ବିଶ୍ବକପ୍‌ ପରେ ଦିନିକିଆରୁ ଅବସର ନେବେ ହାସନ୍‌

କାବୁଲ: ଆଫ୍‌ଗାନିସ୍ତାନ ଦ୍ରୁତ ବୋଲର ହମିଦ୍‌ ହାସନ୍‌ ବିଶ୍ବକପ୍‌ ଦଳକୁ ଫେରିଛନ୍ତି। ହେଲେ ଏହି ୩୧ ବର୍ଷ ବୟସ୍କ ଦ୍ରୁତ ବୋଲର ଇଂଲଣ୍ଡ୍‌ ବିଶ୍ବକପ୍‌ ପରେ ଦିନିକିଆ ଆନ୍ତର୍ଜାତିକରୁ ଅବସର ନେଇଯିବେ ‌ବୋଲି ଆଭାସ ଦେଇ ସାରିଛନ୍ତି। ପ୍ରତ୍ୟେକ ଖେଳାଳି ଦିନେ ନା ଦିନେ ଅବସର ନେଇଛନ୍ତି। ମୋ ମତରେ ଜଣେ ଖେଳାଳି ଭଲ ଫର୍ମରେ ଥିବ ଏବଂ ଦଳ ପାଇଁ ବୋଛ ପାଲଟିନଥିବ ସେତେବେଳେ ହିଁ ଅବସର ନେଇଯିବା ବୁଦ୍ଧିମାନର କାମ। ସେଥିପାଇଁ ମୁଁ ବିଶ୍ବକପ୍‌ ପରେ ପରେ ଦିନିକିଆ ଆନ୍ତର୍ଜାତିକ ଛାଡ଼ିଦେବି ଏବଂ ଆଉ କିଛି ବର୍ଷ ଟ୍ବେଣ୍ଟି-୨୦ ଖେଳ ଜାରି ରଖିବି ବୋଲି ହାସନ୍‌ କହିଛନ୍ତି। ମୁଁ ନିଜର ଶାରୀରିକ ସନ୍ତୁଳନର ପ୍ରମାଣ ଦେଇ ବିଶ୍ବକପ୍‌ ଦଳକୁ ଫେରିଛି। ଗତ ୬ ମାସ ହେଲା କଠିନ ପରିଶ୍ରମ କରି ବିଭିନ୍ନ ଫିଟ୍‌ନେସ୍‌ ଓ ପ୍ରଶିକ୍ଷଣ ଶିବିରରେ ନିଜକୁ ପ୍ରମାଣିତ କରିଛି। ଯଦିଓ ବଡ଼ ବ୍ୟବଧାନ ଧରି ଦିନିକିଆ ମ୍ୟାଚ୍‌ ଖେଳିନି ତଥାପି ବିଶ୍ବକପ୍‌‌ରେ ଦଳକୁ ନିରାଶ କରିବିନି। ମୋର ସମସ୍ତ ପ୍ରୟାସ ବଳରେ ପ୍ରଶଂସକଙ୍କ ମନ କିଣିନେବି ବୋଲି ହାସନ୍‌ କହିଛନ୍ତି। ହାସନ୍‌ ଆଫ୍‌ଗାନିସ୍ତାନ ପକ୍ଷରୁ ମୋଟ ୩୨ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ଶେଷ ମ୍ୟାଚ୍‌ ୨୦୧୬ରେ ଆୟର୍ଲାଣ୍ଡ୍‌ ବିପକ୍ଷରେ ଖେଳିଥିଲେ। ସେତେବେଳେ ସେ ଦୌଲତ ଜଦ୍ରାନ୍‌ଙ୍କ ସହ ନୂଆ ବଲ୍‌ ଆକ୍ରମଣ ସମ୍ଭାଳୁଥିଲେ। ହେଲେ ପ୍ରାୟ ୩ ବର୍ଷ ପରେ ସମସ୍ତଙ୍କୁ ଚକିତ କରି ଆଫ୍‌ଗାନ ମନୋନୟନକର୍ତାମାନେ ତାଙ୍କୁ ବିଶ୍ବକପ୍‌ ଦଳରେ ସାମିଲ କରିଥିଲେ।

ସମ୍ବନ୍ଧିତ ଖବର