‘ଭିଭୋ’ ବିଦାୟ ନେବାରୁ ଆଇପିଏଲ୍‌ ୨୦୨୦ ଟାଇଟଲ୍‌ ସ୍ପନସରସିପ୍ ଦୌଡ଼ରେ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ

ନୂଆଦିଲ୍ଲୀ: ଆଗାମୀ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ର (ଆଇପିଏଲ୍‌) ଟାଇଟଲ୍‌ ସ୍ପନ୍‌ସର୍‌ସିପ୍ ହାସଲ ଲାଗି ବାବା ରାମଦେବଙ୍କ ପତଞ୍ଚଳି ଆୟୁର୍ବେଦ ଦୌଡ଼ରେ ରହିଛି ବୋଲି କମ୍ପାନିର ଜଣେ ଅଧିକାରୀ କହିଛନ୍ତି।

ଚୀନ୍ ମୋବାଇଲ୍‌ ନିର୍ମାତା ‘ଭିଭୋ’ ଓହରି ଯିବାକୁ ନିଷ୍ପତ୍ତି ଗ୍ରହଣ କରିବା ପରେ ‘ଆଇପିଏଲ୍‌’ ଟାଇଟଲ୍‌ ସ୍ପନ୍‌ସର୍‌ସିପ୍ ସ୍ଲଟ୍‌ଟି ଫାଙ୍କା ପଡ଼ିଛି। ସମ୍ପ୍ରତି ଆୟୁର୍ବେଦଭିତ୍ତିକ ‘ଏଫ୍‌ଏମସିଜି’ ଉତ୍ପାଦଗୁଡ଼ିର ରପ୍ତାନି ଉପରେ ଧ୍ୟାନ ଦେଉଥିବାରୁ ଏହି ପଦକ୍ଷେପ ଦ୍ବାରା ହରିଦ୍ବାରସ୍ଥିତ ପତଞ୍ଜଳି ବିଶ୍ବ ବଜାରରେ ଅଧିକ ପରିଚିତ ହୋଇପାରିବ।

ଏ ସଂକ୍ରାନ୍ତ ଅଗ୍ରଗତି ପ୍ରସଙ୍ଗରେ ସୁନିଶ୍ଚିତ କରି ପତଞ୍ଜଳିର ମୁଖପାତ୍ର ଏସ୍‌ କେ ତିଜରୱାଲା ଗଣମାଧ୍ୟମକୁ କହିଛନ୍ତି, ଆମେ ଏ କଥା ବିଚାର କରୁଛୁ। ‘ଲୋକାଲ୍ ଫର୍ ଭୋକାଲ୍‌’ ଏବଂ ଏକ ଭାରତୀୟ ବ୍ରାଣ୍ଡ୍‌କୁ ବିଶ୍ବସ୍ତରୀୟ କରିବାକୁ ଉପଯୁକ୍ତ ମଞ୍ଚ ହେଉଛି ଆଇପିଏଲ୍। ଆମେ ସେ ଦୃଷ୍ଟିକୋଣରୁ ଏ କଥା ବିଚାର କରୁଛୁ। କିନ୍ତୁ, କମ୍ପାନି ଏ ସଂକ୍ରାନ୍ତରେ ଏଯାବତ୍ ଚୂଡ଼ାନ୍ତ ନିର୍ଣ୍ଣୟ ଗ୍ରହଣ କରିନାହିଁ।

Image Courtesy of Cricket Addicter

ସେ କହିଛନ୍ତି ଯେ, ସୋମବାର ଦିନ ବୋର୍ଡ ଅଫ୍ କଣ୍ଟ୍ରୋଲ୍‌ ଫର୍ କ୍ରିକେଟ୍‌ ଇନ୍ ଇଣ୍ଡିଆ ଟେଣ୍ଡର୍‌ ବିଜ୍ଞପ୍ତି ପ୍ରକାଶ କରିବ। ପତଞ୍ଜଳି ଅଗଷ୍ଟ ୧୪ ସୁଦ୍ଧା ପ୍ରସ୍ତାବ ଦାଖଲ କରିବ।

‘ଆଇପିଏଲ୍‌’ର ବାଣିଜ୍ୟିକ ରାଜସ୍ବର ଉଲ୍ଲେଖନୀୟ ଅଂଶ ହେଉଛି ଟାଇଟଲ୍‌ ସ୍ପନ୍‌ସର୍‌ସିପ୍। ଏହାର ଅର୍ଦ୍ଧେକ ଫ୍ରଞ୍ଚାଇଜିମାନେ ସମାନ ଭାବରେ ବାଣ୍ଟିନିଅନ୍ତି। ବାର୍ଷିକ ହାରାହାରି ୪୪୦ କୋଟି ଟଙ୍କା ହିସାବରେ ସମୁଦାୟ ୨, ୧୯୦ କୋଟି ଟଙ୍କା ବିନିମୟରେ ‘ଭିଭୋ’ ୨୦୧୮ରୁ ୨୦୨୨ ଅର୍ଥାତ୍ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆଇପିଏଲ୍‌ ଟାଇଟଲ୍‌ ସ୍ପନ୍‌ସର୍ସିପ୍‌ ଅଧିକାର ପାଇଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ପତଞ୍ଜଳିର ବାର୍ଷିକ ବ୍ୟବସାୟ ହେଉଛି ୧୦, ୫୦୦ କୋଟି ଟଙ୍କା। କିନ୍ତୁ, ୨୦୧୮-୧୯ ଆର୍ଥିକ ବର୍ଷରେ ପତଞ୍ଜଳି ଆୟୁର୍ବେଦର ରାଜସ୍ବ ଥିଲା ୮, ୩୨୯ କୋଟି ଟଙ୍କା।

ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ, ‘୨୦୨୦ ଆଇପିଏଲ୍‌’ ୟୁନାଇଟେଡ୍ ଆରବ ଏମିରେଟ୍‌ସ୍‌ରେ ସେପ୍ଟେମ୍ବର ୧୯ ତାରିଖରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର