ବବୁଲୁଙ୍କ ଯାତ୍ରା, ଅନାଥରୁ ବିଶ୍ବ ବିଜୟ

ଭୁବନେଶ୍ବର: ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ଅନାଥ ପିଲାଟିଏ, ବୟସ ମାତ୍ର ୧୫, ଚପଳ ବୟସର ନିରୀହ ମୁହଁଟି ଦେଖିଲେ ସ୍ବତଃ ଦୟା ଓ ଅନୁକମ୍ପା ଆସିଯିବ। କିନ୍ତୁ ଏହି ବୟସରେ ସେ ପିଲାଟି ଯେ ନିଜ ମୁଥ ମାଡ଼ରେ ବିଶ୍ବସ୍ତରୀୟ ଖେଳାଳିଙ୍କୁ ଧରାଶାୟୀ କରୁଛି ଏବଂ ଭଲରେ କଥା କହିବା ପୂର୍ବରୁ ଏତେ ଗୁଡିଏ ଜାତୀୟ ଏବଂ ଅନ୍ତର୍ଜାତୀୟ ଗୌରବ ଆଣି ପାରିଛି ବିଶ୍ବାସ କରିହେବନି। କିକ୍ ବକ୍ସିଂ ଏବଂ ଉଷୁ ଭଳି ସାମରିକ କଳା କ୍ରୀଡ଼ାରେ ଉତ୍କର୍ଷ ଅର୍ଜନ କରିଥିବା ଏହି ଉଦୀୟମାନ କ୍ରୀଡ଼ା ପ୍ରତିଭା ଜଣଙ୍କ ହେଲେ ବବୁଲୁ ମୁଣ୍ଡା। ନିଜ ଖେଳ ଜୀବନର ପ୍ରଥମ ଦୁଇ ଅନ୍ତର୍ଜାତୀୟ ପଦାର୍ପଣରେ ପଦକ ଜିତିବାର ଗୌରବ ଅର୍ଜନ କରିନେଇଛନ୍ତି ବବୁଲୁ। ଗତବର୍ଷ ବ୍ରାଜିଲର ବ୍ରାସିଲିଆରେ ଅନୁଷ୍ଠିତ କନିଷ୍ଠ ବିଶ୍ବ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ବବୁଲୁ ଗତ ସପ୍ତାହରେ ବ୍ରୁନେଇର ଦରୁସଲାମରେ ଅନୁଷ୍ଠିତ ଦଶମ ଏସୀୟ କନିଷ୍ଠ ଉଷୁ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ହାସଲ କରି ସଫଳତାକୁ ଦୋହରାଇଛନ୍ତି। ବବୁଲୁଙ୍କ ଏହି ସଫଳତା ଦୁର୍ଦିନରେ ଥିବା ରାଜ୍ୟ ଉଷୁ ପାଇଁ ନୂଆ ଉତ୍ସାହ ଭରି ଦେଇଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ସିଆଳିଯୋଡ଼ାରେ ବବୁଲୁ ମୁଣ୍ତାଙ୍କ ଜନ୍ମ। କିନ୍ତୁ ହେତୁ ଆସିବା ପୂର୍ବରୁ ପିତାଙ୍କୁ ହରାଇ ସାରିଥିଲେ ସେ। ମା’ ବି ଅନ୍ୟତ୍ର ବିବାହ କରିଯାଇଥିଲେ। ତିନି ଜଣ ବଡ଼ ଭାଇ ଥିଲେ ବି କେହି କାହାରିକୁ ପଚାରିବା ସ୍ଥିତିରେ ନାହାନ୍ତି। ସାମାଜିକ ଜୀବନ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଏହି ପରିବାରର କୁନି ପିଲାଟି