ପୁଣି କୀର୍ତ୍ତିମାନ ବହିରେ ବାବର-ରିଜୱାନ

କରାଚି : ଗୁରୁବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ପାକିସ୍ତାନ ୧୦ ୱିକେଟ୍‌ରେ ଜିତି ନେଇଥିଲା। ଇଂଲଣ୍ଡ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଘରୋଇ ଦଳ ବିନା କ୍ଷତିରେ ୩ ବଲ୍‌ ପୂର୍ବରୁ ବିଜୟ ହାସଲ କରିଥିଲା। ଏହା ଟ୍ବେଣ୍ଟି-୨୦ ଇତିହାସରେ ବିନା କ୍ଷତିରେ ସର୍ବାଧିକ ସ୍କୋର୍‌ ପଶ୍ଚାତ୍‌ଧାବନ ବିଜୟ। ଏହାପୂର୍ବରୁ ଏହି କୀର୍ତ୍ତିମାନ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ନାମରେ ଥିଲା। ୨୦୧୭ ଆଇପିଏଲ୍‌ରେ ଗୁଜରାଟ ଲାୟନ୍ସ ଦେଇଥିବା ୧୮୪ ରନ୍‌ର ବିଜୟ ଲକ୍ଷ୍ୟକୁ କେକେଆର୍‌ ବିନା କ୍ଷତିରେ ହାସଲ କରିଥିଲା। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ (୨୦୧୬) ୧୬୯ ରନ୍‌ର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ୍‌ ନହରାଇ ହାସଲ କରିଥିଲା। ଏଥିସହ ପାକିସ୍ତାନ ପ୍ରଥମ ଦଳ ଭାବେ ୨୦୦ ରନ୍‌ର ପଶ୍ଚାତ୍‌ଧାବନ ଲକ୍ଷ୍ୟକୁ ସଫଳତା ସହ ପାରିକରିଛି। ପୂର୍ବରୁ ଭାରତ ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ଏହି ଫର୍ମାଟ୍‌ରେ ୧୯୯ ରନ୍‌ର ଲକ୍ଷ୍ୟକୁ ହାସଲ କରିଥିଲା। ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ୨୦୩ ରନ୍‌ର ଭାଗୀଦାରି ଟ୍ବେଣ୍ଟି-୨୦ ପଶ୍ଚାତ୍‌ଧାବନରେ ସର୍ବାଧିକ। ଟ୍ବେଣ୍ଟି-୨୦ରେ ପାକିସ୍ତାନର ଏହା ଦ୍ବିତୀୟ ୧୦ ୱିକେଟ୍‌ ବିଜୟ ଏବଂ ଇଂଲଣ୍ଡ ପାଇଁ ପ୍ରଥମ ୧୦ ୱିକେଟ୍‌ ପରାଜୟ। ଏଠାରେ ଶତକ ଅର୍ଜନ କରିଥିବା ବାବର ପ୍ରଥମ ପାକିସ୍ତାନ ବ୍ୟାଟର୍‌ ଭାବେ ଏହି ଫର୍ମାଟ୍‌ରେ ଏକାଧିକ ଶତକ ହାସଲକାରୀ ହୋଇଥିଲେ।

ସମ୍ବନ୍ଧିତ ଖବର