ଭାରତରୁ ବାସ୍କେଟ୍‌ବଲ୍ ସୁପର୍‌ଷ୍ଟାର୍‌: ବେଶି ଦୂର ନୁହେଁ

ଏନ୍‌ବିଏ ଆଧା‌ରରେ ଆରମ୍ଭ ହେବ ପେସାଦାର ଲିଗ୍, ଭାରତ ସହ ଚୀନ୍‌ ଉପରେ ସ୍ବତନ୍ତ୍ର ନଜର

ନୂଆଦିଲ୍ଲୀ: ଆମେରିକାରେ ବାସ୍କେଟବଲ୍ ବେଶ୍ ଲୋକପ୍ରିୟ। ସକ୍କର (ଆମେରିକୀୟ ଫୁଟବଲ୍) ପରେ ଏହା ସେଠାକାର ଖେଳପ୍ରେମୀଙ୍କ ଦ୍ବିତୀୟ ପସନ୍ଦର ଖେଳ। ଆମେରିକୀୟ ବାସ୍କେଟବଲ୍ ଲିଗ୍ ବା ଏନ୍‌ବିଏର ନିଜ ଦେଶ ସହ ସମଗ୍ର ବିଶ୍ବରେ କୋଟି କୋଟି ପ୍ରଶଂସକ ଅଛନ୍ତି। ଭାରତରେ ମଧ୍ୟ ଏକ ଖେଳ ଭାବେ ବାସ୍କେଟବଲ୍ ଉତ୍ଥାନ ପଥରେ ରହିଛି। ବିଶେଷ କରି ୨୦୦୮ ମସିହାରେ ଏନ୍‌ବିଏ ଭାରତକୁ ଆସିବା ପରେ ଏହାର ଲୋକପ୍ରିୟତା ଧୀରେଧୀରେ ବଢ଼ିବାରେ ଲାଗିଛି। ଏନ୍‌ବିଏ ଭାରତରେ ଏକାଡେମି ଖୋଲିବା ପରେ ବାସ୍କେଟବଲ୍‌କୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ନୂଆ‌ ଉତ୍ସାହ ମଧ୍ୟ ଜନ୍ମ ନେଇଛି। ବଡ଼ ବଜାର ହୋଇଥିବାରୁ ଚୀନ ସହ ଭାରତ ଉପରେ ଏନ୍‌ବିଏର ସ୍ବତନ୍ତ୍ର ଦୃଷ୍ଟି ରହିଛି। କାରଣ ଏହି ଦୁଇ ଦେଶରେ ହିଁ ବିଶ୍ବ ଜନସଂଖ୍ୟାର ୨୦ ପ୍ରତିଶତରୁ ଅଧିକ ଲୋକ ବସବାସ କରନ୍ତି। ନିରନ୍ତର ପ୍ରଚେଷ୍ଟା ଜାରି ରଖିଲେ ଉଭୟ ଭାରତ ଓ ଚୀନ୍‌ରେ ବାସ୍କେଟବଲ୍ ପ୍ରଥମ ତିନିଟି ପସନ୍ଦର ଖେଳ ଭିତରେ ସ୍ଥାନ ପାଇପାରିବ ବୋଲି ଏନ୍‌ବିଏ ଅଧିକାରୀମାନେ ଆକଳନ କରିଛନ୍ତି। ଏହି ଦୁଇ ବୃହତ୍ କ୍ରୀଡ଼ା ବଜାର ପାଇଁ ସ୍ବତନ୍ତ୍ର ଓ ସୁଚିନ୍ତିତ ଯୋଜନା କରି ଏହାର ରୂପାୟନ ଉପରେ ଏବେ ସେମାନେ ଧ୍ୟାନ ଦେଉଛନ୍ତି।

ମାତ୍ର କିଛି ଦିନ ତଳେ ‌ଗ୍ରେଟର ନଏଡାରେ ଥିବା ଏନ୍‌ବିଏ ଏକାଡେମି ବେଶ୍ ଚଳଚଞ୍ଚଳ ଥିଲା। ହେଲେ ଲକଡାଉନ୍ ପାଇଁ ଏହାକୁ ଏବେ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସମସ୍ତ ଅନ୍ତେଃବାସୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା ବେଳେ ଏଠାରେ ପ୍ରଶିକ୍ଷଣ ଦେଉଥିବା ଆମେରିକୀୟ ପ୍ରଶିକ୍ଷକ ଓ ଅଧିକାରୀ ମଧ୍ୟ ସ୍ବଦେଶ ଫେରିସାରିଛନ୍ତି। ହେଲେ ଏଠାରେ ଲାଗିଥିବା ବଡ଼ ପରଦାରେ ବସ୍କେଟବଲ୍ କିଂବଦନ୍ତି ମାଇକେଲ୍ ଜୋର୍ଡାନଙ୍କ ଖେଳ ନିୟମିତ ପ୍ରଦର୍ଶିତ ହେଉଛି। ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସ ଜରିଆରେ ଜୋର୍ଡାନଙ୍କ ବିଭିନ୍ନ ମ୍ୟାଚ୍‌ର ପ୍ରସାରଣ ମଧ୍ୟ କରାଯାଉଛି, ଯାହା ଯୁବ ଭାରତୀୟ ବାସ୍କେଟବଲ୍ ତାରକାଙ୍କ ପାଇଁ ଅନଲାଇନ୍ ଶ୍ରେଣୀଗୃହ ଭଳି କାର୍ଯ୍ୟ କରୁଛି। ତା’ ସହ ଭାରତରେ ମଧ୍ୟ ବାସ୍କେଟବଲ୍ ତା’ ପାଦ ସୁଦୃଢ଼ କରିବାରେ ଲାଗିଛି।

ଅନ୍‌ଲାଇନ୍‌ରେ ବି ବଢ଼ୁଛି ବାସ୍କେଟ୍‌ବଲ୍ ପ୍ରତି ଭଲପାଇବା
୧୧,୦୦୦ ବିଦ୍ୟାଳୟର ୧୧ ନିୟୁତ ପିଲା ନେଇସାରିଲେଣି ପ୍ରଶିକ୍ଷଣ
ଭାରତରେ ଏନ୍‌ବିଏ ଦର୍ଶକ ସଂଖ୍ୟା ୯୧ ନିୟୁତକୁ ବଢ଼ିଛି

ଓକଲାହାମା ସିଟି ଥଣ୍ଡର୍ସ ଏନ୍‌ବିଏ ଦଳର ଭାରତୀୟ ବଂଶୋଦ୍ଭବ ସହକାରୀ ପ୍ରଶିକ୍ଷକ ଭିଭ୍ ଭବନାନୀ କହିଛନ୍ତି ଏସିଆ ମହାଦେଶରେ ବାସ୍କେଟବଲ୍ ପାୱାରହାଉସ୍ ହେବା ଲାଗି ଭାରତରେ ପର୍ଯ୍ୟାପ୍ତ ପ୍ରତିଭା ରହିଛି। କିଛି ଭାରତୀୟ ଖେଳାଳିଙ୍କ ପାଖରେ ବୈଷୟିକ କୌଶଳ ଭରି ରହିଛି। ସେମାନଙ୍କ ପାଖରେ ଗତି ଓ ଶାରିରୀକ ଦକ୍ଷତା ରହିଛି ବୋଲି ସେ ମତ ରଖିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଭାରତ ଏପର୍ଯ୍ୟନ୍ତ କାହିଁକି ଅନ୍ତର୍ଜାତୀୟ ବାସ୍କେଟବଲ୍‌ରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିନାହିଁ। ଏହାର କାରଣ ଭିତ୍ତିଭୂମି ନୁ‌ହେଁ ବରଂ ବାସ୍କେଟବଲ୍ ଖେଳିବା ପ୍ରତି ଥିବା ଅନାଗ୍ରହ ବୋଲି କୁହନ୍ତି ଭିଭ୍। ଉତ୍ତର ପ୍ରଦେଶର ବାରାଣାସୀ ନିକଟସ୍ଥ ଚାନ୍ଦୌଲିରୁ ଆସିଥିବା ୬ ଫୁଟ ଉଚ୍ଚତା ବିଶିଷ୍ଟ ୧୪ ବର୍ଷୀୟ ଖେଳାଳି କୁଶାଲ ସିଂହ, କେରଳର ପ୍ରଣବ ପ୍ରିନ୍ସ, ସଞନା ରମେଶ, ପ୍ରିନ୍ସ ପାଲ ସିଂହ, ଅମନ ସାନ୍ଧୁଙ୍କ ଭଳି ଖେଳାଳି ଭାରତୀୟ ବାସ୍କେଟବଲ୍‌ର ଭବିଷ୍ୟତ। ଆମେରିକାର ଗ୍ଲୋବାଲ ଏକାଡେମିରେ ଏମାନେ ସମସ୍ତେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ଲୋକିନ୍ଦ୍ର ପାଲ ସିଂହ ନାମକ ଆଉ ଜଣେ ଖେଳାଳି ପେସାଦାର ବାସ୍କେଟବଲ୍‌ରେ ବହୁତ ବଢ଼ିଆ କରୁଛନ୍ତି ବୋଲି ଭିଭ୍ କହିଛନ୍ତି।

ବାସ୍କେଟବଲ୍‌ର ଆଞ୍ଚଳିକ ପ୍ରସାରଣ ଉପରେ ସଂପ୍ରତି ଜୋର ଦିଆଯାଉଥିବାରୁ ଏହି ଖେଳର ଟେଲିଭିଜନ ଦର୍ଶକ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ବୋଲି ‘ଏନ୍‌ବିଏ ଭାରତ’ର ମୁଖ୍ୟ ରାଜେଶ ସେଠୀ ମତ ରଖିଛନ୍ତି। ଗତବର୍ଷ ୩୫୦ ବାସ୍କେଟବଲ୍ ମ୍ୟାଚ୍‌ର ସିଧା ପ୍ରସାରଣ କରାଯାଇଥିଲା। ସେଥିମଧ୍ୟରୁ ୭୮ ମ୍ୟାଚ୍‌ର ଧାରା ବିବରଣୀ ହିନ୍ଦି ଭାଷାରେ କରାଯାଇଥିଲା। ଯାହାକୁ ପ୍ରାୟ ଦେଢ଼ କୋଟି ଲୋକ ଦେଖିଥିଲେ। ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଏନ୍‌ବିଏ ଫାଣ୍ଟାସି ଗେମ୍‌ର ପାଖାପାଖି ୧୦ ଲକ୍ଷ ବ୍ୟବହାରକାରୀ ଅଛନ୍ତି। ଏନ୍‌ବିଏ ୨୦୦୮ରେ ଭାରତରେ ପଦାର୍ପଣ କରିଥିଲା ବେଳେ ମାତ୍ର ୧୨ ବର୍ଷ ଭିତରେ ଏତେ ଦର୍ଶକ ମିଳିବା ନିଶ୍ଚିତ ଭାବେ ଉତ୍ସାହଜନକ ଖବର ବୋଲି ସେଠୀ ମତ ରଖିଛନ୍ତି। ସର୍ବଭାରତୀୟ ବାସ୍କେଟବଲ୍ ମହାସଂଘ ଓ ରିଲାଏନ୍ସ-ଆଇଏମଜି କଂପାନି ମଧ୍ୟ ବାସ୍କେଟବଲ୍‌ର ଲୋକପ୍ରିୟତା ବଢ଼ାଇବାରେ ବଳିଷ୍ଠ ଭୂମିକା ତୁଲାଉଛନ୍ତି। ମହାସଂଘର ଆଭ୍ୟନ୍ତରିଣ କନ୍ଦଳ ପାଇଁ ଏହି କ୍ଷେତ୍ରରେ କିଛିଟା ସମସ୍ୟା ସୃଷ୍ଟି ହେଉଛି, ତଥାପି ଭାରତରେ ଏନ୍‌ବିଏ ଓ ବା‌ସ୍କେଟବଲ୍‌ର ଭବିଷ୍ୟତ ଯେ ଉଜ୍ଜ୍ବଳ, ତାହା ସ୍ପଷ୍ଟ ଭାବେ ଦେଖିପାରୁଥିବା ସେ କହିଛନ୍ତି। ଏହି ପିଲାମାନେ ଆମେରିକୀୟ ବାସ୍କେଟ୍‌ବଲ୍‌ରେ ଆଶାତୀତ ସଫଳତା ପାଇଥିବା ସତନାମ ସିଂହ ଭୁଲାରଙ୍କୁ ନିଜ ଆଦର୍ଶ କରୁଛନ୍ତି।

ତୃଣମୂଳସ୍ତରରେ ବାସ୍କେଟବଲ୍‌ର ପ୍ରଶିକ୍ଷଣ ମଧ୍ୟ ଭାରତର ବିଭିନ୍ନ ସହରରେ ଚାଲିଛି। ବହୁ ବିଦ୍ୟାଳୟ ଏହାକୁ ନିଜ ଶାରିରୀକ ଶିକ୍ଷା‌ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ୨୦୧୩ ମସିହାରେ ଆରମ୍ଭ ହୋଇଥିବା ରିଲାଏନ୍ସ ଫାଉଣ୍ଡେସନ୍ କନିଷ୍ଠ ଏନବିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୧,୦୦୦ ବିଦ୍ୟାଳୟର ୧୧ ନିୟୁତ ପିଲା ପ୍ରଶିକ୍ଷଣ ନେଇସାରିଲେଣି। ଏହା ଦ୍ବାରା ଏନ୍‌ବିଏ ଏକାଡେମିକୁ ବିଦ୍ୟାର୍ଥୀ ଯୋଗାଣ ମଧ୍ୟ ନିରନ୍ତର ଭାବେ ଚାଲିଛି। ଦେଶସାରା ଚାଲିଥିବା ଏନ୍‌ବିଏ ବାସ୍କେଟ୍‌ବଲ୍ ବିଦ୍ୟାଳୟରେ ପିଲାମାନେ ସ୍ବଳ୍ପ ପାଉଣା ଦେଇ ପ୍ରଶିକ୍ଷଣ ନେଇପାରୁଛନ୍ତି। ଶୀର୍ଷ ସ୍ତରରେ ଏନ୍‌ବିଏ ଏକାଡେମି କାର୍ଯ୍ୟ କରୁଛି। ଏଠାରେ ସାରା ଦେଶର ଶ୍ରେଷ୍ଠ ୨୪ ପ୍ରତିଭାଙ୍କୁ ରଖି ବିଜ୍ଞାନ ସମ୍ମତ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷଜ୍ଞମାନେ କିନ୍ତୁ ଭାରତରେ ଏକ ପେସାଦାର ବାସ୍କେଟବଲ ଲିଗ୍‌ର ଶୁଭାରମ୍ଭ ଉପରେ ଜୋର ଦେଇଛନ୍ତି। ଏହା ବାସ୍କେଟବଲର ଲୋକପ୍ରିୟତା ବଢ଼ାଇବା ସହ ନୂଆ ନୂଆ ପ୍ରତିଭାଙ୍କୁ ଏହି ଖେଳ ଖେଳିବାକୁ ଅନୁପ୍ରେରିତ କରିବ ବୋଲି ସେମାନେ ଆଶା ପୋଷଣ କରିଛନ୍ତି। ଭାରତରେ ଅବଶ୍ୟ ୟୁବିଏ ନାମରେ ‌ଏକ ପେସାଦର ଲିଗ୍ ୨୦୧୫ରେ ଆରମ୍ଭ ହୋଇଥିଲା। ହେଲେ ୨୦୧୭ ମସିହା ପରଠାରୁ ଏହା ଆଉ ଆୟୋଜିତ ହୋଇନି।

ସମଗ୍ର ବିଶ୍ବରେ ବାସ୍କେଟବଲ୍‌ର ‌ଲୋକପ୍ରିୟତା ବଢ଼ାଇବାର ଶ୍ରେୟ କିନ୍ତୁ ଏନ୍‌ବିଏ କମିସନର ଆଦାମ ସିଲଭରଙ୍କୁ ଯାଏ। ନବେ ଦଶକରେ ଏନ୍‌ବିଏର ମାତ୍ର ୫ ପ୍ରତିଶତ ଖେଳାଳି ଆମେରିକା ବାହାରର ହୋଇଥିଲା ବେଳେ ସଂପ୍ରତି ଏହା ୨୫ ପ୍ରତିଶତ‌ରେ ପହଞ୍ଚିଛି। ତାଙ୍କ ପ୍ରଚେଷ୍ଟାରେ ଭାରତରେ ମଧ୍ୟ ଏନବିଏର ଟେଲିଭିଜନ୍ ଦର୍ଶକ ସଂଖ୍ୟା ୯୧ ନିୟୁତରେ ପହଞ୍ଚିଛି। ସର୍ବଭାରତୀୟ ବାସ୍କେଟବଲ୍ ମହାସଂଘର ପୂବର୍ତନ ସଂପାଦକ ହରିଶ ଶର୍ମାଙ୍କ ଅବଦାନ ମଧ୍ୟ ଏହି କ୍ଷେତ୍ରରେ ଯଥେଷ୍ଟ। କାରଣ ଭାରତକୁ ସେ ହିଁ ଏନ୍‌ବିଏକୁ ଆଣିଥିଲେ।

 

ସମ୍ବନ୍ଧିତ ଖବର