ପାଠ ପଢ଼ିବା ତ ଦୂରର କଥା ଜୀବନ ଜୀଇଁବା କଷ୍ଟକର ଥିଲା। ଜେଜେ ମା’ କୋଳରେ ବାଲ୍ୟ ଜୀବନ ବିତାଇଥିବା ବବୁଲୁଙ୍କ ପ୍ରତିଭା କିନ୍ତୁ ପ୍ରଶିକ୍ଷକ ପଙ୍କଜ ମହାନ୍ତଙ୍କ ନଜରକୁ ଖସିଯାଇନଥିଲା। ଅନାଥ ପିଲାଙ୍କ ଆଶ୍ରୟସ୍ଥଳୀ ଭାବେ ପରିଚିତ ବଡ଼ବିଲର ନୋଡାଲ୍ ସ୍କୁଲରେ (ସରକାରୀ ଉପ୍ରା ବିଦ୍ୟାଳୟ) ଭର୍ତ୍ତି କରିବା କାମ ତୁଲାଇଥିଲେ ପଙ୍କଜ। ଏହାର ପରିସରରେ ଜେଏସ୍‌ପିଏଲ୍ ପ୍ରାୟୋଜନରେ ଚାଲିଥିବା ମାଗଣା ପ୍ରଶିକ୍ଷଣ ଶିବିରକୁ ଚଳାନ୍ତି ପଙ୍କଜ। ମାତ୍ର କେଇଟା ବର୍ଷରେ ହିଁ ବବୁଲୁଙ୍କ ପ୍ରତିଭା ପ୍ରଷ୍ଫୁଟିତ ହୋଇଯାଇଛି। କିକ୍ ବକ୍ସିଂରେ ୫ଟି ଜାତୀୟ କନିଷ୍ଠ ପ୍ରତିଯୋଗିତା ଖେଳି ସାରିଥିବା ବବୁଲୁଙ୍କ ଜୀବନରେ ବଡ଼ ଧରଣର ପରିବର୍ତନ ଆଣିଛନ୍ତି ଉଷୁ। ଗତବର୍ଷ ଜମ୍ମୁଠାରେ ଅନୁଷ୍ଠିତ ଜାତୀୟ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିବା ପରେ ଚୟନକର୍ତାଙ୍କ ନଜରରେ ପଡ଼ିଥିଲେ। ଜାତୀୟ ଶିବିର ଦେଇ ବ୍ରାଜିଲ ବିଶ୍ବ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବା ପରେ ସେଠାରେ ରୌପ୍ୟ ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ି ନେଇଥିଲେ। ଏବେ ଏସୀୟ ସଫଳତା ତାଙ୍କୁ ଅଧିକ ଚର୍ଚାକୁ ଆଣିଛି।

‘ଏଇଥି ପାଇଁ ମୋ ଜନ୍ମ’
‘ମୁଁ ଭାବୁଛି ମୋ ଜନ୍ମ ଏଇଥି ପାଇଁ ହୋଇଥିଲା। ପିଲାଦିନରୁ ହିଁ ମୋତେ ଗୋଇଠା ଓ ମୁଥ ମାରିବାକୁ ଭଲ ଲାଗୁଥିଲା। ସିନେମା ଦେଖିବା ପରେ ପ୍ରଭାବିତ ହୋଇଥିଲି। ଉଷୁ ଓ କିକ୍ ବକ୍ସିଂର ମୌଳିକତା ଶିଖିବା ପରେ ଏହା ଖାପ୍ ଖାଇଯାଇଥିଲା। ମୋତେ ପ୍ରଶିକ୍ଷକ ପଙ୍କଜ ସାର୍‌ ଆଜି ଏତେ କମ୍ ବୟସରେ ଏତେ ବାଟ ଆଣିପାରିଥିବାରୁ ନିଜକୁ ଧନ୍ୟ ମଣୁଛି। ତାଙ୍କଠାରୁ ବହୁ କଥା ଶିଖିଛି। ‌ରାଜ୍ୟ ଓ ଦେଶ ପାଇଁ ବହୁ ନାମ କରିବି ବୋଲି ଭାବୁଛି। ସାଙ୍ଗମାନେ ବି କହିଲେଣି ମୋ ଭଳି ହେବାକୁ। ଏହା ମୋତେ ଖୁସି ଦେଉଛି। ଭବିଷ୍ୟତରେ ନିଶ୍ଚିତ ଅଲିମ୍ପିକ୍ସରେ ଖେଳିବା ଏବଂ ଅଧିକରୁ ଅଧିକ ସଫଳତା ପାଇବା ମୋ ଅସଲ ଲକ୍ଷ୍ୟ ହେବ’ ବୋଲି ସୋମବାର ସକାଳେ ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାର ବେଳେ କହିଥିଲେ ବବୁଲୁ।

ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ
ସମ୍ପ୍ରତି ବଡ଼ବିଲ ମ୍ୟୁନିସିପାଲ୍ ହାଇସ୍କୁଲ୍‌ରେ ନବମ ଶ୍ରେଣୀରେ ପଢ଼ୁଛନ୍ତି ବବୁଲୁ। କିନ୍ତୁ ପଙ୍କଜଙ୍କ ପ୍ରଶିକ୍ଷଣ କେନ୍ଦ୍ର ଅର୍ବାନ୍ ଡେପ୍ରାଇଭ୍‌ଡ ହଷ୍ଟେଲ୍‌ ପରିସରରେ ଚାଲୁଥିବା ଶିବିର ହିଁ ତାଙ୍କ ଗୁରୁକୁଳ। ‘ବବୁଲୁର ନିଷ୍ଠା, ଶୃଙ୍ଖଳା, ସମୟାନୁବର୍ତ୍ତୀ ହିଁ ତାଙ୍କୁ ସଫଳତାର ପାହାଚ ଚଢ଼ାଇଛି। କେବେ ବି ମିଛ କହେ ନାହିଁ, ଅଭ୍ୟାସ ଶିବିରକୁ ଅନ୍ୟ ପିଲା ଆସିବା ପୂର୍ବରୁ ସେ ଆସି ୨୦/୨୫ ରାଉଣ୍ଡ୍‌ ଦୌଡ଼ିସାରିଥାଏ। ମୁଁ ଯାହା କହେ ବିନା ଦ୍ବିଧାରେ ସବୁ ମାନିନିଏ, ପ୍ରଶିକ୍ଷକଙ୍କୁ ସମ୍ମାନ ବି ଦିଏ। ପାଠ ବି ଭଲ ପଢ଼ିଥାଏ। ଏତେ ସବୁ ଭଲ ଗୁଣ ତାକୁ ସଫଳତା ‌ଦେଇଛି ବୋଲି ସୋମବାର ‘ସମ୍ବାଦ’କୁ କହିଥିଲେ ପ୍ରଶିକ୍ଷକ ପଙ୍କଜ ମହାନ୍ତ। ବିଦ୍ୟାଳୟରେ ଥିବା ୧୦୦ ପିଲା ମଧ୍ୟରୁ ୩୦ ଭାଗ ଅନାଥ। ପ୍ରତିବର୍ଷ ଅନ୍ୟୁନ ୫ ଜଣ ପିଲା ଖେଳରେ ଜାତୀୟସ୍ତରରେ ସଫଳତା ପାଇ ଆସୁଛନ୍ତି। ବବୁଲୁଙ୍କ ଭଳି ରାଜେଶ ମୁଣ୍ଡା ଏବଂ ଗୁରୁଚରଣ ମୁଣ୍ଡା ମଧ୍ୟ ଜାତୀୟସ୍ତରରେ ପଦକ ଜିତି ସାରିଛନ୍ତି। ଜେଏସପିଏଲ୍‌ର ସମର୍ଥନ ମଧ୍ୟ ଏଠାରେ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ବଢ଼ିବାରେ ବଡ଼ ଯୋଗଦାନ ରଖୁଛି। ଖୁବ୍ ଶୀଘ୍ର ଜିଲ୍ଲାପାଳଙ୍କ ପକ୍ଷରୁ ବଡ଼ବିଲରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଉଷୁ ହଲ୍ ନିର୍ମାଣ ହେବାକୁ ଯାଉଛି। ରାଜ୍ୟ ପୁଲିସ୍ ଉଷୁ ଦଳ ମଧ୍ୟ ଏଠାରେ ୩ ବର୍ଷ ହେବ ମୋ ଅଧୀନରେ ପ୍ରଶିକ୍ଷଣ ନେଉଛି‌ ବୋଲି ସୂଚନା‌ ଦେଇଥିଲେ ପଙ୍କଜ।

ବିଭୂତିଙ୍କ ନାମରେ ସ୍ବର୍ଣ୍ଣିମ ଅଧ୍ୟାୟ
ରାଜ୍ୟ ଉଷୁ ଆଜି ବବୁଲୁଙ୍କ ଦୁଇ ଦୁଇଟି ଅନ୍ତର୍ଜାତୀୟ ସଫଳତାକୁ ନେଇ ଗର୍ବିତ ଓ ଗୌରବାନ୍ବିତ। ସଂଘର୍ଷରତ ରାଜ୍ୟ ଉଷୁ ଏବେ ଉତ୍‌ଥାନ ପଥକୁ ଆସିଥିବା ମଧ୍ୟ ଦାବି କରାଯାଉଛି। କିନ୍ତୁ ଯେଉଁମାନେ ରାଜ୍ୟ ଉଷୁର ଆଦ୍ୟାବସ୍ଥାରେ ସଫଳ ଥିଲେ ସେମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଖେଳାଳି ବିଭୂତି ଭୂଷଣ ବେହେରା ଅନ୍ୟତମ। କିକ୍ ବକ୍ସିଂ ସହିତ ଉଷୁରେ ବି ଉତ୍କର୍ଷ ଥିଲେ ବିଭୂତି। ସାନସୁ ଷ୍ଟାଇଲ୍‌ ଏବେ ସାଣ୍ଡା ନାମରେ ନାମିତ ହୋଇଛି। ଏହି ଫାଇଟ୍ ଭିତ୍ତିକ ମୁକାବିଲାରେ ଏକମାତ୍ର ଜାତୀୟ ସ୍ବର୍ଣ୍ଣିମ ସଫଳତା ଦୀର୍ଘ ‌ଦୁଇ ଦଶନ୍ଧି ଧରି ବିଭୂତିଙ୍କ ନାମରେ ରହିଛି। ୨୦୦୧ ମସିହାର ଜାତୀୟ ବରିଷ୍ଠ ଉଷୁ ପ୍ରତିଯୋଗିତାରେ ବିଭୂତି ଏହି ସଫଳତା ପାଇଥିଲେ। ଏହା ପୂର୍ବରୁ ୧୯୯୬ ମସିହାରେ ହାଇଦ୍ରାଦାଦ ଜାତୀୟ ପ୍ରତିଯୋଗିତାରେ ବି ସେ ରୌପ୍ୟ ପଦକ ଜିତିଥିଲେ। ବିଭୂତି ସ୍ବୀକାର କରନ୍ତି ଉଷୁ ପୂର୍ବରୁ ଭଲ ସ୍ଥିତିରେ ଥିଲା। ଅତୀତରେ‌ ସେତେଟା ସୁବିଧା ସ‌ୁଯୋଗ ନଥିଲେ ମଧ୍ୟ ଶୁଭଶ୍ରୀ ପଟ୍ଟନାୟକ, ସୁଶ୍ରୀ ପଟ୍ଟନାୟକ, ଆଶିଷ ଚକ୍ରବର୍ତ୍ତୀ, ମାନସ ଚୌଧୁରୀ, ପୁଷ୍ପା ମିଶ୍ର ଏବଂ ମହାଶ୍ବେତା ଷଡ଼ଙ୍ଗୀଙ୍କ ଭଳି ଖେଳାଳି ଓଡ଼ିଶାର ସୁନାମକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇ ପାରିଥିଲେ। ବବୁଲୁଙ୍କ ସଫଳତା ନିଶ୍ଚିତ ପୁରୁଣା ଦିନକୁ ଫେରାଇ ଆଣିବ ଏବଂ ଅନ୍ୟମାନଙ୍କୁ ଏହି‌ ଖେଳ ପ୍ରତି ଆକର୍ଷିତ କରିବ ବୋଲି ବିଭୂତି ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର