ରହିମ୍‌ଙ୍କ ବ୍ୟାଟ୍‌କୁ ୨୦,୦୦୦ ଡଲାରରେ କିଣିଲେ ଆଫ୍ରିଦି

ନୂଆଦିଲ୍ଲୀ: ବାଂଲଦେଶ କରୋନା ମହାମାରୀ ସଂକ୍ରମିତଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ହାତ ବଢ଼ାଇଛନ୍ତି ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ମୁସ୍‌ଫିକର ରହିମ୍‌। ଏଥିପାଇଁ ସେ ନିଜର ସ୍ମରଣୀୟ ପାଳି ଖେଳିଥିବା ଏକ ବ୍ୟାଟ୍‌କୁ ନିଲାମ ପାଇଁ ଗତମାସରେ ଘାଷଣା କରିଥିଲେ। ଯେଉଁ ବ୍ୟାଟ୍‌ରେ ୨୦୧୩ରେ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଷ୍ଟ ଦ୍ବିଶତକ ଜମାଇଥିଲେ ସେହି ବ୍ୟାଟ୍‌କୁ ନିଲାମ କରିଛନ୍ତି। ଆଉ ଏହି ବ୍ୟାଟ୍‌କୁ ଏବେ କିଣିଛନ୍ତି ପାକିସ୍ତାନ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ସହିଦ୍‌ ଆଫ୍ରିଦି। ଆଫ୍ରିଦି ଏହି ବ୍ୟାଟ୍‌କୁ ୨୦,୦୦୦ ଆମେରିକୀୟ ଡଲାର ମୂଲ୍ୟରେ କିଣି ନେଇଛନ୍ତି। ଆଫ୍ରିକିଙ୍କ ଭଳି ଜଣେ ନାମି ଖେଳାଳି ତାଙ୍କ ପ୍ରତିଷ୍ଠାନ ପକ୍ଷରୁ ବ୍ୟାଟ୍‌ କିଣିଥିବାରୁ ନିଜକୁ ଭର୍ବିତ ଓ ସମ୍ମାନିତ ଅନୁଭବ କରୁଛନ୍ତି ରହିମ୍।

ଏହି ବ୍ୟାଟ୍‌ ମୋ ପାଇଁ ସ୍ମରଣୀୟ ଥିଲା। ସେଥିରେ ମୁଁ ମୋର ପ୍ରଥମ ଟେଷ୍ଟ୍‌ ଦ୍ବିଶତକ ହାସଲ କରିଥିଲି। ମୋର ଯଥେଷ୍ଟ ସ୍ମୃତି ସେହି ବ୍ୟାଟ୍‌ରେ ଯୋଡ଼ି ହୋଇ ରହିଛି। ହେଲେ ମୋ ଦେଶ ପାଇଁ କରୋନା ଭଳି ସଂକଟଜନକ ସ୍ଥିତିରେ ପାଣ୍ଠି ଯୋଗାଡ଼ କରିବାକୁ ଏହି ବ୍ୟାଟ୍‌ ନିଲାମ କରିବାର ଘୋଷଣା କରିଥିଲି। ଏଥିପାଇଁ ଆଗେଇ ଆସିବାକୁ ଏବଂ ସହାୟତା ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଥିଲି। ଗତ ସପ୍ତାହରେ ସଂଖ୍ୟାଧିକ ନକଲି ଦାବିଦାର ନିଲାମରେ ସାମିଲ ହୋଇଥିଲେ। ଫଳରେ ନିଲାମ ପ୍ରକ୍ରିୟାକୁ ରଦ୍ଦ କରି‌ଦେଇଥିଲି। ହେଲେ ମୋ ଘୋଷଣା ସଂପର୍କରେ ଖବର ପାଇ ଆଫ୍ରିଦି ଭାଈ ମୋ ସହ ଯୋଗଯୋଗ କରିଥିଲେ ଏବଂ ବ୍ୟାଟ୍‌ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ମଧ୍ୟ ଏକ ପ୍ରସ୍ତାବ ସମ୍ବଳିତ ପତ୍ର ଗତ ୧୩ ତାରିଖରେ ମୋ ପାଖକୁ ପଠାଇଥିଲେ। ୨୦,୦୦୦ ଡଲାର ମୂଲ୍ୟ ମଧ୍ୟ ଉଲ୍ଲେଖ କରିଥିଲେ। ଯାହାକି ବାଂଲାଦେଶ ମୁଦ୍ରାରେ ୧୬.୮ ଲକ୍ଷ ଥିଲା ବୋଲି ରହିମ୍‌ କହିଛନ୍ତି। ଆଫ୍ରିଦିଙ୍କ ଏକ ଭିଡିଓ ବାର୍ତାକୁ ମଧ୍ୟ ରହିମ୍‌ ତାଙ୍କ ଟ୍ବିଟରରେ ପୋଷ୍ଟ କରିଥିଲେ। ସେଥିରେ ଲେଖିଥିଲେ ତୁମେ ଏଭଳି ମହାନ୍‌ କାର୍ଯ୍ୟ କରିଛ। କବେଳ ବାସ୍ତବ ହିରୋ ହିଁ ଏହା କରିପାରେ। ଅନ୍ୟପକ୍ଷରେ କରୋନାକୁ ନେଇ ଆମେ ଯେଉଁଭଳି କଷ୍ଟକର ସମୟରେ ଗତି କରୁଛୁ ସେଥିପାଇଁ ପ୍ରତ୍ୟେକଙ୍କୁ ସମର୍ଥନ ଓ ଭଲପାଇବା ଦରକାର ରହିଛି ବୋଲି ବ୍ୟାଟ୍‌ ନିଲାମ ଧରିବା ପରେ ଆଫ୍ରିଦି କହିଛନ୍ତି। ସେଥିପାଇଁ ସମସ୍ତ ପାକିସ୍ତାନୀଙ୍କ ପକ୍ଷରୁ ମୁଁ ତୁମ ବ୍ୟାଟ୍‌ କିଣିବାକୁ ଚାହୁଛି। ଆମ ଖେଳାଳିମାନେ ମଧ୍ୟ ତୁମ ସହିତ ଅଛନ୍ତି। ଆଶାକରେ କରୋନା ସଂକଟ ଟଳିଗଲା ପରେ ପୁଣି ତୁମ ସହିତ କ୍ରିକେଟ୍‌ ପଡ଼ିଆରେ ଦେଖାହେବ ବୋଲି ଆଫ୍ରିଦି ଉଲ୍ଲେଖ କରିଥିଲେ।

ଏଠାରେ ସୂଚନାଯୋଗ୍ୟ, ସାଂପ୍ରତିକ ବିଶ୍ବବ୍ୟାପୀ କରୋନା ମହାମାରୀର ମୁକାବିଲା ପାଇଁ କ୍ରିକେଟର୍‌ମାନେ ସେମାନଙ୍କ ସ୍ବଳ୍ପ ସହାୟତା ଜାରି ରଖିଛନ୍ତି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ସମ୍ୟାନ୍‌ ଏବି ଡିଭିଲିୟର୍ସ ସେମାନଙ୍କ ଗୁଜରାଟ ଲାୟନ୍‌ସ ବିପକ୍ଷ ୨୦୧୬ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର କିଟ୍‌ସ ସବୁ ନିଲାମ କରି ପାଣ୍ଠି ସଂଗ୍ରହ କରିଥିଲେ। ଇଂଲଣ୍ଡ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟ୍ଟଲର୍‌ ମଧ୍ୟ ପାଣ୍ଠି ସଂଗ୍ରହ ପାଇଁ ତାଙ୍କ ବିଶ୍ବକପ୍‌ ସାର୍ଟକୁ ନିଲାମ କରିଥିଲେ।

ସମ୍ବନ୍ଧିତ ଖବର