କୋହଲିଙ୍କ ଆଉ ଏକ କୀର୍ତ୍ତିମାନ: ଅଧିନାୟକ ଭାବେ ଦ୍ରୁତତମ ୧୧,୦୦୦ ଆନ୍ତର୍ଜାତିକ ରନ୍‌

ପୁଣେ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୁରୁଣା ବର୍ଷ (୨୦୧୯)ର ଚମକକୁ ନୂଆବର୍ଷ (୨୦୨୦)ରେ ମଧ୍ୟ ଆଗକୁ ବଢ଼ାଇ ଚାଲିଛନ୍ତି। ଶୁକ୍ରବାର ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଅବସରରେ ସେ ଦୁଇଟି ନୂଆ କୀର୍ତ୍ତିମାନ ନିଜ ନାମ‌ରେ କରିନେଇଛନ୍ତି। ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ (ଇନ୍ଦୋର)ରେ ସେ ନିଜ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା (ଶ୍ରୀଲଙ୍କା ଶୃଙ୍ଖଳାରୁ ବିଶ୍ରାମ)ଙ୍କୁ ପଛରେ ପକାଇ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବୋଚ୍ଚ ରନ୍‌ କରିବାର କୀର୍ତ୍ତିମାନ ରଚିଥିଲେ। ସେହି ମ୍ୟାଚ୍‌ ପୂର୍ବରୁ ଉଭୟ ରୋହିତ ଓ କୋହଲି ସମାନ ସଂଖ୍ୟକ ରନ୍‌ କରି ଯୁଗ୍ମ ଶୀର୍ଷରେ ରହିଥିଲା ବେଳେ କୋହଲି ୧୭ ବଲ୍‌ରୁ ଅପରାଜିତ ୩୦ ରନ୍‌ କରି ବିଶ୍ବ କୀର୍ତ୍ତିମାନ ନିଜ ନାମରେ ଯୋଡ଼ିନେଇଥିଲେ।

ଏହାପରେ ଶୁକ୍ରବାର ପୁଣେରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ୧୭ ବଲ୍‌ରୁ ୨୬ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ପୁଣି ଏକ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଗଲେ। ଏହି ଅବସରରେ କୋହଲି ଜଣେ ଅଧିନାୟକ ଭାବେ ୧୧,୦୦୦ ଆନ୍ତର୍ଜାତିକ ରନ୍‌ ପୂରଣ କରିଥିଲେ। ଆଉ ଏହା ମଧ୍ୟ ଅଧିନାୟକ ଭାବେ ଦ୍ରୁତତମ ୧୧,୦୦୦ ରନ୍‌ ଥିଲା। ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ କୋହଲିଙ୍କୁ ମାତ୍ର ୧ ରନ୍‌ ଦରକାର ଥିଲା ବେଳେ ସେ ଲକ୍ଷ୍ମଣ ସନ୍ଦକନ୍‌ଙ୍କ ବଲ୍‌ରେ ସିଙ୍ଗଲ ରନ୍‌ ନେଇ ଷଷ୍ଠ ଆନ୍ତର୍ଜାତିକ ଅଧିନାୟକ ଭାବେ ୧୧,୦୦୦ ରନ୍‌ ପୂରଣ କରିନେଇଥିଲେ। ସେ ମଧ୍ୟ ଏକ୍ଷେତ୍ରରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଦ୍ବିତୀୟ ଭାରତୀୟ ଅଧିନାୟକ ହୋଇଥିଲେ। କୋହଲିଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ୍‌, ଧୋନି, ଅଷ୍ଟ୍ରେଲିଆର ଆଲାନ୍‌ ବର୍ଡର ଓ ନ୍ୟୁଜିଲାଣ୍ଡ୍‌ର ଷ୍ଟିଫେନ୍‌ ଫ୍ଲେମିଙ୍ଗ୍‌ ଅଧିନାୟକ ଭାବେ ୧୧,୦୦୦ ଆନ୍ତର୍ଜାତିକ ରନ୍‌ କରିସାରିଛନ୍ତି। ହେଲେ ଏ ସମସ୍ତଙ୍କ ତୁଳନାରେ କୋହଲି ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର