ଭାରତରେ ଏ ବର୍ଷ ସ୍ବାଭାବିକ ମୌସୁମୀ ବର୍ଷା, ଓଡ଼ିଶାରେ କମ୍‌ ବର୍ଷା ଆଶଙ୍କା

ଭୁବନେଶ୍ବର : ଦେଶର ଚାଷୀକୁଳ ପାଇଁ ଖୁସି ଖବର। ଚଳିତ ବର୍ଷ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ବାଭାବିକ ବର୍ଷା ହେବ। କିନ୍ତୁ ଓଡ଼ିଶା ଏଥିରୁ ବଞ୍ଚିତ ହେବ। କାରଣ ଓଡ଼ିଶାରେ ଚଳିତ ମୌସୁମୀ‌ରେ ବର୍ଷାର ପରିମାଣ ସ୍ବାଭାବିକଠାରୁ କମ୍‌ ରହିବ। ଅର୍ଥାତ୍‌ ରାଜ୍ୟରେ ଏଥର କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଖାଲି ଓଡ଼ିଶା ନୁହେଁ; ଆସାମ, ଛତିଶଗଡ଼, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ମଧ୍ୟ କମ୍‌ ବର୍ଷା ପରିସ୍ଥିତି ସୃଷ୍ଟି ହେବ। ଓଡ଼ିଶା ସମେତ ଏସବୁ ରାଜ୍ୟରେ କମ୍‌ ବର୍ଷା ହେବାର ପ୍ରାୟ ୩୫ରୁ ୬୫% ପର୍ଯ୍ୟନ୍ତ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରେସ୍‌ ବିବୃତିରେ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ କାରଣରୁ ଚଳିତ ବର୍ଷ ଦେଶରେ ଭଲ ବର୍ଷା ହେବ। କିଛି କିଛି ସ୍ଥାନରେ ସ୍ବାଭାବିକଠାରୁ ଢେର୍‌ ଅଧିକ ଓ କେତେକ ରାଜ୍ୟରେ କମ୍‌ ବର୍ଷା ବି ହୋଇପାରେ। ଏସବୁ ହିସାବକୁ ନେଇ ଆଇଏମ୍‌ଡି କହୁଛି ଗତ‌ ଦୁଇ ବର୍ଷ ଧରି ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ। ୧୯୯୬, ୯୭ ଓ ୯୮ ମସିହାରେ ଲଗାତାର ୩ ବର୍ଷ ଧରି ଦେଶରେ ସ୍ବାଭାବିକ ବର୍ଷା ହୋଇଥିବା ରେକର୍ଡ ରହିଛି।

ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍‌ ରାଜୀବନ୍‌ କହିଛନ୍ତି, ୨୦୨୦ରୁ ଆରମ୍ଭ ହୋଇଥିବା ଲା ନିନାର ପ୍ରଭାବ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି। ‌କେବଳ ମେ’ ମାସ ପର୍ଯ୍ୟନ୍ତ ଲା ନିନା ପରିସ୍ଥିତି ରହିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବା ବେଳକୁ ଏନ୍‌ସୋ ନ୍ୟୁଟ୍ରାଲ ଫେଜ୍‌ ରହିବ। ଏଥିସହ ଏଲ୍‌ନିନୋ ମଧ୍ୟ ମୌସୁମୀର କିଛି ମାସ ପର୍ଯ୍ୟନ୍ତ ରହିବ, କିନ୍ତୁ ଏହା ଦୁର୍ବଳ ରହିବ। ଅନ୍ୟପଟେ ମୌସୁମୀ ସମୟରେ ଭାରତ ମହାସାଗର ଡାଇପୋଲ୍‌ (ଆଇଓଡି) ବିଯୁକ୍ତ ଫେଜ୍‌ରେ ରହିପାରେ। ଏସବୁ ପରିସ୍ଥିତିକୁ ଅନୁଧ୍ୟାନ କଲେ ଚଳିତ ବର୍ଷ ମୌସୁମୀ‌ରେ ଦେଶରେ ସ୍ବାଭାବିକ ବର୍ଷା ହେବ ବୋଲି ଜଣାପଡ଼ୁଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ମୌସୁମୀ ସମୟରେ ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ବା କେତେକ ସ୍ଥାନରେ କିଛି ଅଧିକ ହେବ। ତେବେ ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ହୋଇପାରେ। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ପୂର୍ବ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର କେତେକ ଜିଲ୍ଲା ଏବଂ ପୂର୍ବୋତ୍ତର ରାଜ୍ୟରୁ ଅନେକ ଅଞ୍ଚଳ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶାର ଆଭ୍ୟନ୍ତରୀଣ ଉତ୍ତର-ପଶ୍ଚିମ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ହେବାର ସମ୍ଭାବନା ୩୫ରୁ ୫୫% ପର୍ଯ୍ୟନ୍ତ ରହିଛି। ଉତ୍ତର ଉପକୂଳ ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଏବଂ କେନ୍ଦ୍ରୀୟ ଉପକୂଳ ଯଥା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୀର୍ଘକାଳୀନ ହାରାହାରି ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି ଓ ସଂଲଗ୍ନ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ନୟାଗଡ଼ ଆଦି ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ୪୫% ରହିଛି। ବିଭିନ୍ନ ଆକଳନରୁ ଜଣାପଡ଼ୁଛି, ଓଡ଼ିଶାରେ ପ୍ରାୟତଃ ପ୍ରଥମ ୩ ମାସ ବର୍ଷା ସ୍ବାଭାବିକ ରହିବ। ସେପ୍ଟେମ୍ବର ଆଡ଼କୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା କିଛି କମ୍‌ ହୋଇପାରେ। ମୌସୁମୀ ଟ୍ରଫ୍‌ ଠିକ୍ ଭାବେ ସୃଷ୍ଟି ହେବା ହେତୁ ମୌସୁମୀ ପବନକୁ ଭାରତ ମହାସାଗରରୁ ଟାଣି ଆଣିବ। ଆରବସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ୍‌ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦୀର୍ଘକାଳୀନ ହାରାହାରି ବର୍ଷା (ଅର୍ଥାତ୍‌ ୧୯୬୧ ମସିହାଠାରୁ ୨୦୧୦ ମସିହା ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ହାରାହାରି ବର୍ଷା) ପରିମାଣ ହେଉଛି ୮୮ ସେଣ୍ଟିମିଟର। ବର୍ଷ ସାରା ଦେଶରେ ହେଉଥିବା ମୋଟ୍‌ ବର୍ଷାର ପ୍ରାୟ ୯୮% ବର୍ଷା (୮୮ ସେମି) ଏହି ‌ମୌସୁମୀ ସମୟରେ ଅର୍ଥାତ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହେବ ବୋଲି କହିଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର