ ମୁଁ ପିଲାବେଳର ସାଙ୍ଗ। ସେଥିପାଇଁ ବିଶ୍ବକପ୍ ଦଳ ଘୋଷଣାର ଦୁଇ ଦିନ ପୂର୍ବରୁ ତାଙ୍କ ସହ କଥା ହେବା ପାଇଁ ମୁଁ ଫୋନ୍ କରିଥିଲି। ଆଇପିଏଲରେ ମୁଁ ଭଲ ପ୍ରଦର୍ଶନ କରିଥିଲି। ଏଣୁ ଦରକାର ପଡ଼ିଲେ ବିଶ୍ବକପ୍ ପାଇଁ ଉପଲବ୍ଧ ହୋଇ ପାରିବି ବୋଲି ମଜାରେ କହିଥିଲି। ଆମ ଭିତରେ ହୋଇଥିବା କଥାକୁ ଡୁ’ ପ୍ଲେସିସ୍ ସାର୍ବଜନିନ କରିବା ମୋତେ ବେଶ୍ ବାଧିଥିଲା। ସମାଲୋଚନାକୁ ଏଡ଼ାଇବା ପାଇଁ ବିନା କାରଣରେ ମୋତେ ବିବାଦ ଘେରକୁ ଟାଣିବାର ଏହା ଏକ ବିକଳ୍ପ ଥିଲା ବୋଧେ। ମୁଁ ମୋ ପରିବାର ସହ ସମୟ କଟାଇବା ପାଇଁ ହିଁ ଅବସର ନେଇଥିଲି। କିଛି ‌‌ଲୋକ ମୁଁ ଅର୍ଥକୁ ଗୁରୁତ୍ବ ଦେଇ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିଲି ବୋଲି କହିଥିଲେ। ଏଥିରେ ଆଦୌ ସତ୍ୟତା ନାହିଁ। ସତ କହିବାକୁ ଗଲେ ପରିବାର ସହ ସମୟ କଟାଇବା ଲାଗି ମୁଁ ଅନେକ ଲୋଭନୀୟ ଖେଳିବା ପ୍ରସ୍ତାବ ଛାଡ଼ିଛି। ସାଥୀ ଖେଳାଳିଙ୍କ ସହ ମୋର ବହୁତ ଭଲ ସଂପର୍କ ରହିଛି। ମୋ ଦେଶ ପାଇଁ ଖେଳିବା ଓ ନେତୃତ୍ବ ନେବା ନେଇ ମୁଁ ଗର୍ବିତ।

ସମ୍ବନ୍ଧିତ ଖବର