ଭିଭୋ ଯିବା ବଡ଼ ଧକ୍କା ନୁହେଁ, ବିସିସିଆଇ ପାଖରେ ପ୍ଲାନ୍ ବି ପ୍ରସ୍ତୁତ ଅଛି: ଗାଙ୍ଗୁଲି

ମୁମ୍ବାଇ: ବିସିସିଆଇର ମୂଳଦୁଆ ଅତ୍ୟନ୍ତ ସୁଦୃଢ଼ ଓ ଢେର ମଜବୁତ। ଖେଳ, ଖେଳାଳି ଓ ଅତୀତର ପ୍ରଶାସକମାନେ ଭାରତରେ କ୍ରିକେଟ୍‌କୁ ଏତେ ଶକ୍ତିଶାଳୀ କରିଦେଇଛନ୍ତି ଯେ ଯେକୌଣସି ପ୍ରକାର ଛୋଟ ମୋଟ ଧକ୍କାକୁ ସହିବାର ଶକ୍ତି ବିସିସିଆଇର ଅଛି। ଚୀନ୍‌ର ମୋବାଇଲ୍ କଂପାନି ‘ଭିଭୋ’ ସହ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ପଦ ପାଇଁ ହୋଇଥିବା ଚୁକ୍ତି ବର୍ଷକ ପାଇଁ ନିଲମ୍ବିତ ହେବା ଏକ ମାମୁଲି କଥା। ମୁଁ ଏହାକୁ ଏକ ଆର୍ଥିକ ସଙ୍କଟ ଭାବେ ବର୍ଣ୍ଣନା କରିବି ନାହିଁ। ଏଭଳି ସ୍ଥିତି ଲାଗି ବିସିସିଆଇ ପାଖରେ ସବୁବେଳେ ପ୍ଲାନ୍ ବି ପ୍ରସ୍ତୁତ ହୋଇ ରହିଥାଏ। ୟୁଏଇରେ ହେବାକୁ ଥିବା ଚଳିତବର୍ଷର ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକରୁ ଭିଭୋ ଓହରିବା ପରେ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରବିବାର ଏହା କହିଛନ୍ତି। ଏକ ପୁସ୍ତକ ପ୍ରକାଶନ ସଂସ୍ଥା ପକ୍ଷରୁ ଆୟୋଜିତ ୱେବିନାର ବା ଅନଲାଇନ୍ ସମ୍ମିଳନୀରେ ଯୋଗଦେଇ ଏଭଳି ଛୋଟ ମୋଟ କଥା ବିସିସିଆଇ ଭଳି ମହାଦୃମକୁ ଦୋହଲାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି, ”ସବୁ ବଡ଼ ବଡ଼ ସଂସ୍ଥା କେବେ ନା କେବେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି।

ଏଥିଲାଗି ଆପଣଙ୍କୁ ନିଜ ବିକଳ୍ପ ଖୋଲା ରଖିବାକୁ ପଡ଼ିଥାଏ। ଏହା ପ୍ଳାନ୍ ‘ଏ’ ଓ ପ୍ଲାନ୍ ‘ବି’ ଭଳି। ସବୁ ଦାୟିତ୍ବସଂପନ୍ନ ସଂସ୍ଥା, ବ୍ରାଣ୍ଡ ଓ କଂପାନି ଏଭଳି କରନ୍ତି। ଆଉ ଏସବୁ କରିବାର ଏକମାତ୍ର ପଥ ହେଲା ଆପଣଙ୍କୁ ଆପଣଙ୍କ ସଂସ୍ଥାକୁ ପେସାଦାର ଢଙ୍ଗରେ ପରିଚାଳନା କରି ଏହାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିଥାଏ। କୌଣସି ବଡ଼ ସଂସ୍ଥା ରାତିକ ଭିତରେ ଗଢ଼ା ଯାଇନପାରେ। ସେହିଭଳି ବଡ଼ ଜିନିଷ ରାତିକ ଭିତରେ ଉଭାନ ମଧ୍ୟ ହୋଇନପାରେ। ଦୀର୍ଘ ସମୟ ଧରି ଆପଣ କରିଆସୁଥିବା ପ୍ରସ୍ତୁତି ଆପଣଙ୍କୁ ଏଭଳି କ୍ଷତି ସହିବାର କ୍ଷମତା ପ୍ରଦାନ କରିଥାଏ”। ଗାଙ୍ଗୁଲି ମଧ୍ୟ ଏହି ଅବସରରେ ଭାରତରେ ହେବାକୁ ଥିବା ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ବିସିସିଆଇ ଅଭିମୁଖ୍ୟକୁ ଖୋଲି କହିଥିଲେ। ଭାରତକୁ ୨୦୨୧ ଟ୍ବେଣ୍ଟି-୨୦ ଏବଂ ୨୦୨୩ ଏକଦିବସୀୟ ବିଶ୍ବକପ୍ ଆୟୋଜନ ଅଧିକାର ପୂର୍ବରୁ ମିଳିଥିଲା। ଆଇସିସି ସବୁ ଦିଗରୁ ଚିନ୍ତା କରି ଏହି ସୂଚୀରେ କୌଣସି ପରିବର୍ତ୍ତନ କରିନି। ହଁ କରୋନା ମହାମାରୀ ସଙ୍କଟ ଆମ ସମସ୍ତଙ୍କ ପାଇଁ ନୂଆ ଆହ୍ବାନ ନେଇଆସିଛି ବୋଲି ଏହି ଅବସରରେ ସେ ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ୨୦୧୭ରୁ ୨୦୨୨ ମସିହାର ଅବଧି ଲାଗି ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ହେବା ଲାଗି ବିସିସିଆଇ ସହ ଭିଭୋ ୨୧୯୯ କୋଟି ଟଙ୍କାର ଚୁକ୍ତି କରିଥିଲା। ତଦନୁଯାୟୀ ବର୍ଷକୁ ପାଖାପାଖି ୪୪୦ କୋଟି ଟଙ୍କା ଦେଉଥିଲା। ଯାହାର ୫୦ ପ୍ରତିଶତ ବିସିସିଆଇ ଫାଞ୍ଚାଇଜଙ୍କ ମଧ୍ୟରେ ବାଣ୍ଟି ଦେଉଥିଲା। ଚଳିତ ବର୍ଷ କରୋନା ସଙ୍କଟ ସହ ଲଦାଖ ସୀମାରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଲାଗି ରହିଥିବା ଟକରାଟକରି ଲାଗି ଭିଭୋ ଆଇପିଏଲ୍‌ର ଚଳିତ ବର୍ଷର ପ୍ରାୟୋଜକ ପଦରୁ ଓହରି ଯାଇଛି ଏବଂ ବିସିସିଆଇ ଏବେ ନୁଆ ପ୍ରାୟୋଜକ ସନ୍ଧାନରେ ରହିଛି। ଚୁକ୍ତିର ଅବଧି ଦୁଇ ବର୍ଷ ଶେଷ ହୋଇ ଯାଇଥିଲା ବେଳେ ବଳକା ତିନି ବର୍ଷର ଚୁକ୍ତିକୁ ୨୦୨୧, ୨୦୨୨ ଓ ୨୦୨୩ରେ ସମ୍ମାନ ଜଣାଇବାକୁ ଭିଭୋ ଆଗ୍ରହୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର