ଏସିଆଡ୍ ଓ ବିଶ୍ବ ଚାମ୍ପିଅନସିପ୍‌ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଅସଲ ପରୀକ୍ଷା: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିତିଛନ୍ତି ୧୧୪ ପଦକ

ଏସିଆଡ୍‌ରେ ୫୯, ବିଶ୍ବ ଚାମ୍ପିଅନସିପ୍‌ରେ ମାତ୍ର ୨୦

ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କୁସ୍ତିଯୋଦ୍ଧା କମାଲ କରିଛନ୍ତି। ୧୨ ଜଣିଆ ଦଳ ୧୨ଟି ପଦକ ଜିତିଥିଲା ବେଳେ ସ୍ବର୍ଣ୍ଣ ପଦକ ସଂଖ୍ୟା ୫ (ଗୋଲ୍ଡକୋଷ୍ଟ, ୨୦୧୮)ରୁ ୬କୁ ବଢ଼ାଇ ପାରିଛନ୍ତି। ବଜରଙ୍ଗ ପୁନିଆ, ଦୀପକ ପୁନିଆ, ରବି ଦାହିଆ, ନବୀନ ମଲ୍ଲିକ ପ୍ରମୁଖ ପୁରୁଷ ଫ୍ରି ଷ୍ଟାଇଲ୍‌ରେ ଏବଂ ଭିନେଶ ଫୋଗଟ ଓ ସାକ୍ଷୀ ମଲ୍ଲିକ ମହିଳା ଫ୍ରି ଷ୍ଟାଇଲ୍‌ରେ ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ଲାଭ କରିଛନ୍ତି। ସେଥିପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଖେଳରୁ ଭାରତ ଏବେ କାନାଡା ପଛକୁ ଦ୍ବିତୀୟ ସର୍ବାଧିକ ପଦକ ଜିତିପାରିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୪୯ ସ୍ବର୍ଣ୍ଣ ସହ ୧୧୪ ପଦକ ଜିତିଛି। ଅନ୍ୟପକ୍ଷରେ କାନାଡା ୬୯ ସ୍ବର୍ଣ୍ଣ ସହ ୧୪୭ ପଦକ ପାଇଛି। ତେବେ ଭାରତୀୟ ପହିଲମାନଙ୍କ ପାଇଁ ଅସଲ ପରୀକ୍ଷା ଆଗାମୀ ଏସୀୟ କ୍ରୀଡ଼ା ଏବଂ ବିଶ୍ବ ଚାମ୍ପିଅନସିପ୍‌ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ବିଶ୍ବ କୁସ୍ତି ଚାମ୍ପିଅନସିପ୍‌ରେ ମାତ୍ର ୨୦ ପଦକ ଜିତିପାରିଛି। ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ହିଁ ଏକମାତ୍ର ଭାରତୀୟ ଭାବେ ୨୦୧୦ ମସ୍କୋ ବିଶ୍ବ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଏକମାତ୍ର ଭାରତୀୟ ଭାବେ ବିଶ୍ବ ଚାମ୍ପିଅନସିପ୍‌ରେ ଏକାଧିକ ପଦକ ଜିତିଛନ୍ତି। ୨୦୧୯ରେ ଭାରତ ବିଶ୍ବ ଚାମ୍ପିଅନସିପ୍‌ରେ ସର୍ବାଧିକ ସଫଳତା ଲାଭ କରିଥିଲା। ଏହି ସଂସ୍କରଣରେ ଭାରତର ୫ ଜଣ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଦୀପକ ପୁନିଆ, ରବି ଦାହିଆ, ରାହୁଲ ଆୱାରେ ଓ ଭିନେଶ ଫୋଗଟ ପଦକ ଜିତିଥିଲେ।

ଏସୀୟ କ୍ରୀଡ଼ାରେ ଅବଶ୍ୟ ଭାରତର ପ୍ରଦର୍ଶନ ତୁଳନାତ୍ମକ ଭାବେ ଭଲ ରହିଛି। ଏସୀୟ କ୍ରୀଡ଼ାର କୁସ୍ତିରୁ ଭାରତ ମୋଟ ୫୯ ପଦକ ଜିତିଛି। ସେଥିମଧ୍ୟରେ ରହିଛି ୧୧ ସ୍ବର୍ଣ୍ଣ। ଜାକର୍ତ୍ତାଠାରେ ଆୟୋଜିତ ଗତ ଏସୀୟ କ୍ରୀଡ଼ାରେ ଭାରତ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ଜିତିଥିଲା। ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଦିବ୍ୟା କକ୍ରନ୍ କାଂସ୍ୟ ପଦକ ଅର୍ଜନ କରିଥିଲେ। ଏସୀୟ କ୍ରୀଡ଼ାରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଏତେ ଅଧିକ ଯେ ୨୮ ବର୍ଷ ପରେ (୨୦୧୪, ଇଞ୍ଚିଅନ ଏସୀୟ କ୍ରୀଡ଼ା) ଯୋଗେଶ୍ବର ଦତ୍ତ (୬୫ କିଲୋଗ୍ରାମ) ଏହି ପ୍ରତିଯୋଗିତାରେ ଭାରତ ପାଇଁ ସ୍ବର୍ଣ୍ଣ ମରୁଡ଼ି ଦୂର କରିଥିଲେ। ତାଙ୍କ ପୂର୍ବରୁ ୧୦୦ କିଲୋଗ୍ରାମ ବର୍ଗରେ କର୍ତ୍ତାର ସିଂହ ୧୯୮୬ ସିଓଏ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇରାନ, କିର୍ଗିଜସ୍ତାନ, ଆଜାରବାଇଜନ୍, ଦକ୍ଷିଣ ଓ ଉତ୍ତର କୋରିଆ, ଆମେରିକା, ରୁଷିଆ, ଜାପାନ, ଜର୍ଜିଆ, ତୁର୍କି, ବେଲାରୁଷ, କାଜାଖସ୍ତାନ, ମଙ୍ଗୋଲିଆ ଓ ଆର୍ମେନିଆ ଭଳି ଦେଶର ଅନୁପସ୍ଥିତିରୁ ଭାରତୀୟ କୁସ୍ତିଯୋଦ୍ଧା ଫାଇଦା ଉଠାଇପାରନ୍ତି। ତେବେ ଆସନ୍ତା ଏସୀୟ କ୍ରୀଡ଼ାରେ ଭାରତ ପୂର୍ବାପେକ୍ଷା ଭଲ କରିବ ବୋଲି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ରବି ଦାହିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର