ଅଷ୍ଟ୍ରେଲିଆ ଗସ୍ତରେ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ଶାସ୍ତ୍ରୀ ଚାହାନ୍ତି

ନୂଆଦିଲ୍ଲୀ: ଅଧିକ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ରାଜି ନଥିବା ଭାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ସଦ୍ୟ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଭାରତ ୧-୪ରେ ପରାସ୍ତ ହୋଇଥିଲା। ଏହି ଗସ୍ତରେ ଅଭ୍ୟାସ ମ୍ୟାଚ୍‌ ନଖେଳିବା ପରାଜୟର କାରଣ ବୋଲି ବହୁ କ୍ରିକେଟ୍‌ ବିଶେଷଜ୍ଞଙ୍କ ସମେତ ପୂର୍ବତନ ଖେଳାଳି ମତ ରଖିଥିଲେ। ଯାହାଫଳରେ ଶାସ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାପରେ ଶାସ୍ତ୍ରୀ ନିଜ ପୂର୍ବ ନୀତିରୁ ବଦଳି ଯାଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଅଧିକ ଅଭ୍ୟାସ ମ୍ୟାଚ୍‌ ରଖିବାକୁ ସେ ବିସିସିଆଇକୁ ଅନୁରୋଧ କରିଛନ୍ତି। ଇଂଲଣ୍ଡ ଗସ୍ତରେ ଭାରତ ଟେଷ୍ଟ୍‍ ଶୃଙ୍ଖଳା ପୂର୍ବରୁ କେବଳ ଏସେକ୍ସ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ ମଧ୍ୟ ୪ ଦିନ ବଦଳରେ ୩ ଦିନକୁ କମାଇ ଦିଆଯାଇଥିଲା। ପିଚ୍‌ ଏବଂ ପଡ଼ିଆର ସ୍ଥିତିକୁ ନେଇ ଭାରତ ଅଭିଯୋଗ କରିବାରୁ ଏଭଳି କରାଯାଇଥିଲା। କୌଣସି ଗସ୍ତରେ ଦୂର୍ବଳ ଦଳ ସହ ଦୁଇ ତିନିଟି ଅଭ୍ୟାସ ମ୍ୟାଚ୍‌ ଖେଳିଲେ କିଛି ଲାଭ ହେବ ବୋଲି ମୁଁ ଭାବୁନି। କିନ୍ତୁ ଯଦି ଏଭଳି ବ୍ୟସ୍ତ ସୂଚୀ ରହିଛି ତେବେ ପୂର୍ବରୁ ଏଥିପାଇଁ ସୂଚୀ ପ୍ରସ୍ତୁତ ହେବା ଦରକାର। ଏବେ ଆମେ ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଆୟୋଜନ କରିବାକୁ ଅନୁରୋଧ କରିଛୁ ବୋଲି ଶାସ୍ତ୍ରୀ କହିଛନ୍ତି। ଭାରତ ନଭେମ୍ବର ୨୧ରୁ ୩ ଟେ୍ଵଣ୍ଟି-୨୦ ଖେଳି ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ। ଟେ୍ଵଣ୍ଟି-୨୦ ଶୃଙ୍ଖଳା ଶେଷ ହେବାର ୧୦ ଦିନ ପରେ ଟେଷ୍ଟ୍‍ ଶୃଙ୍ଖଳା ଆରମ୍ଭ ହେବ। ଏହି ବିରତି ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଆୟୋଜନ କରିବାକୁ ଆମେ କହିଛୁ ବୋଲି ଶାସ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର