ଶେଷରେ ସାଥ୍ ଦେଲା ଟସ୍

ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ହାରିଥିଲେ। ବାରବାଟୀରେ କିନ୍ତୁ ସ୍ଥିତି ବଦଳି ଥିଲା। ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ କୋହଲି ମହତ୍ବପୂର୍ଣ୍ଣ ଟସ୍ ଜିତି ନେଇଥିଲେ। ପ୍ରଥମ ଦୁଇ ଟସ୍‌ରେ ବିଜୟୀ ହୋଇଥିବା ଇଣ୍ଡିଜ୍ ଅଧିନାୟକ ପ୍ରତିପକ୍ଷ ଭାରତକୁ ଦୁଇଟି ଯାକ ମୁକାବିଲାରେ ବ୍ୟାଟିଂ ପାଇଁ ଡାକିଥିଲେ। କୋହଲି ମଧ୍ୟ ଠିକ୍ ତାହା କରିଥିଲେ। ଟସ୍ ଜିତିବା କ୍ଷଣି ଦ୍ବିତୀୟ ପାଳିରେ କାକର ପଡ଼ିବାର ଆଶଙ୍କା ପାଇଁ ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ୍ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇଥିଲା ବେଳେ ଭାରତ ନଭଦୀପ ସଇନିଙ୍କ ରୂପରେ ଗୋଟିଏ ଅଦଳ ବଦଳ କରିଥିଲା।

କୁଲଦୀପଙ୍କ ଶତକ ‌ନୋହିଲା
ବିଶାଖାପାଟଣା ମ୍ୟାଚ୍‌ରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ପ୍ରଥମ ଭାରତୀୟ ବୋଲର ଭାବେ ଦିନିକିଆ କ୍ରିକେଟରେ ଦ୍ବିତୀୟ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ହେଲେ ବାରବାଟୀରେ ତାଙ୍କର ସେହି ଯାଦୁ ଯେମିତି ଫିକା ପଡ଼ି ଯାଇଥିଲା। କୁଲଦୀପ ୧୦ ଓଭର ବୋଲିଂ କରି ୬୭ ରନ୍ ବ୍ୟୟ କରିଥିଲେ। ହେଲେ ଗୋଟିଏ ବି ୱିକେଟ୍ ପାଇ ନଥିଲେ। ଫଳରେ କଟକରେ ଶତକୀୟ ୱିକେଟ୍ ହାସଲରୁ ବଞ୍ଚିତ ହୋଇଥିଲେ। ବିଶାଖାପାଟଣା ଦିନିକିଆରେ ତାଙ୍କ ୱିକେଟ୍ ୯୯ ୱିକେଟରେ ପହଞ୍ଚିଥିଲା। କଟକରେ ଏହା ସେହି ୯୯ରେ ଅପରିବର୍ତିତ ରହିଥିଲା।

ଡିଆର୍‌ଏସ୍‌ରେ ଭାରତ ବିଫଳ
ଭାରତର ବୋଲିଂ ବେଳେ ୩୩.୨ ଓଭରରେ ଦଳକୁ ପ୍ରଥମ ରିଭ୍ୟୁ (ଡିଆର୍‌ଏସ୍‌) ମିଳିଥିଲା। ହେଲେ ଏଥିରେ କୋହଲିଙ୍କ ନିଷ୍ପତ୍ତି ‌ଭୁଲ୍‌ ରହିଥିଲା। ସଇନିଙ୍କ ୟର୍କର ବଲ୍‌ ପୋଲାର୍ଡଙ୍କ ପାଦ ଆଗରେ ବାଜି ଥାର୍ଡ ମ୍ୟାନ୍‌ ଅଞ୍ଚଳକୁ ଚାଲିଯାଇଥିଲା। ହେଲେ ଏହାକୁ ସଇନି ଆଉଟ ଆବେଦନ କରିଥି‌ଲା ବେଳେ ଅମ୍ପାୟାର ସନ୍‌ ଜର୍ଜ ଏହାକୁ ନାକଚ କରିଥିଲେ ଓ ଲେଗ ବାଏ ସଙ୍କେତ ଦେଇଥିଲେ। କିନ୍ତୁ ଦଳୀୟ ଖେଳାଳିଙ୍କ ସହ ଆଲୋଚନା କରିବା ପରେ କୋହଲି ଏହାକୁ ରିଭ୍ୟୁ ପାଇଁ ଆବେଦନ କରିଥିଲେ। ବଲ୍‌ ଅଫ୍‌ ଷ୍ଟମ୍ପ୍‌ ବାହାରେ ପଡୁଥିବାରୁ ତୃତୀୟ ଅମ୍ପାୟାର ରଡ ଟକର ଏହାକୁ ନଟଆଉଟ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର