ସୋମବାରଠୁ ସବୁ କ୍ରୀଡ଼ା ଛାତ୍ରାବାସ ବନ୍ଦ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣର କ୍ରମବର୍ଦ୍ଧି‌ଷ୍ଣୁ ସଂଖ୍ୟାକୁ ନଜରରେ ରଖି ସରକାର ରାଜ୍ୟର ସମସ୍ତ କ୍ରୀଡ଼ା ଛାତ୍ରାବାସକୁ ସୋମବାରଠାରୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। କ୍ରୀଡ଼ା ଛାତ୍ରାବାସର ଅନ୍ତେଃବାସୀମାନଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇ‌ ଦେବାକୁ ଏହାର ଭାରପ୍ରାପ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବଳ୍ପ ବୟସର ପିଲାମାନଙ୍କୁ ନେବା ଲାଗି ସେମାନଙ୍କ ପରିବାରବର୍ଗକୁ ମଧ୍ୟ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଘରକୁ ଫେରିବାରେ ଅସୁବିଧା ହେଉଥିଲେ ଏହାର ବ୍ୟବସ୍ଥା କରିବା ଲାଗି ମଧ୍ୟ କୁହାଯାଇଛି। ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀମାନେ କିନ୍ତୁ ସଦର ମହକୁମାରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସଗୁଡିକ ବନ୍ଦ ସମୟରେ ବିଭାଗ ପକ୍ଷରୁ ବିଭିନ୍ନ କ୍ରୀଡ଼ାଭିତ୍ତିକ କର୍ମଶାଳା ଓ ପ୍ରଶିକ୍ଷଣ ବିକାଶ କାର୍ଯ୍ୟକ୍ରମରେ ଏମାନଙ୍କୁ ସମ୍ପୃକ୍ତ କରାଯିବ। ଏ ସମ୍ପର୍କରେ ନିଜ ମତ ରଖି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘କ୍ରୀଡ଼ା‌ ଛାତ୍ରାବାସର ଅନ୍ତେଃବାସୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରପ୍ରାପ୍ତ ଅଧିକାରୀମାନେ ଅନ୍ତେଃବାସୀଙ୍କ ସହ ନିୟମିତ ସମ୍ପର୍କରେ ରହିବେ ଏବଂ ପରିସ୍ଥିତି ସୁଧୁରିଲେ ସେମାନଙ୍କୁ ଆଗୁଆ ସୂଚନା ଦେବେ’।

ସମ୍ବନ୍ଧିତ ଖବର