ଭାରତ-ଆୟର୍ଲାଣ୍ଡ ପ୍ରଥମ ଟେ୍ଵଣ୍ଟି-୨୦ ଆଜି

ବିଜୟରୁ ଇଂଲଣ୍ଡ ଗସ୍ତ ଲକ୍ଷ୍ୟରେ କୋହଲି

ଡବ୍‌ଲିନ୍‌: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତାକାଲି (ବୁଧବାର) ଆୟର୍ଲାଣ୍ଡ୍‌ ସହ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଏଥି ସହିତ ଲମ୍ବା ଗ୍ରୀଷ୍ମକାଳୀନ ଗସ୍ତ ମଧ୍ୟ ଆରମ୍ଭ ହେବ। ଆଉ ଏହି ମ୍ୟାଚ୍‌ ଜିତି ଭାରତ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। କୋହଲି ଓ ଫର୍ମରେ ଥିବା ଲୋକେଶ ରାହୁଲ୍‌ ମଙ୍ଗଳବାର ନେଟ୍‌ସରେ ଜୋର୍‌ଦାର ଅଭ୍ୟାସ କରିଛନ୍ତି। ଉଭୟେ ସ୍ପିନ୍‌ ଓ ପେସ୍‌ ବୋଲରଙ୍କୁ ଏକାଠି ଖେଳିଥିଲେ। ଖେଳାଳିମାନେ ତିନି ଗ୍ରୁପ୍‌ରେ ବିଭକ୍ତ ହୋଇ ଅଭ୍ୟାସ କରିଥିଲେ। ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କ ସହ ହାର୍ଦିକ୍‌ ପାଣ୍ଡ୍ୟା ପେସ୍‌ ଗ୍ରୁପ୍‌ର ନେତୃତ୍ୱ ନେଇଥିଲା ବେଳେ ଅନ୍ୟମାନେ କ୍ଷେତ୍ରରକ୍ଷଣ ଅଭ୍ୟାସ କରିଥିଲେ। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାଓ୍ଵନ୍‌ ଓ ରୋହିତ ଶର୍ମା ମଧ୍ୟ ଏକାଠି ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖାଯାଇଥିଲା।

ଦକ୍ଷିଣ ଆଫ୍ରିକା ଗସ୍ତ ପରେ ପ୍ରଥମ ଥର ଲାଗି ଭାରତୀୟ ଦଳ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ। ତେବେ ଆୟର୍ଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ ପାଇଁ ରାହୁଲ୍‌ଙ୍କ ସ୍ଥାନ ସୁରକ୍ଷିତ ଥିଲା ବେଳେ ମନୀଷ ପାଣ୍ଡେ, ସୁରେଶ ରାଇନା ଓ ଦୀନେଶ କାର୍ତିକଙ୍କ ମଧ୍ୟରୁ ଦୁଇ ଜଣ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି କୋହଲି କହିଛନ୍ତି। ଅନ୍ୟପକ୍ଷରେ ଦୁଇ ସ୍ପିନର ୟୁଜ୍‌ବେନ୍ଦର ଚହଲ୍‌ ଓ କୁଲ୍‌ଦୀପ୍‌ ଯାଦବଙ୍କୁ ଗସ୍ତ ଆରମ୍ଭରୁ ପରୀକ୍ଷା କରିବା ପାଇଁ କୋହଲି ଚାହିଁଛନ୍ତି। ଜସ୍‌ପ୍ରୀତ୍‌ ବୁମ୍‌ରା ଓ ଭୁବନେଶ୍ୱର କୁମାର ନୂଆ ବଲ୍‌ରେ ଆକ୍ରମଣ ଆରମ୍ଭ କରିବେ। ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଜନ୍ମିତ ସ୍ପିନର ସିମ୍ରନ୍‌ଜିତ୍‌ ସିଂହ ଆୟର୍ଲାଣ୍ଡ୍‌ ପକ୍ଷରୁ ଖେଳି ଆକର୍ଷଣର କେଦ୍ରରେ ରହିବେ।
ଭାରତ ଓ ଆୟର୍ଲାଣ୍ଡ୍‌ ପରସ୍ପର ସହ ମାତ୍ର ୪ ଥର ମୁହାଁମୁହିଁ ହୋଇଛନ୍ତି। ସେଥିରେ ୩ ଦିନିକିଆ ଓ ଗୋଟିଏ ଟେ୍ଵଣ୍ଟି-୨୦ ସାମିଲ ରହିଛି। ୨୦୦୭ରେ ପ୍ରଥମ ଦିନିକିଆ ବେଲଫାଷ୍ଟରେ ଖେଳିଥିଲା ବେଳେ ଅନ୍ୟ ଦୁଇଟି ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ଖେଳିଥିଲେ। ୨୦୦୯ରେ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ରେ ଥରେ ଭେଟାଭେଟି ହୋଇଥିଲେ। ଭାରତ ସବୁ ମ୍ୟାଚ୍‌ ଜିତି ଆଗରେ ରହିଛି।

ସମ୍ବନ୍ଧିତ ଖବର